ବିନା ଲକ୍ଷଣରେ ଗର୍ଭବତୀ କରାନ୍ତୁନି କୋଭିଡ୍‌ ପରୀକ୍ଷା

ନବଜାତକଙ୍କୁ ସ୍ତନ୍ୟପାନ କରାନ୍ତୁନି ଆକ୍ରାନ୍ତ
ସୁରକ୍ଷିତ ପ୍ରସବର ରହିଛି ଅନେକ ଉଦାହରଣ

ଭୁବନେଶ୍ବର : ବୃଦ୍ଧି ପାଇବାରେ ଲାଗିଛି କୋଭିଡ୍‌ ସଂକ୍ରମଣ। ଏଥିଯୋଗୁଁ ସର୍ବାଧିକ ଭୟଭୀତ ଗର୍ଭବତୀ ମହିଳା ଏବଂ ପରିବାର। ଜଣେ ଗର୍ଭବତୀଙ୍କଠାରେ କୋଭିଡ୍‌ ପଜିଟିଭ ହେଲେ ଏଥିରେ ଉଭୟ ମା’, ଶିଶୁର ଜୀବନ ଜଡ଼ିତ ଥିବାରୁ ମା’, ପରିବାର ଏବଂ ଡାକ୍ତରଙ୍କ ପାଇଁ ଭୟ ଏବଂ ଆଶଙ୍କା ରହିବା ସ୍ବାଭାବିକ। ୨୦୨୦, ୨୦୨୧ କରୋନାର ଉଭୟ ଲହରରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ସତ୍ତ୍ବେ ମଧ୍ୟ ଅନେକ ମହିଳା ସୁରକ୍ଷିତ ପ୍ରସବ କରିଛନ୍ତି। ଏଥିରେ ବ୍ୟସ୍ତ ହେବାର ଆବଶ୍ୟକତା ନଥିବା କହିଛନ୍ତି ରାଜ୍ୟର ଦୁଇ ବିଶିଷ୍ଟ ସ୍ତ୍ରୀ-ପ୍ରସୂତି ବିଭାଗ ବିଶେଷଜ୍ଞ ଡ. ରାସେଶ୍ବରୀ ପାଣିଗ୍ରାହୀ ଏବଂ ଡ. ବେଣୁଧର ପାଣ୍ଡେ। ଘରେ କିମ୍ବା ଅନ୍ୟ କେଉଁଠି କୋଭିଡ୍‌ ପଜିଟିଭ ଗର୍ଭବତୀଙ୍କ ପ୍ରସବ ନ କରାଇ ସିଧାସଳଖ କୋଭିଡ୍‌ ଡାକ୍ତରଖାନାରେ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

ଭୀମସାର ସ୍ତ୍ରୀ-ପ୍ରସୂତି ବିଭାଗ ଡାକ୍ତର ବେଣୁଧର ପାଣ୍ଡେ କହିଛନ୍ତି, ବର୍ଷେ ହେଲା ଅନେକ କୋଭିଡ୍‌ ପଜିଟିଭଙ୍କ ସୁରକ୍ଷିତ ପ୍ରସବର ଅନୁଭବ ରହିଛି। ତେଣୁ ଏଥିରେ ଭୟଭୀତ ହେବାର ନାହିଁ। ବର୍ତ୍ତମାନ କୋଭିଡ୍‌ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଛି ସତ କିନ୍ତୁ ବିନା ଲକ୍ଷଣରେ କୌଣସି ଗର୍ଭବତୀଙ୍କ କୋଭିଡ୍‌ ପରୀକ୍ଷା କରାନ୍ତୁ ନାହିଁ। କିନ୍ତୁ ତାଙ୍କର ଲକ୍ଷଣ ଦେଖାଗଲେ ଯଥା ବାନ୍ତି, ଜ୍ବର, ପତଳା ଝାଡ଼ା, ଥଣ୍ଡା, ତଣ୍ଟି କାଟିବା, ଆଘ୍ରାଣ ଶକ୍ତି ଏବଂ ସ୍ବାଦ ହରାଇଲେ କୋଭିଡ୍‌ ପରୀକ୍ଷା କରାଇବା ଉଚିତ। ଗର୍ଭର ୩ମାସ ମଧ୍ୟରେ ଗର୍ଭବତୀଙ୍କଠାରେ କୋଭିଡ୍‌ ପଜିଟିଭ ଚିହ୍ନଟ ହେଲେ ଶିଶୁକୁ ରଖିବା ନେଇ ଅଭିଭାବକମାନେ ଦ୍ବନ୍ଦ୍ବରେ ଥାଆନ୍ତି। କୋଭିଡ୍‌ ଚିକିତ୍ସା ପାଇଁ ଯେଉଁ ଔଷଧ ଦିଆଯାଏ, ତାକୁ ଖାଇବା ନେଇ ମଧ୍ୟ ସେମାନେ ସନ୍ଦେହରେ ଥାଆନ୍ତି। ଗର୍ଭସ୍ଥ ଶିଶୁର ମା’ଙ୍କୁ ବୁଝିବାକୁ ପଡ଼ିବ ଯେ ଜିଙ୍କ, ବି କଂପ୍ଲେକ୍ସ, ପାରାସିଟାମଲ ଭଳି ଯେଉଁ ଔଷଧ ଡାକ୍ତର ତାଙ୍କୁ ଦେଉଛନ୍ତି, ସେ ନିଶ୍ଚିତ ଖାଇବା ଉଚିତ। କୋଭିଡ୍ ପଜିଟିଭ୍‌ ମା’ଙ୍କ ଗର୍ଭସ୍ଥ ଶିଶୁ ଉପରେ ଭୂତାଣୁର ନକାରାତ୍ମକ ପ୍ରଭାବ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଉଥିବା ଗବେଷଣା ସମ୍ପୂର୍ଣ୍ଣ ହୋଇନାହିଁ। ଯେତିକି ମଧ୍ୟ ଗବେଷଣା ହୋଇଛି, ସେଥିରୁ ଗୋଟିଏ ମଧ୍ୟ ଗବେଷଣାରେ ଗର୍ଭପାତ କରିବା ପାଇଁ ପରାମର୍ଶ ଦିଆଯାଇନାହିଁ। ସେହି ଅନୁସାରେ ଅଭିଭାବକ ପଦକ୍ଷେପ ନେଇପାରିବେ। ଧରାଯାଉ, ମା’ ଗର୍ଭ ରଖିବା ପାଇଁ ନିଷ୍ପତ୍ତି ନେଲେ, ତେବେ ବର୍ତ୍ତମାନ କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟି ଦେଇ ଆମେ ପରାମର୍ଶ ଦେବୁ ଯେ ୩ ମାସ, ୩ରୁ୭ ମାସ ମଧ୍ୟରେ ପରୀକ୍ଷା କରିବା ସହିତ ପ୍ରସବ ଡାକ୍ତରଖାନାରେ କରାନ୍ତୁ।

ଆଉ ଏକ ଘଟଣାରେ ଧରାଯାଉ, ୧୦ ମାସ ଗର୍ଭବତୀଙ୍କଠାରେ ଲକ୍ଷଣ ଦେଖାଯିବ। କିନ୍ତୁ ଗର୍ଭବତୀଙ୍କୁ କୌଣସି ପୀଡ଼ା ହେଉନଥିବ, ତେବେ ସେ ୧୪ ଦିନ ସଙ୍ଗରୋଧରେ ରହିବା ଉଚିତ। ପରାମର୍ଶ ଅନୁସାରେ ଔଷଧ ଖାଇବେ। ଏହି ସମୟରେ କୌଣସି ପ୍ରକାର କୃ୍ତ୍ରିମ ପ୍ରସବ କରିବା ଉଚିତ ନୁହେଁ। ପ୍ରାକୃତିକ ଭାବରେ ପୀଡ଼ା ଆରମ୍ଭ ହେଲେ, ଅଲଟ୍ରାସାଉଣ୍ଡ କରାଯିବ। ଜରୁରୀ ହେଲେ କୃତ୍ରିମ ପୀଡ଼ା କରାଇ ଆର୍ଟିଫିସିଆଲ ପ୍ରସବ କିମ୍ବା ଅସ୍ତ୍ରୋପଚାର କରାଯିବ। ନଚେତ୍‌ ସ୍ବାଭାଭିକ ଭାବେ ଲେବର୍‌ ରୁମ୍‌ରେ ପ୍ରସବ ହେବ। ଅନେକ କ୍ଷେତ୍ରରେ ଗର୍ଭବତୀ ଆସିଲେ, ପ୍ରସବ ପୂର୍ବରୁ ତାଙ୍କର କୋଭିଡ୍‌ ପରୀକ୍ଷା ହୁଏ। କୋଭିଡ୍‌ ପଜିଟିଭ ଚିହ୍ନଟ ହେଲେ, କୋଭିଡ୍‌ ଡାକ୍ତରଖାନାରେ ଥିବା ଡେଡିକେଟେଡ୍‌ ଲେବର ରୁମ, ଓଟି ରହିଛି। ସେଠାରେ ଥିବା ଏହି କାର୍ଯ୍ୟ ପାଇଁ ନିଯୁକ୍ତ ଡାକ୍ତର ସୁରକ୍ଷିତ ପ୍ରସବ କରିବେ।

ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି, ସାଧାରଣ ଗର୍ଭବତୀଙ୍କଠାରୁ କୋଭିଡ ପଜିଟିଭଙ୍କ ସମୟ ପୂର୍ବରୁ ପ୍ରସବ (ପ୍ରିମେଚ୍ୟୋର ଡେଲିଭରି) ହେବାର ଆଶଙ୍କା ରହିଥାଏ। ଏଥିପାଇଁ ସତର୍କ ରହିବା ଉଚିତ। ଗର୍ଭବତୀ ପଜିଟିଭ ହେବା ପରେ ସାଧାରଣ କୋଭିଡ ପଜିଟିଭ ଭଳି ସଙ୍ଗରୋଧରେ ରଖିବା ଉଚିତ। ଅମ୍ଳଜାନ ସ୍ତର କିମ୍ବା ତାଙ୍କ ସ୍ଥିତି ଦେଖି ଘରେ ସଙ୍ଗରୋଧ, କୋଭିଡ କେୟାର ସେଣ୍ଟର କିମ୍ବା ଡାକ୍ତରଖାନାରେ ରଖିବା ଉଚିତ। ଗର୍ଭାବସ୍ଥା ଯେତେ ମାସର ମଧ୍ୟ ହୋଇଥାଉ, ଗର୍ଭବତୀଙ୍କ ପାଇଁ ମଧ୍ୟ କୋଭିଡ୍‌ ପଜିଟିଭ ଚିକିତ୍ସା ସର୍ବାଧିକ ଗୁରୁତ୍ବ ବହନ କରେ। ସାଧାରଣ ସମୟରେ ଗର୍ଭବତୀଙ୍କୁ ପରିବାର ଯେଉଁଭଳି ବିଶେଷ ଯତ୍ନ ନେଇଥାଆନ୍ତି, କୋଭିଡ ପଜିଟିଭ ହେବା ସମୟରେ ବି ସଙ୍ଗରୋଧରେ ରଖାଯାଇ ସେହିଭଳି ଯତ୍ନ ନେବାକୁ ପରିବାରକୁ ଡାକ୍ତର ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି। କୋଭିଡ ଚିକିତ୍ସା ପାଇଁ ଯେଉଁ ଆଣ୍ଟିବାୟୋଟିକ ଦିଆଯାଏ, ଗର୍ଭସ୍ଥ ଶିଶୁ ଉପରେ ଏହାର ପ୍ରଭାବ ଜାଣିବା ପାଇଁ ନିୟମିତ ଅଲଟ୍ରାସାଉଣ୍ଡ କରାଯିବା ଉଚିତ। ସେହି ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। କରୋନାର ଦ୍ବିତୀୟ ଲହରରେ ଅଧିକାଂଶ ରୋଗୀଙ୍କ ଅମ୍ଳଜାନ ସ୍ତର ହ୍ରାସ ପାଉଛି। କୋଭିଡ ପଜିଟିଭ ଗର୍ଭବତୀଙ୍କ ଅମ୍ଳଜାନ ସ୍ତର ହ୍ରାସ ହେଲେ ତୁରନ୍ତ ଡାକ୍ତରଖାନା ନିଅନ୍ତୁ। ସେଠାରେ ଭେଣ୍ଟିଲେଟରରେ ରଖାଯାଇପାରେ। ସାଧାରଣ କୋଭିଡ୍‌ ଆକ୍ରାନ୍ତଙ୍କ ଭଳି ପ୍ରୋନିଂ ବ୍ୟବସ୍ଥା ଗର୍ଭବତୀଙ୍କ କ୍ଷେତ୍ରରେ କେବେ ମଧ୍ୟ ଗ୍ରହଣ କରିବେ ନାହିଁ। ଡାକ୍ତର ରାସେଶ୍ବରୀ କହିଛନ୍ତି, ଗର୍ଭର ପ୍ରଥମ ମାସରେ ମହିଳା କୋଭିଡ ପଜିଟିଭ ହୋଇ ସୁସ୍ଥ ହେଲେ ଶିଶୁ ସଂକ୍ରମିତ ହେବାର ଆଶଙ୍କା ନଥାଏ। ଅନ୍ତିମ ମାସରେ ମହିଳାଙ୍କଠାରେ କୋଭିଡ୍‌ ପଜିଟିଭ୍‌ ହେଲେ, ଶିଶୁ ଧ୍ୟ ସଂକ୍ରମିତ ହେବାର ସର୍ବାଧିକ ସମ୍ଭାବନା ରହିଛି। କୋଭଡ୍‌ ପଜିଟିଭ୍‌ ମା’ ସୁସ୍ଥ ହେବା ପର୍ଯ୍ୟନ୍ତ ନିଜ ଶିଶୁଠାରୁ ଦୂରରେ ରୁହନ୍ତୁ ସନ୍ତ୍ୟପାନ କିମ୍ବା ନ ଛୁଆଇଁବାକୁ ଉଭୟ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଏବଂ ବେଣୁଧର ପାଣ୍ଡେ ପରାମର୍ଶ ଦେଇଛନ୍ତି।

ଗର୍ଭବତୀ ନିଅନ୍ତୁନି କୋଭିଡ୍‌ ଟିକା
ବର୍ତ୍ତମାନ କୋଭିଡ୍‌ ଟିକାକରଣ ଅଭିଯାନ ଚାଲିଛି। ମେ’ ୧ ତାରିଖରୁ ୧୮ ବର୍ଷରୁ ଊର୍ଧ୍ବ ସମସ୍ତେ ଟିକା ନେଇପାରିବେ। ଗର୍ଭବତୀ କୋଭିଡ୍‌ ଟିକା ନନେବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ବେଣୁଧର ପାଣ୍ଡେ। ଏହା ସେମାନଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ଆଶଙ୍କା କରିଛନ୍ତି।

ସମ୍ବନ୍ଧିତ ଖବର