ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ କଲେଜ ଦିନର କଥା ମନେ ପକାଇଥିଲେ। କ୍ୟାମ୍ପସ୍ରେ ପାଦ ଦେବା କ୍ଷଣି ମାଟିକୁ ପ୍ରଣାମ ଜଣାଇ କହିଲେ, ବିଶ୍ବବିଦ୍ୟାଳୟରେ ପାଦ ଦେଇ ଆଜି ଟିକେ ଭିନ୍ନ ଲାଗିଲା। ବୋଧ ହୁଏ, ଯେଉଁ ବାଟ ଦେଇ ସବୁବେଳେ ଆସୁଥିଲି, ଆଜି ଭିନ୍ନ ବାଟରେ ମୋତେ ଅଣାଗଲା। ଭାବିଲି ଏହା କୌଣସି ନୂଆ ଜାଗା ନୁହେଁ। ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ସମୟରେ ଏଠାକୁ ଦୁଇଥର ଆସିଥିଲି। ଏଠିକି ଆସିବା ପରେ ପ୍ରେକ୍ଷାଳୟର ସୁଗନ୍ଧ ମୋତେ ଟାଣି ଆଣିଲା। ୪୦/୪୨ ବର୍ଷର କାନ୍ଥ ମୂକସାକ୍ଷୀ ହୋଇ ମୋତେ ଆହ୍ବାନ କରୁଛି। ଶ୍ରଦ୍ଧାରେ ପାଛୋଟି ନେଉଛି। କଲେଜ ଦିନର ପ୍ରତ୍ୟେକ ସ୍ମୃତି ମୋର ମନେ ପଡ଼ିଯାଉଛି ବୋଲି ସେ କହିଥିଲେ।
ସେ ଆହୁରି କହିଲେ, ଆମେ ପଢ଼ିବା ସମୟରେ ଡ୍ରେସ୍କୋଡ୍ ନ ଥିଲା। ଆଦିବାସୀ ଛାତ୍ରୀନିବାସରେ ରହୁଥିଲୁ। ସେତେବେଳେ ଏହା ଏକମାତ୍ର ମହିଳା ମହାବିଦ୍ୟାଳୟ ଥିଲା, ଯେଉଁଠି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ଗରିବ ଚାଷୀର ଝିଅ ଏଠାରେ ଏକାଠି ପଢ଼ୁଥିଲେ। ଭେଦଭାବର ବାସ୍ନା ନ ଥିଲା। ପଢ଼ିବା ସମୟରେ ଏଠାକାର କ୍ୟାଣ୍ଟିନ୍ ମହକ ସବୁବେଳେ ମୋତେ ଟାଣୁଥିଲା। ପାଚେରି ପାଖରେ ଛିଡ଼ା ହୋଇ ଠେଲା ଗାଡ଼ିର ଭାଇ ଯେଉଁଠି ଲେମ୍ବୁ କାଟି ଲୁଣ ଓ ଲଙ୍କା ଦେଉଥିଲେ, ତାକୁ ମୁଁ ଅନାଉଥିଲି। କାହିଁକି ନା ସେ ସମୟର ଆର୍ଥିକ ପରିସ୍ଥିତି ସେଭଳି ସ୍ବଚ୍ଛଳ ନ ଥିଲା। କେତେବେଳେ ଯଦି କଲେଜ ପାଖରେ ୨୫ପଇସାରେ ବାଦାମ ମିଳିଗଲେ, ତାହା ମୋ ପାଇଁ ବହୁତ କିଛି ଥିଲା।
ମୟୂରଭଞ୍ଜର ଏକ ଅଖ୍ୟାତ ଆଦିବାସୀ ଗାଁରୁ ଆସି ଭୁବନେଶ୍ବର ୟୁନିଟ୍-୨ ବାଳିକା ବିଦ୍ୟାଳୟରେ ପାଠ ପଢ଼ିବା ଆରମ୍ଭ କଲି। ବିଦ୍ୟାଳୟ ଶିକ୍ଷା ପରେ ଏଠାରେ ମୋର କଲେଜ ଜୀବନ ୪ ବର୍ଷ କଟିଥିଲା। ସେସମୟର ଅଧ୍ୟାପକ ଅଧ୍ୟାପିକାଙ୍କର ସ୍ନେହଶ୍ରଦ୍ଧା ଅବିସ୍ମରଣୀୟ ହୋଇ ରହିଛି। ଅର୍ଥନୀତି ବିଭାଗ ଅଧ୍ୟାପିକା ଥିଲେ ବୀଣାପାଣି ମହାନ୍ତି। ସେ ଜଣେ ପ୍ରଖ୍ୟାତ କବି, ଲେଖିକା ଓ ଗାଳ୍ପିକା। ଫକୀର ମୋହନ ସେନାପତିଙ୍କ ପରି ତାଙ୍କର ସ୍ମିତହାସ୍ୟ ଥିଲା। ଫକୀରମୋହନଙ୍କ ପରି ଆମକୁ ଏମିତି କହୁଥିଲେ ଯେ ପରବର୍ତ୍ତୀ ସମୟରେ ଆମେ କେବେ ବି ତାଙ୍କ ପାଖକୁ ଆସୁନାହୁଁ। ଶକୁନ୍ତଳା ବଳିୟାରସିଂ ଆମକୁ ଓଡ଼ିଆ ପଢ଼ାଉଥିଲେ। ତାଙ୍କର ସବୁ ଭାଷା, ସାହିତ୍ୟିକ ଜ୍ଞାନ ପ୍ରେରଣା ଦେଉଥିଲା। ମୋ ଜୀବନର ଗତିପଥରେ ଏହି ମହାନ ଶିକ୍ଷାନୁଷ୍ଠାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/president-4-1.jpg)