୯ମାସର ଅନ୍ତସତ୍ତ୍ବା ଥାଇ ବି ଅହରହ ରୋଗୀଙ୍କ ସେବା କରୁଥିବା ନର୍ସଙ୍କ କରୋନାରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ରୋଗୀଙ୍କ ସାହାଯ୍ୟ ପାଇଁ ଅନେକ ଲୋକ ଆଗେଇ ଆସିଥିବା ବେଳେ ଡାକ୍ତର ଓ ନର୍ସମାନେ ବି ଦିନରାତି ଏକ କରି ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି। ଏଭଳି ସମୟରେ ଛତିଶଗଡ଼ର କବିରଧାମ ଜିଲ୍ଲା ଲିମୋ ଗ୍ରାମରୁ ଏକ ଦୁଃଖ ଘଟଣା ସାମ୍ନାକୁ ଆସିଛି।

ଏଠାରେ ଦିନରାତି ଏକ କରି ଅହରହ ରୋଗୀଙ୍କୁ ସେବା ଯୋଗାଉଥିବା ନର୍ସଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି। ତେବେ ସେ ୯ମାସର ଅନ୍ତସତ୍ତ୍ବା ଥାଇ ବି ରୋଗୀଙ୍କ ସେବାରେ ହେଳା କରୁ ନଥିଲେ। ତାଙ୍କ ଡିୟୁଟି କୋଭିଡ ୱା‌ର୍ଡରେ ପଡ଼ିଥିବା ବେଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ତେବେ ଦୁଃଖର କଥା ସେ ସନ୍ତାନକୁ ଜନ୍ମ ଦେବାପରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ନର୍ସ ପ୍ରଭାଙ୍କ ପୋଷ୍ଟିଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଖେରବାର ଖୁର୍ଦର ଲୋରମି ଜିଲ୍ଲା ମୁ‌ଗେଲିରେ ହୋଇଥିଲା। ତେବେ ଏହି ସମୟରେ ସେ ୯ମାସର ଅନ୍ତସତ୍ତ୍ବା ଥିବା ସତ୍ତ୍ବେ ଡିୟୁଟି କରୁଥିଲେ। ସେ ଶିଶୁକୁ ଜନ୍ମ ଦେବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଯାଇଥିଲେ।

ଘରେ ରହିବା ସମୟରେ ତାଙ୍କୁ ଜ୍ବର ଓ କାଶ ହୋଇଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ଅଣାଯାଇଥିଲ। ସେଠାରେ ତାଙ୍କ କରୋନା ପରୀକ୍ଷା କରାଯିବାରୁ ପଜିଟିଭ ବାହାରିଥିଲା। ଧୀରେଧୀରେ ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବା ସହିତ ଜ୍ବର ବି କମି ନଥିଲା। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଭା‌ଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର