ଗରିବଙ୍କୁ ୧ ଟଙ୍କାରେ ଖାଦ୍ୟ ଯୋଗାଇବାକୁ ନିଜର ସମସ୍ତ ସଞ୍ଚୟ ଲଗାଇଲେ, ପତ୍ନୀଙ୍କ ଗହଣା ବି ବିକିଦେଲେ

ନୂଆଦିଲ୍ଳୀ: ଆଜି ବି ଗୋଟିଏ ଟଙ୍କାର ମୂଲ୍ୟ ଦିନରାତି କଠିନ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଅଧିକ। ଗୋଟିଏ ଟଙ୍କା ବଦଳରେ କାହାକୁ କେବେ ପେଟପୂରା ଖାଦ୍ୟ ବି ମିଳେନି। କିନ୍ତୁ ପ୍ରବୀଣ ଗୋୟଲ ନାମକ ଏହି ବ୍ୟକ୍ତି ଦିଲ୍ଲୀର ଅଭାବୀ ଲୋକଙ୍କୁ ୧ ଟଙ୍କାରେ ପେଟପୂରା ଖାଦ୍ୟ ଯୋଗାଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। କେଉଁ ଗରିବ ଭୋକଉପାସରେ ନଶୋଇ ଯାଉ ସେଥିପାଇଁ ‌ସେ ଗତ ଚାରି ବର୍ଷ ଧରି ‘ଶ୍ରୀ ଶ୍ୟାମ ରଷୋଇ’ ନାମକ ଏକ ଖାଦ୍ୟଯୋଗାଣ ସଂସ୍ଥା ଚଳାଉଛନ୍ତି, ଯେଉଁଥିରେ ପ୍ରତିଦିନ ହଜାରେରୁ ଅଧିକ ଲୋକ କେବଳ ଗୋଟିଏ ଟଙ୍କାରେ ପୂର୍ଣ୍ଣ ଭୋଜନ କରନ୍ତି।

ଏହି ମହତ କାମ କରିବା ପାଇଁ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳର ବାସିନ୍ଦା ପ୍ରବୀଣ ତାଙ୍କ ପତ୍ନୀଙ୍କ ଅଳଙ୍କାର ସମେତ ନିଜ ଜୀବନର ସମସ୍ତ ସଞ୍ଚୟ ବିନିଯୋଗ କରି ଦେଇଛନ୍ତି। ଯାହା ଫଳରେ ଅଭାବୀ ଲୋକମାନେ ପେଟ ଭରି ୧ ଟଙ୍କା ବଦଳରେ ପ୍ରତିଦିନ ଡାଲି, ଭାତ, ଦୁଇଟି ତରକାରୀ, ରୁଟି ଏବଂ ମିଠା ଖାଇ ପାରୁଛନ୍ତି।

ସେ କହିଛନ୍ତି ଯେ ଏହି ରୋଷେଇ ଘର କେବଳ ଗରିବଙ୍କ ପାଇଁ ନୁହେଁ ବରଂ ଖାଦ୍ୟ ଆବଶ୍ୟକ କରୁଥିବା ସେ ସମସ୍ତ ଲୋକଙ୍କ ପାଇଁ। ଧନୀ ଏବଂ ଗରିବଙ୍କ ମଧ୍ୟରେ ଭେଦଭାବ ଭୁଲି ଲୋକମାନେ ଖାଦ୍ୟ ଖାଇବାକୁ ଏଠାକୁ ଆସନ୍ତି। ଅନ୍ୟପକ୍ଷରେ, ପ୍ରବୀଣଙ୍କ ପରି ଅନ୍ୟ ସମାଜସେବୀମାନେ ବିନା ମୂଲ୍ୟରେ ସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଏଠାକୁ ଆସନ୍ତି।

କିଛି ବର୍ଷ ତଳେ ପ୍ରବୀଣ ଏକ ନୋଟ୍‌ ବୁକ୍‌ ତିଆରି କରୁଥିବା କମ୍ପାନିରେ କାମ କରୁଥିଲେ। ଥରେ ସେ ନିଜ କାମରେ ବାହାଦୂରଗଡ଼ ଯାଉଥିଲେ। ବାଟରେ ସେ ପାଣି ପିଇବା ପାଇଁ ଏକ ଢାବାରେ ଅଟକି ଗଲେ ଏବଂ ସେହି ଢାବାରେ ଦେଖିଲେ ଯେ ଜଣେ ବ୍ୟକ୍ତି ୧୦ ଟଙ୍କା ଦେଇ ଖାଦ୍ୟ ମାଗୁଛନ୍ତି। କିନ୍ତୁ ଢାବାବାଲା ତାଙ୍କୁ ୧୦ ଟଙ୍କାରେ ଖାଦ୍ୟ ହେବନି କହି ଫେରାଇ ଦେଉଛି।

ସେତେବେଳେ ପ୍ରବୀଣ ସେହି ବ୍ୟକ୍ତିଙ୍କୁ ୧୦୦ଟଙ୍କା ଦେଇ ସାହାଯ୍ୟ କରିଥିଲେ। କିନ୍ତୁ ସେହି ଦିନ ସେ ଅଧିକ ଅଭାବୀ ଲୋକଙ୍କୁ ଖାଇବାକୁ ଦେବା ପାଇଁ କିଛି କରିବାକୁ ସ୍ଥିର କଲେ। ପ୍ରବୀଣ ଘରକୁ ଆସି ନିଜ ପିଲାମାନଙ୍କୁ କହିଥିଲେ ଯେ ସେ ସାରା ଜୀବନ ଅନ୍ୟମାନଙ୍କ ସେବାରେ ବିତାଇବାକୁ ଚାହୁଁଛନ୍ତି। ସେତେବେଳେ ତାଙ୍କ ପିଲାମାନେ ଭଲ କାମ କରୁଥିଲେ ଏବଂ ସେମାନଙ୍କ ନିଜ ପାଦରେ ଠିଆ ହୋଇ ସାରିଥିଲେ। ସେଥିପାଇଁ ସେ ଏହି ନିଷ୍ପତ୍ତିରେ ପୂରା ପରିବାରର ସମର୍ଥନ ପାଇଲେ।

ପ୍ରବୀଣ ୨୦୧୯ରେ ୧୦ ଟଙ୍କା ମୂଲ୍ୟରେ ନିଜେ ଏକ ଥାଳି ସେବା ଆରମ୍ଭ କରିଥିଲେ। ଖୁବ୍ ଶୀଘ୍ର ତାଙ୍କର ଏହି ରୋଷେଇ ଘର ଆଖପାଖ ଅଞ୍ଚଳରେ ପ୍ରସିଦ୍ଧ ହେଲା। କରୋନା ସମୟରେ, ପ୍ରବୀଣ ଦେଖିଲେ ଯେ ଅନେକ ଲୋକଙ୍କର କାମ ନାହିଁ, ତେଣୁ ସେମାନଙ୍କ ନିକଟରେ ୧୦ ଟଙ୍କା ବି ନାହିଁ। କରୋନା ପରେ, ପ୍ରବୀଣ ୧୦ ଟଙ୍କା ବଦଳରେ କେବଳ ଗୋଟିଏ ଟଙ୍କାରେ ଖାଦ୍ୟ ଦେବା ଆରମ୍ଭ କଲେ।

ପ୍ରବୀଣ ବିଶ୍ବାସ କରନ୍ତି ଯେ ସେ ଗୋଟିଏ ଟଙ୍କା ଏଥିପାଇଁ ନେଉଛନ୍ତି ଯାହାଦ୍ବାରା କାହାର ଆତ୍ମସମ୍ମାନ ନଷ୍ଟ ହେବ ନାହିଁ। ଆଜି ପ୍ରବୀଣଙ୍କ ଏହି ପଦକ୍ଷେପ ଏକ ପରୋପକାରୀ ଟ୍ରଷ୍ଟରେ ପରିଣତ ହୋଇଛି ଏବଂ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କ ସହ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର