ଦେଶରେ ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଅନେକ ରାଜ୍ୟରେ ରେଡ୍‌ ଓ ଅରେଞ୍ଜ୍ ଆଲର୍ଟ ଜାରି ହୋଇଛି। ନିକଟରେ ରାଜଧାନୀ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୫୨ ଡିଗ୍ରି ସେଲସିଅସ୍‌ ଡେଇଁଥିଲା। ଏପରି ମାତ୍ରାଧିକ ତାପମାତ୍ରା ସ୍ବାସ୍ଥ୍ୟ ଉପରେ ବିପଜ୍ଜନକ ପ୍ରଭାବ ପକାଇଥାଏ ବୋଲି ଆମେ ଜାଣୁ। ତେବେ ଏହି ଅତ୍ୟୁଚ୍ଚ ଓ ଦୀର୍ଘ ଗ୍ରୀଷ୍ମଲହରି ଯୋଗୁଁ ଅପରିପକ୍ବ ଜନ୍ମହାର ବଢ଼ିଥାଏ ବୋଲି ଏକ ସଦ୍ୟ ଅନୁଧ୍ୟାନରୁ ଜଣାଯାଇଛି। ଆମେରିକାର ଇମୋରି ବିଶ୍ବବିଦ୍ୟାଳୟ, ନେଭାଡା ବିଶ୍ବବିଦ୍ୟାଳୟ, ୟେଲ୍‌ ବିଶ୍ବବିଦ୍ୟାଳୟ, ଉଟାହ ବିଶ୍ବବିଦ୍ୟାଳୟ ଓ ଆମେରିକାର ଜାତୀୟ ବାୟୁମଣ୍ଡଳୀୟ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନଙ୍କ ମିଳିତ ଅନୁସନ୍ଧାନରୁ ଏପରି ନିର୍ଯାସ ମିଳିଛି। ସେମାନେ ୧୯୯୩ରୁ ୨୦୧୭ ମଧ୍ୟରେ ଆମେରିକାର ୫୦ଟି ବୃହତ୍ ମହାନଗର ନିଗମରେ ହୋଇଥିବା ୫୩ ଲକ୍ଷ ଶିଶୁଜନ୍ମର ତଥ୍ୟକୁ ବିଶ୍ଳେଷଣ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି।

Advertisment

ସାଧାରଣତଃ ୪୦ ସପ୍ତାହର ସ୍ବାଭାବିକ ଗର୍ଭଧାରଣ ସମୟରେ ୩୭ ସପ୍ତାହ ପୂର୍ବରୁ ଜନ୍ମ ହୋଇଥିବା ଶିଶୁମାନଙ୍କୁ ‘ପ୍ରି-ଟର୍ମ’ ଭାବେ ବିବେଚନା କରାଯାଉଥିବା ବେଳେ ୩୭ରୁ ୩୯ ସପ୍ତାହ ଭିତରେ ଜନ୍ମ ହେଉଥିବା ଶିଶୁଙ୍କୁ ‘ଅର୍ଲି-ଟର୍ମ’ ବୋଲି କୁହାଯାଏ। ତେବେ ଗବେଷକମାନଙ୍କ ଏହି ୨୫ ବର୍ଷର ଅନୁଧ୍ୟାନ ଭିତରେ କ୍ରମାଗତ ୪ ଦିନର ସର୍ବାଧିକ ତାପମାତ୍ରା ଥିବା ଅଞ୍ଚଳରେ ‘ପ୍ରି-ଟର୍ମ’ ଶିଶୁଙ୍କ ସଂଖ୍ୟା ୨ ପ୍ରତିଶତ ବଢ଼ିଥିବା ବେଳେ ‘ଅର୍ଲି-ଟର୍ମ’ ଜନ୍ମିତଙ୍କ ସଂଖ୍ୟା ୧ ପ୍ରତିଶତ ବଢ଼ିଥିବା ଜଣାଯାଇଛି। ଏଥି ସହିତ ଗବେଷକମାନଙ୍କ କହିବାନୁସାରେ, ୩୦ ବର୍ଷରୁ କମ୍ ବୟସ୍କ ମହିଳା ତଥା ନିମ୍ନ ଶିକ୍ଷାସ୍ତର ଓ ସଂଖ୍ୟାଲଘୁ ପୃଷ୍ଠଭୂମିରୁ ଆସିଥିବା ମହିଳାଙ୍କ କ୍ଷେତ୍ରରେ ‘ପ୍ରି-ଟର୍ମ’ ଓ ‘ଅର୍ଲି-ଟର୍ମ’ ଜନ୍ମ ହାର ଅଧିକ। ସେହିପରି ଶିଶୁର ଜନ୍ମ ପୂର୍ବର ସ୍ବାସ୍ଥ୍ୟ ଉପରେ ମାତ୍ରାଧିକ ଗ୍ରୀଷ୍ମପ୍ରବାହର ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏଥିଯୋଗୁଁ ଅପରିପକ୍ବ ଶିଶୁ ଜନ୍ମ ହାର ବଢ଼ିବା ସହ ନବଜାତମାନଙ୍କର ଓଜନ ମଧ୍ୟ ସ୍ବାଭାବିକ ଠାରୁ ଯଥେଷ୍ଟ କମ୍‌ ରହୁଛି।