ଡ. ଚିଦାତ୍ମିକାଙ୍କ ପାଇଁ ଜୀବନ ଏକ ମିସନ୍

୨୪ ମାର୍ଚ୍ଚ, ଶୁକ୍ରବାର ‘ସମ୍ବାଦ’ ପରିବାର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ

ଉଦ୍ୟୋଗୀ, ଶିକ୍ଷାବିତ୍, ସାମାଜିକ କର୍ମକର୍ତ୍ତା ସହିତ ଜଣେ ଗର୍ବିତା ମା’ ହେଲେ ଡ. ଚିଦାତ୍ମିକା ଖଟୁଆ। ସେ ସାଧାରଣ ଜୀବନ ଜିଇଁବା ଅପେକ୍ଷା ଉଦ୍ଦେଶ୍ୟପୂର୍ଣ୍ଣ ପ୍ରତିବଦ୍ଧ ଜୀବନ ବଞ୍ଚିବାରେ ବିଶ୍ବାସ କରନ୍ତି। ଜାତି, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଏହି ବିଶ୍ବରେ ସମସ୍ତଙ୍କ ପାଇଁ ସୁଯୋଗ ରହିଛି। ମାତ୍ର ଚିଦାତ୍ମିକା ଭିନ୍ନଧରଣର ମଣିଷ, ଯାହାଙ୍କ ପାଇଁ ଜୀବନ ଏକ ମିସନ। ଭିନ୍ନକ୍ଷମ ବିଶେଷକରି ଦୃଷ୍ଟିବାଧିତଙ୍କୁ ସହାୟକ ଉପକରଣ ପ୍ରଦାନଠାରୁ ଆରମ୍ଭ କରି ଆତ୍ମସୁରକ୍ଷା, ଦକ୍ଷତା ବିକାଶ ଦିଗରେ ତାଙ୍କ କାର୍ଯ୍ୟ ପ୍ରଶଂସନୀୟ। ଆର୍ଯ୍ୟଭଟ୍ଟ ଶିକ୍ଷା ପ୍ରଶିକ୍ଷଣ –ପ୍ରଯୁକ୍ତି ଏବଂ ମ୍ୟାନେଜିଂ ଟ୍ରଷ୍ଟିର ପ୍ରତିଷ୍ଠାତା, ୟୁକେସ୍ଥିତ ଉଚ୍ଚଶିକ୍ଷା ସ୍ବୀକୃତି ପରାମର୍ଶଦାତା ଏବଂ କ୍ଷୁଧାମୁକ୍ତ ଓଡ଼ିଶା ପାଇଁ ଗଠିତ ‘ସୋ ଆମ୍ ଆଇ’ ଫାଉଣ୍ଡେସନ୍‌ର ସହପ୍ରତିଷ୍ଠାତ୍ରୀ ଡ. ଖଟୁଆ ଦୁଃସ୍ଥ ବ୍ୟକ୍ତିଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି।

୨୦୦୮ରୁ ସେ ଓଡ଼ିଶା କସ୍‌ମେଟିକ ସର୍ଜରିର ପରିଚାଳନା ନିର୍ଦେଶିକା ଭାବରେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ଅସ୍ତ୍ରୋପଚାର କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ଶୁଶ୍ରୁତ ହସ୍ପିଟାଲ ଏବଂ ଟ୍ରମା କେୟାରର ନିର୍ଦେଶିକା ପଦରେ ଅବସ୍ଥାପିତ। ଏହା ସହ ସେ ଓଡ଼ିଶାରେ ଚିକିତ୍ସା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଛନ୍ତି।
ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ ଜରିଆରେ ଚିଦାତ୍ମିକା ସକାରାତ୍ମକ ପରିବର୍ତ୍ତନ ଆଣୁଛନ୍ତି। ସ୍ଥାନୀୟ, ରାଜ୍ୟ, ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ସକ୍ରିୟ ହୋଇ କାର୍ଯ୍ୟ କରୁଛନ୍ତି। ଚିଦାତ୍ମିକାଙ୍କ ଅଣଲାଭପ୍ରଦ ସାମାଜିକ ପ୍ରତିଷ୍ଠାନ ‘ସୋ ଆମ୍ ଆଇ’ ୨୦୩୦ ସୁଦ୍ଧା ଏହା ରାଜ୍ୟକୁ କ୍ଷୁଧାମୁକ୍ତ କରିବା ନେଇ ଲକ୍ଷ୍ୟ ରଖିଛି। କ୍ଷୁଧା, କୁ-ପୋଷଣ ବିରୋଧରେ ଲଢ଼େଇ ସହ ବିବାହ, ରେସ୍ତୋରାଁ ଆଦିର ଖାଦ୍ୟ ନଷ୍ଟକୁ ରୋକିବା ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି।

ଓଡ଼ିଶାରେ ଆୟୋଜିତ ଭାରତର ପ୍ରଥମ ଜନଜାତି ସାଂସ୍କୃତିକ ପ୍ରତିଯୋଗିତା ଚିଦାତ୍ମିକାଙ୍କ ମାନସ ସନ୍ତାନ। ଅନୁସୂଚିତ ଜାତି-ଜନଜାତି ବିଭାଗ, ରାଜ୍ୟ ପର୍ଯ୍ୟଟନ ସହଯୋଗରେ ଆୟୋଜିତ ଏହି ସ୍ବତନ୍ତ୍ର ଅଭିଯାନ ଜରିଆରେ ସମୃଦ୍ଧ ଜନଜାତି ସଂସ୍କୃତି ଏବଂ ପରମ୍ପରାର ପ୍ରସାର ସହିତ ଜନଜାତି ମହିଳାଙ୍କୁ ସଶକ୍ତ କରୁଛି। ଏହା ଭାରତୀୟ ଜିକେ କରେଣ୍ଟ ଆଫେୟାର୍ସ ଏବଂ ଗୋଲଡେନ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡରେ ସାମିଲ ହୋଇଛି।

ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଚିଦାତ୍ମିକାଙ୍କୁ ଅନେକ ସମ୍ମାନ ଏବଂ ପୁରସ୍କାର ମିଳିଛି। ଏଥିମଧ୍ୟରେ ରହିଛି ୨୦୧୮ ମସିହାରେ ୟୁନାଇଟେଡ୍ ନେସନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଶ୍ବଶାନ୍ତି ପାଇଁ ଡିଲିଟ୍ ଉପାଧି ଏବଂ ଟୋଙ୍ଗା କିଙ୍ଗଡମ୍‌ର ଟୋଙ୍ଗାଟାପୁରର ସ୍ଥିତ କମନୱେଲ୍ଥ ଭୋକେସନାଲ ବିଶ୍ବବିଦ୍ୟାଳୟ ପକ୍ଷରୁ ୨୦୨୦ ମସିହାରେ ତାଙ୍କୁ ଦର୍ଶନଶାସ୍ତ୍ରରେ ଡକ୍ଟରେଟ୍ (ଜନଜାତି ବିକାଶ) ଉପାଧି। ୨୦୨୦ ମହିଳା ଦିବସରେ ତାଙ୍କୁ ଓଡ଼ିଶା ଓମେନ ଏକ୍ସଲେଣ୍ଟ ସମ୍ମାନ ମିଳିଥିଲା। ୨୦୨୨ରେ ସେ ଆଇଡବ୍ଲୁଇସି ସୁପରଷ୍ଟାର ପୁରସ୍କାର ପାଇଥିଲେ। ଏଥିସହିତ ସର୍ବଭାରତୀୟ ଘରୋଇ ସ୍କୁଲ ଏବଂ ଶିଶୁ ମଙ୍ଗଳ ସଂଘ ସମେତ ଅନେକ ସଙ୍ଗଠନ ତାଙ୍କୁ ସମ୍ମାନିତ କରିଛନ୍ତି।

ସମ୍ବନ୍ଧିତ ଖବର