କୋଭିଡ୍‌-୧୯ ଟିକା ପ୍ରସ୍ତୁତିରେ କିଏ କେତେ ବାଟରେ…ପଢ଼ନ୍ତୁ ପୂରା ସୂଚନା

ନୂଆଦିଲ୍ଲୀ:  ମହାମାରୀ କୋଭିଡ୍‌-୧୯ର ଅନିୟନ୍ତ୍ରିତ ଉପଦ୍ରବ ଜାରି ରହିଥିବା ବେଳେ ଭାରତରେ ଆକ୍ତାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଛୁଇଁବାକୁ ଯାଉଛି। ପରିସ୍ଥିତିର ମୁକାବିଲା ପାଇଁ ଉନ୍ନତ ଟିକାଟିଏ ବିକାଶ କରିବା ଲାଗି ବିଭିନ୍ନ ଭେଷଜ କମ୍ପାନି, ପ୍ରତିଷ୍ଠାନ ଏବଂ ସ୍ବେଚ୍ଛାସେବୀ ସଂସ୍ଥା ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ଯାହାକି ଆଗରୁ କେବେ ଦେଖାଯାଇନଥିଲା। ଫଳସ୍ବରୂପ କରୋନାଭୂତାଣୁ ଆବିର୍ଭାବ ହେବାର ମାତ୍ର ଛଅ ମାସ ଭିତରେ ୧୪୦ ପାଖାପାଖି କୋଭିଡ୍‌ ଟିକାର ବିକାଶ ପ୍ରକ୍ରିୟା ବିଭିନ୍ନ ସ୍ତରରେ ଜାରି ରହିଛି। ତେବେ ସେଥି ମଧ୍ୟରୁ ୨୩ ପ୍ରକାର ଟିକାର ଫଳପ୍ରଦତା ପରଖିବା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଚାଲୁ ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସୂଚନା ଦେଇଛି। ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ୨୩ ଟି ଟିକା ମଧ୍ୟରୁ ପରୀକ୍ଷାମୂଳକ ଭାବେ ଦୁଇଟି ଭାରତ ନିର୍ମିତ ଏବଂ ଦୁଇଟି ଅନ୍ତର୍ଜାତୀୟ କମ୍ପାନି ଦ୍ବାରା ପ୍ରସ୍ତୁତ ଟିକା ହିଁ ଏହି ଦୌଡ଼ର ଆଗରେ ରହିଥିବା ଜଣାଯାଇଛି।

firstpost.com

ଆମେରିକୀୟ କମ୍ପାନି ମଡର୍ଣ୍ଣାର ଏମ୍‌ଆର୍ଏନ୍‌ଏ ଟିକା
ଆମେରିକୀୟ କମ୍ପାନି ମଡର୍ଣ୍ଣା ହିଁ ପ୍ରଥମେ ମାତ୍ର ୪୨ ଦିନରେ ଏହାର ଏମ୍‌ଆର୍ଏନ୍‌ଏ-୧୨୭୩ ନାମକ ଟିକା ପ୍ରସ୍ତୁତ କରି ନୈଦାନିକ ପରୀକ୍ଷଣ ପାଇଁ ପଠାଇଥିଲା। ଏହା ହିଁ ପଶୁଙ୍କ ଠାରେ ପ୍ରାକ୍ ନୈଦାନିକ ପରୀକ୍ଷଣ ଓ ମାନବିକ ପରୀକ୍ଷଣ ପାଇଁ ଉପଲବ୍ଧ ପ୍ରଥମ ଟିକାର ମାନ୍ୟତା ରଖିଛି। ଜୁଲାଇ ଶେଷ ଆଡ଼କୁ ହିଁ ଏହାର ଚୂଡ଼ାନ୍ତ ତଥା ବିକ୍ଷିପ୍ତ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ଆରମ୍ଭ ହେବ। ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ୧୮ରୁ ୫୫ ବର୍ଷ ବୟସର ୪୫ ଜଣ ସୁସ୍ଥ ସ୍ବେଚ୍ଛାସେବୀ ସାମିଲ ହୋଇଥିବା ବେଳେ ତାହାର ଆଶାନୁରୂପ ଫଳାଫଳ ଭିତ୍ତିରେ ଚୂଡ଼ାନ୍ତ ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ୩୦ ହଜାର ସ୍ବେଚ୍ଛାସେବୀ ସାମିଲ ହେବାକୁ ଧାର୍ଯ୍ୟଲକ୍ଷ୍ୟ ରଖାଯାଇଛି।

ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଆଷ୍ଟ୍ରାଜେନେକା ଟିକା
ସେହିପରି ଭେଷଜ କମ୍ପାନି ଆଷ୍ଟ୍ରାଜେନେକା ସହ ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟ ବିକଶିତ କରିଥିବା ସିଏଚ୍‌ଏଡିଓଏକ୍ସ୧ ନାମକ ଟିକା ମଧ୍ୟ ଅନୁରୂପ ଭାବେ ଗୁରୁତ୍ବପୂର୍ଣ୍ଣ ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ପହଞ୍ଚିଛି। ବିଶ୍ବବ୍ୟାପୀ ସୁଗମ ଯୋଗାଣ ପାଇଁ ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସହଭାଗୀ ଥିବା ଉକ୍ତ ଟିକାର ପ୍ରଥମ ଦୁଇ ପର୍ଯ୍ୟାୟ ମାନବୀୟ ଫଳାପଳର ବିଶଦ ବିବରଣୀ ପ୍ରଘଟ ହୋଇନଥିଲେ ହେଁ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍‌ରେ ଏହାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରହିଛି।

 

firstpost.com

ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଟିକା
ହାଇଦ୍ରାବାଦ ସ୍ଥିତ ଭାରତୀୟ ଭେଷଜ କମ୍ପାନି ଭାରତ ବାୟୋଟେକ୍‌ ଇଣ୍ଟରନାସନାଲ୍‌ ଲି. ଦ୍ବାରା ନିଜସ୍ବ ଜ୍ଞାନକୌଶଳରେ ବିକଶିତ କୋଭାକ୍ସିନ୍‌ ନାମକ ଟିକାର ପ୍ରଥମ ପର୍ଯ୍ୟାୟ ମାନବ ଶରୀରରେ ନୈଦାନିକ ପରୀକ୍ଷଣ ଗତ ୧୫ ତାରିଖରୁ ବିହାରର ପାଟନା ସ୍ଥିତ ଅଖିଳ ଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ(ଏମ୍‌ସ)ରେ ଆରମ୍ଭ ହୋଇଛି। ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍) ଏବଂ ପୁଣେ ସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନ(ଏନ୍‌ଆଇଭି)ର ମିଳିତ ସହଯୋଗରେ ବିକଶିତ ଏହି ଟିକାର ମାନବୀୟ ପରୀକ୍ଷଣ ଜାରି ରହିଛି। ଏହାର ନୈଦାନିକ ପରୀକ୍ଷଣ ପାଇଁ ପାଟନା ଏମ୍‌ସ ସମେତ ଦେଶର ୧୨ଟି ଭେଷଜ ଅନୁଷ୍ଠାନକୁ ବଛାଯାଇଛି।

ଜାଇଡସ୍‌-କାଡ଼ିଲାର ଜାଇକୋଭ୍-ଡି ଟିକା
ଦେଶର ଅନ୍ୟତମ ପ୍ରମୁଖ ଔଷଧ ନିର୍ମାତା କମ୍ପାନି ଜାଇଡସ୍‌ କାଡ଼ିଲା ଦ୍ବାରା ବିକଶିତ କୋଭିଡ୍‌ ଟିକା ‘ଜାଇକୋଭ୍-ଡି’ର ମାନବ ଶରୀରରେ ନୈଦାନିକ ପରୀକ୍ଷଣ ଆରମ୍ଭ ହୋଇଛି। ଭାରତର ବିଭିନ୍ନ ସ୍ଥାନରେ ଏହାର ଭିନ୍ନ ଭିନ୍ନ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଏକ ହଜାରରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯିବାକୁ ଧାର୍ଯ୍ୟ ରଖାଯାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ପଶୁଙ୍କ ଠାରେ ପ୍ରାକ୍ ନୈଦାନିକ ପରୀକ୍ଷଣରେ ଏହା ଉତ୍ତମ ରୋଗପ୍ରତିରୋଧକ, ସହନଶୀଳ ଏବଂ ନିରାପଦ ପ୍ରମାଣିତ ହୋଇଥିବାରୁ କମ୍ପାନି ମାନବୀୟ ପରୀକ୍ଷଣ ପାଇଁ ତତ୍ପର ହୋଇପଡ଼ିଛି।

ରୁଷ୍ ପ୍ରତିରକ୍ଷା ବିଭାଗର ଅଘୋଷିତ ଟିକା
ରୁଷ୍‌ର ପ୍ରତିରକ୍ଷା ବିଭାଗ ମହାମାରୀ କରୋନାଭୂତାଣୁ ସାର୍ସ-କୋଭ୍-୨ର ଉପଦ୍ରବକୁ ପ୍ରତିହତ କରିବା ଲାଗି ଏକ ସଫଳ ଟିକା ବିକଶିତ କରିପାରିଛି ବୋଲି ଗତ ରବିବାର ଦାବି କରିଛି। ଦେଶର

ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଦ୍ବାରା ପ୍ରସ୍ତୁତ ଉକ୍ତ ଟିକାର ନୈଦାନିକ ପରୀକ୍ଷଣ ସଫଳତାର ସହ ସଂପନ୍ନ ହୋଇଛି ବୋଲି ରୁଷିଆର ସେଚେନୋଭ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। କୌଣସି ନାମ ଘୋଷିତ ହୋଇନଥିବା ଉକ୍ତ ଟିକାର ସ୍ବେଚ୍ଛାସେବୀଙ୍କଠାରେ ବ୍ୟାବହାରିକ ପରୀକ୍ଷା ନିରୀକ୍ଷା ଆଶାନୁରୂପ ସଫଳତା ଆଣିଛି ବୋଲି ବିଶ୍ବବିଦ୍ୟାଳୟର ମୁଖ୍ୟ ଗବେଷକ କହିଛନ୍ତି। ଏପରିକି ସାର୍ବଜନୀନ ବ୍ବବହାର ପାଇଁ ଏହା ବିଶ୍ବର ପ୍ରଥମ ଟିକା ଭାବେ ଅଗଷ୍ଟ ମାସରେ ଆତ୍ମପ୍ରକାଶ କରିବ ବୋଲି କୁହାଯାଇଛି।

The Financial Express

ଚୀନ୍‌ ସିନୋଭାକ୍‌ କମ୍ପାନିର କରୋନାଭାକ୍‌ ଟିକା
ଚୀନ୍‌ର ପ୍ରମୁଖ ଔଷଧ କମ୍ପାନି ସିନୋଭାକ୍ ବାୟୋଟେକ୍‌ ପକ୍ଷରୁ ମଧ୍ୟ ପ୍ରସ୍ତୁତ କରୋନାଭାକ୍‌ ନାମକ ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଶେଷ ହୋଇଥିବା ଜଣାଯାଇଛି। ଏଥିରେ ଭାଗ ନେଇଥିବା ୬୦୦ ଜଣ ସ୍ବେଚ୍ଛାସେବୀଙ୍କ ମଧ୍ୟରୁ ୯୦ ପ୍ରତିଶତ ଆଶାନୁରୂପ ରୋଗପ୍ରତିରୋଧକ ପ୍ରତିକ୍ରିୟା ପ୍ରଦର୍ଶନ କରିଥିବା କୁହାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣର ସବିଶେଷ ତଥ୍ୟ ହସ୍ତଗତ ହୋଇନଥିବଲେ ବି କମ୍ପାନି ପ୍ରାପ୍ତ ଫଳାଫଳକୁ ଭିତ୍ତି କରି ଏହାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ବ୍ରାଜିଲରେ କରିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର