ନୂଆଦିଲ୍ଲୀ: କେମିତି ଦିଆଯାଏ ଫାଶୀ? ଫାଶୀ ପୂର୍ବରୁ କ’ଣ ହୁଏ? ଫାଶୀ ପରେ କଣ ହୁଏ? ଫାଶୀ ଦିଆଯାଉଥିବା କୋଠରୀରେ କ’ଣ କରାଯାଏ? ଫାଶୀ ଦେଲାବେଳେ କିଏ କିଏ ସାକ୍ଷୀ ରହନ୍ତି? ଏକାଥରେ ୪ ଜଣଙ୍କୁ କେବେ ଫାଶୀ ହୋଇଛି କି ? ଏମିତି ଅନେକ ପ୍ରଶ୍ନ ଏବେ ସାରା ଦେଶରେ ଉଙ୍କି ମାରୁଛି। ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ମୃତ୍ୟୁଦଣ୍ଡର ଶୁଣାଣି ଆସନ୍ତା ୧୮କୁ ଘୁଞ୍ଚିଯିବା ପରେ ଦୋଷୀଙ୍କ ଫାଶୀ ପ୍ରକିୟାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଲିଭର ଟଣା ହେବ, କାଠ ପଟା ଗଳିପଡ଼ିବ, ବେକରେ ଛନ୍ଦି ହୋଇଯିବ ଫାଶୀ ଦଉଡ଼ି ଆଉ ତା’ପରେ ଫାଶୀ ଖୁଣ୍ଟରେ ଝୁଲିବ ପୂରା ଶରୀର। ପାଦ ମାଟିରେ ଲାଗିବନି କି ପାଦ ତଳେ କିଛି ନଥିବ। ସମ୍ପୂର୍ଣ୍ଣ ଶୂନ୍ୟରେ ଝୁଲିବ ଦୋଷୀର ମୃତଦେହ। କ’ଣ ଏହାକୁ କୁହାଯାଏ ଫାଶୀ? କ’ଣ ଏମିତି ଦିଆଯାଏ ଫାଶୀଦଣ୍ଡ?
ତେବେ ଫାଶୀ ଖୁଣ୍ଟରେ ଝୁଲିବା ଏତେ ସହଜ ହୋଇ ନ ଥାଏ। ଜେଲରେ ଅପରାଧୀକୁ ଫାଶୀ ଦେବା ପୂର୍ବରୁ ଜେଲ କର୍ମଚାରୀ ଅନେକ କସରତ କରନ୍ତି। ଜେଲ ମାନୁଆଲ, ମାନବିକ ଅଧିକାର ଓ ଆଇନ କାନୁନକୁ ଦେଖି ପ୍ରସ୍ତୁତ ହୁଏ ଫାଶୀ ଦେବାର ନୀଳ ନକ୍ସା। ଏଥିପାଇଁ ତିନି ଚାରିଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ ହୋଇଯାଏ। କଏଦୀର ଉଚ୍ଚତା ଏବଂ ଓଜନକୁ ଦେଖି ସଜଡ଼ା ହୁଏ ମୃତ୍ୟୁର ଖୁଣ୍ଟ। ଫାଶୀ ଦେବାକୁ ଥିବା ଦଉଡ଼ିରେ ସାଧାରଣତଃ ତିନିଟି ଗଣ୍ଠି ଥାଏ। ହେଲେ ଅପରାଧୀର ଓଜନ ଅଧିକ ଥିଲେ ଏହି ଗଣ୍ଠି ସଂଖ୍ୟା ବଢାଇଦିଆଯାଏ। ଶୀଘ୍ର ଅପରାଧୀର ଜୀବନ ଚାଲିଯିବା ପାଇଁ ଫାଶୀ ଖୁଣ୍ଟର ଉଚ୍ଚତା ବଢାଯାଇଥାଏ।
ଖାଲି ଖୁଣ୍ଟ ନୁହେଁ, ଫାଶୀ ଦେବା ପୂର୍ବରୁ ଦଉଡ଼ିର ମାନ ବି ଯାଞ୍ଚ ହୁଏ। କାରଣ ସାମାନ୍ୟ ଭୁଲ ହେଲେ ଅପରାଧୀର ମୁଣ୍ଡ ଓ ଶରୀର ଅଲଗା ହେବାର ଆଶଙ୍କା ରହିଥାଏ। ଏଣୁ ବେଶ ସତର୍କତା ଆପଣାଇ ଥାଆନ୍ତି ଜେଲ କର୍ତ୍ତୃପକ୍ଷ । ସେପଟେ ବ୍ଳାକ ୱାରେଂଟ ମିଳିବା ପରେ କାଳ କୋଠରୀକୁ ଦୋଷୀର ଯାତ୍ରା ଆରମ୍ଭ ହୋଇଯାଏ। ଜେଲରେ ସାଧାରଣତଃ ଧଳା ପାଇଜାମା ପିନ୍ଧୁଥିବା ଅପରାଧୀ ପାଇଁ କଟକଣା ଜାରି ହୋଇଯାଏ। ମୃତ୍ୟୁର ପରୱାନା ଧରାଇ ଅପରାଧୀକୁ ମୃତ୍ୟୁର କୋଠରୀକୁ ସ୍ଥାନାନ୍ତର କରାଯାଏ। ମୃତ୍ୟୁର କୋଠରୀରେ ଦିନ ରାତି ସୁରକ୍ଷାକର୍ମୀ କଏଦୀକୁ ଜଗି ରୁହନ୍ତି। ଏମିତିକି ୨୪ଘଂଟିଆ ସିସିଟିଭି ନଜରରେ ରହନ୍ତି ଅପରାଧୀ।
ଫାଶୀ ପାଇବାକୁ ଥିବା ଅପରାଧୀ ମୃତ୍ୟୁର କୋଠରୀରେ ପହଁଚିବା ପରେ ପ୍ୟାଣ୍ଟର ଡ଼ୋର ବାନ୍ଧିବାର ବି ଅନୁମତି ନଥାଏ। କାରଣ ଡ଼ୋର ସାହାଯ୍ୟରେ ଅପରାଧୀ ଜେଲରେ ଆତ୍ମହତ୍ୟା କରିପାରେ। ଏଣୁ ମୃତ୍ୟୁ ପୂର୍ବରୁ ଯେଭଳି କୈାଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଅନେକ କଟକଣା ଜାରି ହୁଏ। ମୃତ୍ୟୁର ପରୱାନା ଦେବା ଠାରୁ ଫାଶୀ ଖୁଣ୍ଟରେ ଝୁଲିବା ପର୍ଯ୍ୟନ୍ତ ଅପରାଧୀକୁ ୧୪ଦିନ ସମୟ ଦିଆଯାଏ। ଶେଷ ଇଚ୍ଛା ପୁରଣ ସହ ପରିବାର ଲୋକଙ୍କୁ ଭେଟିବା, ସବୁ କିଛି ଏହି ସମୟ ଭିତରେ ହିଁ କରାଯାଏ।
ଫାଶୀ ପାଇବା ଦିନ ଭୋର ସମୟରେ ଦୋଷୀକୁ ଉଠାଇ ଦିଆଯାଏ। ଚା’ ସହ ଜଳଖିଆ ବି ଦିଆଯାଏ। ଆଉ ବଦଳି ଯାଏ ଦୋଷୀର ପରିଧାନ। ଧଳା ପାଇଜାମା ବଦଳରେ କଳା ପୋଷାକ ଅପରାଧୀକୁ ପିନ୍ଧାଇ ଦିଅନ୍ତି ଜେଲ କର୍ମଚାରୀ। ହାତକୁ ପଛପଟୁ ବାନ୍ଧି ଦିଆଯାଇଥାଏ। ଆଉ ଫାଶୀ ଖୁଂଟ ଆଡ଼କୁ ଟଣାହୁଏ। ଫାଶୀ ଦେବା ପୂର୍ବରୁ ଦୋଷୀର ହାତ ସହ ଗୋଡ଼ ବି ବାନ୍ଧି ଦିଆଯାଏ। ମୁହଁରେ କଳାପଟି ବାନ୍ଧିବା ପରେ ଅପରାଧୀଙ୍କୁ ଫାଶୀ ଖୁଂଟରେ ଝୁଲାଇଦିଆଯାଏ।
ତେବେ ଯେଉଁ ଜେଲରେ ଫାଶୀ ଦିଆଯାଏ ସେଦିନ ସେହି ଜେଲର ପୂରା କାମ ବନ୍ଦ ରହେ। ଫାଶୀ ଦେବା ବେଳେ କେହି ବି କଥାବାର୍ତ୍ତା କରନ୍ତି ନାହିଁ। ସବୁ କାମ ବନ୍ଦ କରାଯାଏ। ସବୁଦିନ ପାଇଁ ଅପରାଧୀର କଳା କାହାଣୀ ଶେଷ କରିବା ପରେ ପୂର୍ବଭଳି ଆରମ୍ଭ ହୁଏ ଜେଲର କାର୍ଯ୍ୟ।