ଦେଶ ଜଣେ ଯୋଗ୍ୟ ସନ୍ତାନକୁ ହରାଇଲା : ରାଜ୍ୟପାଳ

ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ଜଣେ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ଥିଲେ। ତାଙ୍କ ଜୀବନ ଓ କାର୍ଯ୍ୟ ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଯୋଗାଇବ। ତାଙ୍କ ବିୟୋଗରେ ଭାରତବର୍ଷ ଜଣେ ଯୋଗ୍ୟ ସନ୍ତାନକୁ ହରାଇଲା। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗକୁ ରାଜ୍ୟପାଳ ସମବେଦନା ଜଣାଇଛନ୍ତି।

ଦେଶ ଜଣେ ଗାନ୍ଧୀବାଦୀ ଓ କର୍ମଯୋଗୀଙ୍କୁ ହରାଇଲା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ବି‌ୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭବାନୀ ପଟ୍ଟନାୟକ ଜଣେ ମହାନ ଦେଶଭକ୍ତ ଥିଲେ ଓ ତାଙ୍କର ସାରା ଜୀବନ ସେ ସାଧାରଣ ଲୋକଙ୍କ ପାଇଁ ଉତ୍ସର୍ଗ କରିଥିଲେ। ଗାନ୍ଧୀବାଦରେ ଦୃଢ଼ ବିଶ୍ବାସ କରୁଥିବା ସ୍ବର୍ଗତ ପଟ୍ଟନାୟକ ବିଜୁ ବାବୁଙ୍କର ଘନିଷ୍ଠ ସହଯୋଗୀ ଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସେ ସାମାଜିକ ଜୀବନରେ ସକ୍ରିୟ ଥିଲେ। ତାଙ୍କ ମୃତ୍ୟୁରେ ଏ ଜାତି ଜଣେ ପ୍ରକୃତ ଗାନ୍ଧୀବାଦୀ ତଥା କର୍ମଯୋଗୀଙ୍କୁ ହରାଇଲା। ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି।

ଦେଶର ମୁକ୍ତି ସଂଗ୍ରାମର ସୂର୍ଯ୍ୟଙ୍କ ଅସ୍ତ ହେଲା : ଧର୍ମେନ୍ଦ୍ର
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ବର୍ଗବାସ ଖବର ଶୁଣି ମୁଁ ମର୍ମାହତ। ଖୁବ୍ କମ୍ ବୟସରୁ ସ୍ବାଧୀନତା ସଂଗ୍ରାମର ନେତୃତ୍ବ ନେଇ ଭାରତ ଛାଡ଼ ଆନ୍ଦୋଳନରେ ସେ ଝାସ ଦେଇଥିଲେ। ତିନି ତିନି ଥର ରାଜ୍ୟସଭା ସାଂସଦ ଥିବା ଭବାନୀ ବାବୁ ଶେଷ ପର୍ଯ୍ୟନ୍ତ ଜନସେବାରେ ନିୟୋଜିତ ଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଶାରୁ ଦେଶର ମୁକ୍ତି ସଂଗ୍ରାମର ସୂର୍ଯ୍ୟଙ୍କ ଅସ୍ତ ଘଟିଲା। ଶ୍ରୀ ପ୍ରଧାନ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି।

ମୁଁ ମର୍ମାହତ : ନିରଞ୍ଜନ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି ଯେ ସ୍ବାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ନେତା ଭବାନୀ ଚରଣ ପଟ୍ଟନାୟକ ବିୟୋଗରେ ମୁଁ ମର୍ମାହତ। ସେ କଂଗ୍ରେସ ଦଳ ସହ ଦୀର୍ଘ ଦିନ ଧରି ଯୋଡ଼ି ହୋଇ ରହିଥିଲେ। ସେ କଂଗ୍ରେସ ସେବା ଦଳର ପୂର୍ବତନ ଅଧ୍ୟକ୍ଷ ଥିଲେ ଓ ଓଡ଼ିଶା ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘର ସମ୍ପାଦକ ମଧ୍ୟ ଥିଲେ। ତାଙ୍କ ବିୟୋଗରେ ରାଜ୍ୟର ଏକ ଅପୂରଣୀୟ କ୍ଷତି ଘଟିଛି। ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ମୁଁ ସମବେଦନା ଜଣାଉଛି।

ସମ୍ବନ୍ଧିତ ଖବର