ଉପସ୍ଥାପନା: ପ୍ରଦୀପ କୁମାର ରାୟ
ଗ୍ରୀସ୍ରେ ନାରୀମାନଙ୍କର ମେଡିସିନ୍ ବା ଡାକ୍ତରୀ ପାଠ ଅଧ୍ୟୟନ କରିବା ନିଷିଦ୍ଧ ଥିଲା। ଖ୍ରୀଷ୍ଟପୂର୍ବାଦ୍ଧ ୩୦୦ ବର୍ଷରେ ଜନ୍ମଗ୍ରହଣ କରିଥିବା ଆଗ୍ନୋଡିସ୍ ନିଜର କେଶ କାଟିଦେଇ ପୁରୁଷ ବେଶରେ ଆଲେକଜାଣ୍ଡ୍ରିଆ ମେଡିକାଲ୍ ସ୍କୁଲରେ ନାମ ଲେଖାଇଥିଲେ। ଡାକ୍ତରୀ ଶିକ୍ଷା ସମାପ୍ତ କରିସାରିବା ପରେ ଦିନେ ଏଥେନ୍ସର ରାସ୍ତାରେ ଚାଲୁ ଚାଲୁ ପ୍ରସବ ଯନ୍ତ୍ରଣାରେ କାତର ଜଣେ ନାରୀଙ୍କର କାନ୍ଦଣା ଶୁଣିବାକୁ ପାଇଲେ। ସେ ସଙ୍ଗେ ସଙ୍ଗେ ସେହି ନାରୀଙ୍କ ପାଖରେ ଉପସ୍ଥିତ ହୋଇ ସାହାଯ୍ୟ କରିବାକୁ ଚାହିଲେ। କିନ୍ତୁ ନାରୀ ଜଣକ ପ୍ରବଳ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ କୌଣସି ପୁରୁଷ ଡାକ୍ତରଙ୍କ ସହାୟତାରେ ପ୍ରସବ କରାଇବାକୁ ଆଦୌ ସମ୍ମତ ନଥିଲେ। ଶେଷରେ ଆଗ୍ନୋଡିସ୍ଙ୍କୁ ନିଜର ପରିଧାନ ଖୋଲି ପ୍ରମାଣ କରିବାକୁ ପଡ଼ିଥିଲା ଯେ ସେ ଜଣେ ନାରୀ ବୋଲି। ତା’ପରେ ସେହି ନାରୀ ତାଙ୍କୁ ପ୍ରସବ କରାଇବା ପାଇଁ ଅନୁମତି ଦେଇଥିଲେ।
ଏହି ଘଟଣା ବଣର ନିଆଁ ପରି ନାରୀ ମହଲରେ ପ୍ରଚାରିତ ହୋଇଗଲା ଏବଂ ତା’ପରେ ସମସ୍ତ ଅସୁସ୍ଥ ନାରୀ ଚିକିତ୍ସା ପାଇଁ ଆଗ୍ନୋଡିସ୍ଙ୍କ ପାଖକୁ ଯିବା ଆରମ୍ଭ କରିଦେଇଥିଲେ। ପୁରୁଷ ଚିକିତ୍ସକମାନେ ଈର୍ଷାନ୍ବିତ ହୋଇ ଆଗ୍ନୋଡିସ୍ଙ୍କୁ ଅଭିଯୁକ୍ତ କରି କହିଥିଲେ, ପୁରୁଷ ହୋଇ ସେ ନାରୀମାନଙ୍କୁ ପ୍ରଲୁବ୍ଧ କରିବା ପାଇଁ ଚେଷ୍ଟା କରୁଛନ୍ତି। ବିଚାର ସମୟରେ ନିଜକୁ ନାରୀ ବୋଲି ପ୍ରମାଣିତ କରିବା ପାଇଁ ଦ୍ବିତୀୟଥର ଆଗ୍ନୋଡିସ୍ଙ୍କୁ ଅଦାଲତରେ ଛିଡ଼ା ହୋଇ ପରିଧାନ ଖୋଲିବାକୁ ପଡ଼ିଥିଲା। ଆଗ୍ନୋଡିସ୍ ନିଜକୁ ନାରୀ ବୋଲି ପ୍ରମାଣିତ କରିଥିଲେ ମଧ୍ୟ ଜଣେ ନାରୀ ହୋଇ ମେଡିସିନ୍ ଅଧ୍ୟୟନ କରିଥିବାରୁ ଏବଂ ଚିକିତ୍ସାଶାସ୍ତ୍ର ଅନୁଶୀଳନ କରିଥିବାରୁ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା।
ଆଗ୍ନୋଡିସ୍ଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିବାରୁ ଏଥେନ୍ସରେ ନାରୀମାନେ ପ୍ରବଳ ବିଦ୍ରୋହ ଆରମ୍ଭ କରି ଦେଇଥିଲେ। ଯେଉଁ ବିଚାରକମାନେ ଆଗ୍ନୋଡିସ୍ଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ, ସେହି ବିଚାରକମାନଙ୍କର ସ୍ତ୍ରୀମାନେ ଏହି ବିଦ୍ରୋହର ନେତୃତ୍ବ ନେଇଥିଲେ। ସେମାନେ କହିଥିଲେ ଯେ ଯଦି ଆଗ୍ନୋଡିସ୍ଙ୍କ ମୃତ୍ୟୁଦଣ୍ଡକୁ କାଏମ୍ ରଖାଯାଏ ତେବେ ସେମାନଙ୍କୁ ମଧ୍ୟ ଆଗ୍ନୋଡିସ୍ଙ୍କ ସହିତ ମୃତ୍ୟୁଦଣ୍ଡ ଦେବାକୁ ପଡ଼ିବ। ଏଭଳି ବିଚିତ୍ର ବିଦ୍ରୋହ ଫଳରେ ବିଚାରକଗଣ ବାଧ୍ୟହୋଇ ଆଗ୍ନୋଡିସ୍ଙ୍କ ମୃତ୍ୟୁଦଣ୍ଡ ଆଦେଶକୁ ଫେରାଇ ନେଇଥିଲେ। ଏହି ବିଦ୍ରୋହ ଫଳରେ ନାରୀମାନଙ୍କୁ ଚିକିତ୍ସାଶାସ୍ତ୍ର ଅଧ୍ୟୟନ ଓ ଅନୁଶୀଳନର ଅନୁମତି ପ୍ରଦାନ କରାଯାଇଥିଲା, ତେବେ ସର୍ତ୍ତ ଥିଲା ଯେ ନାରୀ ଚିକିତ୍ସକମାନେ କେବଳ ମାତ୍ର ନାରୀ ରୋଗୀମାନଙ୍କର ଚିକିତ୍ସା କରିପାରିବେ।
ଆଗ୍ନୋଡିସ୍ ପ୍ରଥମ ଗ୍ରୀକ୍ ମହିଳା ଚିକିତ୍ସକ ଓ ସ୍ତ୍ରୀରୋଗ ବିଶେଷଜ୍ଞ ଭାବରେ ଇତିହାସରେ ତାଙ୍କର ସ୍ମୃତି ରଖିଯାଇଛନ୍ତି। ନାରୀମାନଙ୍କ ପାଇଁ ଇତିହାସ ସୃଷ୍ଟି କରିବା କୌଣସି ଯୁଗରେ କୌଣସି ଭାବେ ସହଜ ନଥିଲା। ହିମାଳୟସମ ପ୍ରତିବନ୍ଧକର ପାହାଡ଼କୁ ଟିକେ ଟିକେ କରି ଭାଙ୍ଗି ନାରୀ ଆଜି ପ୍ରତିକ୍ଷେତ୍ରରେ ପୁରୁଷର ସମକକ୍ଷ ହୋଇପାରିଛି। ନାରୀମାନଙ୍କର ବର୍ତ୍ତମାନ ଅବସ୍ଥାନ ଅଜସ୍ର ଆଗ୍ନୋଡିସ୍ଙ୍କ ପରି ସେମାନଙ୍କର ସଙ୍ଘର୍ଷର ଫଳ। ଏହି ଆଲେଖ୍ୟ ସହିତ ପ୍ରଦତ୍ତ ଫଳକଟି ଆଗ୍ନୋଡିସ୍ଙ୍କୁ ଚିତ୍ରିତ କରିବା ପାଇଁ ଇଟାଲୀର ଓଷ୍ଟିୟାରେ ଖନନ କରାଯାଇଥିଲା।