ନୂଆଦିଲ୍ଲୀ: କେରଳ, ହିମାଚଳ ପ୍ରଦେଶ, ପୁଦ୍ଦୁଚେରୀ ଏବଂ ତାମିଲନାଡୁରେ ଥିବା ଦୁଇ ପ୍ରକାରର ବାଦୁଡ଼ି ପ୍ରଜାତି ଶରୀରରେ ‘ବାଦୁଡ଼ି କରୋନାଭାଇରସ୍’ ଥିବା କଥା ‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ ଚିହ୍ନଟ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ, ଏହି ବାଦୁଡ଼ି କରୋନାଭାଇରସ୍ ମାନବ ଦେହରେ ରୋଗ ସୃଷ୍ଟି କରୁଥିବାର କୌଣସି ପ୍ରମାଣ ନାହିଁ ବୋଲି ‘ଆଇସିଏମ୍ଆର୍’ ଏକ ଅଧ୍ୟୟନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି।
‘ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍’ ରିସର୍ଚରେ ପ୍ରକାଶିତ ଏହି ଅଧ୍ୟୟନରେ ଉଲ୍ଲେଖ ଅଛି ଯେ ବାଦୁଡ଼ିମାନଙ୍କୁ ଅନେକ ଭୂତାଣୁଙ୍କର ଭଣ୍ଡାର ବୋଲି ବିବେଚନା କରାଯାଏ। ସେ ଭୂତାଣୁମାନଙ୍କ ମଧ୍ୟରୁ ଅନେକ ମାନବ ଶରୀରରେ ରୋଗ ସୃଷ୍ଟି କରିପାରନ୍ତି। ଅତୀତରେ ଭାରତରେ ନିପା ଭାଇରସ୍ର ବାହକ ବାଦୁଡ଼ି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଜୀବ ବିଜ୍ଞାନ ଭାଷାରେ ଏହି ବାଦୁଡ଼ିର ନାଁ ଟେରୋପସ୍ ବା ଉଡ଼ନ୍ତା କୋକୀଶିଆଳି। ସମ୍ପ୍ରତି ପ୍ରକଟ ହୋଇଥିବା ନୂତନ କରୋନାଭାଇରସରେ ବାଦୁଡ଼ି ସହ ସମ୍ପର୍କ ଥିବା କଥା ସନ୍ଦେହ ହେଉଛି।
ଅଧ୍ୟୟନ ଅନୁସାରେ, ବାଦୁଡ଼ିମାନଙ୍କୁ ‘ମିଷ୍ଟ୍ ନେଟ୍’ (ଚଢ଼େଇ ଆଦି ଧରିବା ଜାଲ) ଦ୍ବାରା କାବୁ କରାଯାଇ ‘ଆଇସୋଫ୍ଲୁରେନ୍’ ନିଶ୍ଚେତକ ପ୍ରୟୋଗ କରାଯାଇଥିଲା। ଏହାପରେ କତେଗୁଡ଼ିଏ ଭାଇରସ୍ ଟ୍ରାନ୍ସ୍ପୋର୍ଟ ମିଡିୟମ୍ରେ ସେମାନଙ୍କ ତଣ୍ଟି ଓ ମଳଦ୍ବାରରୁ ସ୍ବାବ୍ ସଂଗ୍ରହ କରାଯାଇଥିଲା। ସେଗୁଡ଼ିକୁ ଶୁଷ୍କ ବରଫରେ (କଠିନ କାର୍ବନ୍ ଡାଇଅକ୍ସାଇଡ୍) ରଖି ପୁଣେସ୍ଥିତ ଆଇସିଏମ୍ଆର୍-ଏନ୍ଆଇଭିକୁ ପଠାଯାଇଥିଲା।
୨୦୧୮-୧୯ ମସିହାରେ କେରଳ, କର୍ଣ୍ଣାଟକ, ଚଣ୍ଡିଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ଓଡ଼ିଶା, ପୁଦ୍ଦୁଚେରୀ, ପଞ୍ଜାବ, ତାମିଲନାଡୁ ଏବଂ ତେଲେଙ୍ଗାନାରୁ ଉଡ଼ନ୍ତା କୋକୀଶିଆଳି କୁହାଯାଉଥିବା ବାଦୁଡ଼ିମାନଙ୍କର ନମୁନା ସଂଗ୍ରହ କରାଯାଇଥିବା ବେଳେ କେରଳ, କର୍ଣ୍ଣାଟକ, ଚଣ୍ଡିଗଡ଼, ଗୁଜରାଟ, ଓଡ଼ିଶା, ପଞ୍ଜାବ ଏବଂ ତେଲେଙ୍ଗାନାରୁ ରୋସେଟସ୍ ବା ଫଳଭୋଜୀ ବାଦୁଡ଼ିମାନଙ୍କର ନମୁନା ସଂଗ୍ରହ କରାଯାଇଥିଲା।
ଏମାନଙ୍କ ଶରୀରରେ ଥିବା ବାଦୁଡ଼ି କରୋନାଭାଇରସ୍ କୋଭିଡ୍-୧୯ ସୃଷ୍ଟି କରୁଥିବା ନୂତନ କରୋନାଭାଇରସ୍ ପରି ନୁହନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି।