ଚେନ୍ନାଇ: ଶୀର୍ଷକଟି ଅବିଶ୍ୱାସ୍ୟ ମନେ ହେଉଥିଲେ ହେଁ ସଂପୂର୍ଣ୍ଣ ସତ୍ୟ। ଆଉ ଏ ବିରଳ କୃତିତ୍ୱର ଅଧିକାରୀ ହେଉଛନ୍ତି ଭିଏନ୍ ପ୍ରତିଭାନ୍। ପ୍ରତିଭାନଙ୍କର ବୟସ ହେଉଛି ୫୬ ବର୍ଷ; ହେଲେ ନିଜର ଶିକ୍ଷାଗତ ଯୋଗ୍ୟତା ବାବଦରେ ସେ ହାସଲ କରିଥିବା ଡିଗ୍ରିଗୁଡ଼ିକର ସଂଖ୍ୟା ହେଉଛି ୧୪୦। ଶ୍ରୀ ପ୍ରତିଭାନ୍ ସଂପ୍ରତି ଚେନ୍ନାଇର ଆର୍କେଏମ୍ ବିବେକାନନ୍ଦ କଲେଜରେ ବାଣିଜ୍ୟ ବିଭାଗର ଆସୋସିଏଟ୍ ପ୍ରଫେସର ଏବଂ ବିଭାଗୀୟ ମୁଖ୍ୟ ଭାବେ ଅଧ୍ୟାପନା ଦାୟିତ୍ୱରେ ଅଛନ୍ତି। ହେଲେ, ଏହି ପଠନ କୀଟ ଜଣଙ୍କର ଏତେ ସଂଖ୍ୟାରେ ଡିଗ୍ରି ହାସଲ ପରେ ବି ମନ ସନ୍ତୁଷ୍ଟ ହୋଇନାହିଁ। ସେଥିପାଇଁ, ସେ ନିଜେ ଅଧ୍ୟାପନା କରିବା ସହ ଏବେ ବି ଅଧ୍ୟୟନ କରୁଛନ୍ତି ଆହୁରି ଅଧିକ ଡିଗ୍ରି ହାସଲ କରିବା ଲକ୍ଷ୍ୟରେ। ତେବେ, ପଠନ କୀଟ ପ୍ରତିଭାନ୍ଙ୍କର ଏ ବିରଳ କୃତିତ୍ୱ ପଛର କାହାଣୀ ଯେତିକି ରୋଚକ; ତା’ଠାରୁ ଅଧିକ ପ୍ରେରଣାଦାୟୀ ଅନ୍ୟମାନଙ୍କ ପାଇଁ।
Sambad is now on WhatsApp
Join and get latest news updates delivered to you via WhatsApp
ନିଜ ସଂପର୍କରେ ପ୍ରତିଭାନ୍ କହନ୍ତି, ସେ ହେଉଛନ୍ତି ତାଙ୍କ ପରିବାରର ପ୍ରଥମ ସ୍ନାତ୍ତକ। ହେଲେ, ତାଙ୍କ ପରିବାରର ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନଥିଲା। ତାଙ୍କର ମା’ ଅନେକ ଦୁଃଖ କଷ୍ଟ ସହି ନିଜ ପ୍ରଚେଷ୍ଟାରେ ତାଙ୍କୁ ବାଣିଜ୍ୟରେ ସ୍ନାତକ ପଢ଼ାଉଥିଲେ। ୧୯୮୧ ମସିହାରେ ବାଣିଜ୍ୟରେ ୫୯ ପ୍ରତିଶତ ନମ୍ବର ରଖି ପ୍ରତିଭାନ୍ ଉତ୍ତୀର୍ଣ୍ଣ ହୋଇଥିଲେ। ହେଲେ, ତାଙ୍କର ମା’ ଯେତେବେଳେ ଜାଣିଲେ ଯେ ପରୀକ୍ଷାରେ ମାତ୍ର ୧ ପ୍ରତିଶତ ନମ୍ବର କମ୍ ରଖିଥିବା କାରଣରୁ ପ୍ରତିଭାନ୍ ପ୍ରଥମ ଶ୍ରେଣୀ ପାଇବାରୁ ବଞ୍ଚିତ ହୋଇଛନ୍ତି; ସେତେବେଳେ ଦୁଃଖରେ ମ୍ରିୟମାଣ ହେବା ସହ କାନ୍ଦି ପକାଇଥିଲେ। ସେଦିନ ମା’ଙ୍କ ଆଖିରେ ଲୁହ ଦେଖିବା ପରେ ପ୍ରତିଭାନ୍ ଶପଥ ନେଇଥିଲେ ଯେ ସେ ଆଗକୁ ଆହୁରି ଅଧକରୁ ଅଧିକ ପଢ଼ିବେ ଏବଂ ଅଧିକରୁ ଅଧିକ ପରୀକ୍ଷା ଦେଇ ନିଜର ସଫଳତାରେ ମା’ଙ୍କୁ ଗର୍ବିତ କରାଇବେ। ଆଉ ସେହିଦିନ ଠାରୁ ହିଁ ସେ ଆରମ୍ଭ କରିଥିଲେ, ତାଙ୍କର ଅଧ୍ୟୟନର ଏହି ଯାତ୍ରା।
ପରବର୍ତ୍ତୀ ସମୟରେ ପ୍ରତିଭାନ୍ ଆଇନ୍ ଓ ଏମ୍ବିଏରେ ସ୍ନାତ୍ତକୋତ୍ତର ପରୀକ୍ଷା ଦେଇ ଉଭୟରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏମ୍ବିଏରେ ସେ କେବଳ ମାତ୍ର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ନଥିଲେ; ବରଂ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଦଖଲ କରିବାରେ ସମର୍ଥ ମଧ୍ୟ ହୋଇଥିଲେ। ଯେଉଁଦିନ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ଏମ୍ବିଏ ଡିଗ୍ରି ପ୍ରଦାନ କରାଗଲା, ସେଦିନ ତାଙ୍କର ମା’ ଦର୍ଶକଙ୍କ ମଧ୍ୟରେ ପ୍ରଥମ ଧାଡ଼ିରେ ବସି ଆନନ୍ଦାଶ୍ରୁ ଗଡ଼ାଇଥିଲେ ବୋଲି ଅତ୍ୟନ୍ତ ଭାବ ବିହ୍ଵଳ ହୋଇ କହନ୍ତି ପ୍ରତିଭାନ୍।
ପରବର୍ତ୍ତୀ ସମୟରେ ସେ ଅସ୍ଥାୟୀ (ପାର୍ଟ-ଟାଇମ୍) ଏବଂ ଘରୋଇ (ପ୍ରାଇଭେଟ୍) ଛାତ୍ର ଭାବେ ଆଇନ୍ର ବିଭିନ୍ନ ବିଭାଗ, ବାଣିଜ୍ୟର ବିଭିନ୍ନ ବିଭାଗ, ସମାଜ ବିଜ୍ଞାନ, ବିଜ୍ଞାନ, ବାରିଜ୍ୟ ଓ କଳାର ବିଭିନ୍ନ ବିଭାଗରେ ଶିକ୍ଷାଗ୍ରହଣ କରି ସଫଳତାର ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡିଗ୍ରି ହାସଲ କରିବାରେ ସମର୍ଥ ହୋଇଥିଲେ।
ପ୍ରତିଭାନ୍ କହନ୍ତି, ତାଙ୍କର ଏକମାତ୍ର ସଉକ୍ ହେଉଛି ପଢ଼ିବା ଆଉ ପଢ଼ାଇବା। ଆଉ ସେଥିପାଇଁ ସେ ଏବେ ବି ନିଜର ପାଠପଢ଼ା ଜାରି ରଖିଛନ୍ତି; ଏବଂ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଉ କେତେଦିନ ପର୍ଯ୍ୟନ୍ତ ପଢ଼ା ଜାରି ରଖିଥିବେ ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ହସି ହସି କହନ୍ତି, ‘ମୁଁ ପ୍ରଫେସର ହୋଇ ଅବସର ଗ୍ରହଣ କଲେ ବି ମୋ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ଶିକ୍ଷା ଗ୍ରହଣ କରି ଚାଲିଥିବି।’
ପ୍ରତିଭାନ୍ ହାସଲ କରିଥିବା ଡିଗ୍ରିର ତାଲିକା
– ୧୩ଟି ମାଷ୍ଟର ଡିଗ୍ରି କଳାରେ
– ୮ଟି ମାଷ୍ଟର ଡିିଗ୍ରି ବାଣିଜ୍ୟରେ
– ୪ଟି ମାଷ୍ଟର ଡିିଗ୍ରି ବିଜ୍ଞାନରେ
– ୧୦ଟି ମାଷ୍ଟର ଡିିଗ୍ରି ଆଇନ୍ରେ
– ୧୨ଟି ମାଷ୍ଟର ଡିିଗ୍ରି ଦର୍ଶନରେ
– ୧୪ଟି ମାଷ୍ଟର ଡିିଗ୍ରି ବିଜିନେସ୍ ଆଡ୍ମିନିଷ୍ଟ୍ରେସନରେ
– ୨୦ଟି ଡିଗ୍ରି ପ୍ରଫେସନାଲ୍ କୋର୍ସରେ
– ୧୧ଟି ଡିଗ୍ରି ସାର୍ଟିଫିକେଟ୍ କୋର୍ସରେ
– ୯ଟି ଡିଗ୍ରି ପିଜି ଡିପ୍ଲୋମା କୋର୍ସରେ
– ପିଏଚ୍ଡି ଡିଗ୍ରି ମ୍ୟାନେଜମେଣ୍ଟରେ
– ଏହା ବାଦ୍ ଆହୁରି ଅନେକ ମାଷ୍ଟର, ଡିପ୍ଲୋମା ଓ ପିଜି ଡିପ୍ଲୋମା ଡିଗ୍ରି ଏକାଧିକ ବିଷୟରେ