ଓଡ଼ିଶାରେ ରାଷ୍ଟ୍ରପତି

ସମାଜର ମଙ୍ଗଳ ପାଇଁ କାମ କର: ରାଷ୍ଟ୍ରପତି

ଭୁବନେଶ୍ୱର : ବିଶ୍ୱବାସୀଙ୍କ ଲାଗି ଅନେକ ଆହ୍ଵାନ ସୃଷ୍ଟି ହେଉଛି। ତାହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଗବେଷଣାକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏଥିପାଇଁ ନୂଆ ନୂଆ ସୁଯୋଗ ମଧ୍ୟ ରହିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ହୋଇଥିବା ଯୋଜନାଗୁଡ଼ିକର ଫାଇଦା ଛାତ୍ରଛାତ୍ରୀ ଉଠାନ୍ତୁ। ତାହାର ସଦ୍‌ବିନିଯୋଗ କରି ଶ୍ରେଷ୍ଠତ୍ୱ ପ୍ରତିପାଦନ କରନ୍ତୁ। ଯେଉଁ ଶିକ୍ଷା ଗ୍ରହଣ କରିଛନ୍ତି ତାହାକୁ ସମାଜ, ଦେଶ, ବିଶ୍ୱର ମଙ୍ଗଳ କାର୍ଯ୍ୟରେ ଲଗାଇବାକୁ ଭୁବନେଶ୍ୱର ଆଇଆଇଟିର ଷଷ୍ଠ ସମାବର୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଛନ୍ତି।

ଅରୁଗୁଳସ୍ଥିତ କ୍ୟାମ୍ପସରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି କହିଲେ, ଗତ ମାର୍ଚ୍ଚ ୬ରେ ଦେଶରେ ଥିବା ଆଇଆଇଟି, ଆଇଜର, ଆଇଆଇଏସ୍‌ ନିର୍ଦେଶକମାନଙ୍କ ବୈଠକ ହୋଇଥିଲା। ଏଥିରେ ଶିକ୍ଷାନୁଷ୍ଠାନର ସ୍ଥିତି, ଆହ୍ଵାନ, ଭବିଷ୍ୟତ ରୂପରେଖ ନେଇ ଏଥିରେ ବ୍ୟାପକ ଆଲୋଚନା କରାଯାଇଥିଲା। ଆଇଆଇଟିଗୁଡ଼ିକ ବିଜ୍ଞାନ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ କିଭଳି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିବେ ସେ ଦିଗରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପରାମର୍ଶ ଦେଇଛି। ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଦେଶରେ ପ୍ରତିଷ୍ଠା ହୋଇଥିବା ଆଇଆଇଟିଗୁଡ଼ିକ ଏବେ ବିଭିନ୍ନ କ୍ଷେତ୍ରରେ ଆହ୍ଵାନର ସମ୍ମୁଖୀନ ହେଉଛନ୍ତି। ତାହାର ସମାଧାନ କରିବା ଲାଗି ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ହୋଇଛି। ଶିକ୍ଷା, ଗବେଷଣା, ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଥିଲେ।

ଭୁବନେଶ୍ୱର ଆଇଆଇଟି ସମ୍ପର୍କରେ ମତ ରଖି ଦେଶର ପ୍ରଥମ ନାଗରିକ ଶ୍ରୀ କୋବିନ୍ଦ କହିଲେ ଏଠାରେ ବି.ଟେକ୍‌ ପାଠ୍ୟକ୍ରମରେ ସିଟ୍‌ ସଂଖ୍ୟା ବୃଦ୍ଧିପାଇ ୩୫୦ ସିଟ୍‌ରେ ପହଞ୍ଚିଛି। ଯାହାକି ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଦେଶରେ ପ୍ରତିଷ୍ଠା ହୋଇଥିବା ଆଇଆଇଟିଗୁଡ଼ିକ ମଧ୍ୟରେ ବହୁ ଆଗରେ। ଗତ କିଛି ବର୍ଷ ମଧ୍ୟରେ ଆଇଆଇଟି ପକ୍ଷରୁ ୫ଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିରେ ବଙ୍ଗୋପସାଗର କୋଷ୍ଟାଲ ଅବଜରଭେସନ ପ୍ରକଳ୍ପ ବି ରହିଛି। ଦେଶ ତଥା ବିଶ୍ୱର ପ୍ରମୁଖ କମ୍ପାନିଗୁଡ଼ିକରେ ଏଠାକାର ୮୦% ଛାତ୍ରଛାତ୍ରୀ ନିଯୁକ୍ତି ପାଇବା ଆଉ ଏକ ବଡ଼ ସଫଳତା। ଏବେବି ଭୁବନେଶ୍ୱର ଆଇଆଇଟି ଯୁବ ଅବସ୍ଥାରେ ରହିଛି। ଆହୁରି ବହୁ ବାଟ ଯିବାର ରହିଛି। ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରି ଆଇଆଇଟି ଆଗକୁ ବଢ଼ିବା ଆବଶ୍ୟକ। ଏହି ଶିକ୍ଷାନୁଷ୍ଠାନ ୬ଟି ପୋଷ୍ୟ ଗ୍ରାମ ଗ୍ରହଣ କରିଛି। ସେଠାରେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଓ ଶିକ୍ଷାର ମାନ ବୃଦ୍ଧି ଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।

ପାଇକ ବିଦ୍ରୋହକୁ ମନେ ପକାଇ ରାଷ୍ଟ୍ରପତି କହିଲେ, ୧୮୧୭ରେ ପାଇକ ବିଦ୍ରୋହ ଏଠାରେ ହୋଇଥିଲା, ଯାହାର ନେତୃତ୍ୱ ନେଇଥିଲେ ବକ୍ସି ଜଗବନ୍ଧୁ। ବରୁଣେଇ ପାଦଦେଶରେ ସୃଷ୍ଟି ହୋଇଥିବା ଏହି ସବୁଜିମାମୟ କ୍ୟାମ୍ପସ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ହୋଇପାରିବ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଥିଲେ।

ଦେଶର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ମଞ୍ଚରେ ଉପସ୍ଥିତ ଥିଲେ। ରାଜ୍ୟପାଳ ଏସ୍‌ ସି ଜମିର୍‌ ଏବଂ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଉଚ୍ଚଶିକ୍ଷାର ବିକାଶ ସହ ଗବେଷଣାରେ ଉନ୍ନତି ଆଣିବା ଲାଗି ଆଇଆଇଟି, ଏନ୍‌ଆଇଟି ପରି ଶିକ୍ଷାନୁଷ୍ଠାନଗୁଡ଼ିକୁ ଗତ ୪ ବର୍ଷରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଦିଆଯାଇଛି। ଭୁବନେଶ୍ୱର ଆଇଆଇଟିକୁ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

ଉତ୍ସବରେ ଆଇଆଇଟି ନିର୍ଦେଶକ ପ୍ରଫେସର ଆର.ଭି. ରାଜାକୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ ବୋର୍ଡ ଅଫ୍‌ ଗଭର୍ନରସ୍‌ ଅଧ୍ୟକ୍ଷ ପଙ୍କଜ ରମଣ ଭାଇ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବି.ଟେକ୍‌ ପାଠ୍ୟକ୍ରମର ସ୍କୁଲ ଅଫ୍‌ ଇଲେକ୍‌ଟ୍ରିକାଲ ସାଇନ୍ସର ଛାତ୍ର କମଲ ନାରାୟଣ ରେଡ୍ଡିଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣ ପଦକ, ସ୍କୁଲ ଅଫ୍‌ ୟାର୍ଥ, ଓସେନ୍‌ ଆଣ୍ଡ କ୍ଲାଇମେଟ୍‌ ସାଇନ୍ସର ଏମ୍‌.ଟେକ୍‌ ଛାତ୍ର ରିସର୍ଭ ଗୋଏଲ୍‌ ଓ ଏହି ବିଭାଗର ଏମ୍‌.ଏସ୍‌ସି ଛାତ୍ର ପାର୍ଥସାରଥୀ ଜେନାଙ୍କୁ ନିର୍ଦେଶକ ସ୍ୱର୍ଣ୍ଣ ପଦକ ଏବଂ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପାଠ୍ୟକ୍ରମରେ ଶ୍ରେଷ୍ଠତ୍ୱ ପ୍ରତିପାଦନ ଲାଗି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାଷ୍ଟ୍ରପତି ମୁମ୍ବାଇସ୍ଥିତ ଆଇସିଟି- ଇଣ୍ଡିଆନ୍‌ ଅଏଲ୍‌ ଭୁବନେଶ୍ୱର କ୍ୟାମ୍ପସର ଉଦ୍‌ଘାଟନ ଏବଂ ସ୍କିଲ୍‌ ଡେଭ୍‌ଲପ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ଭୁବନେଶ୍ୱର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିଥିଲେ।

ଶ୍ରୀମନ୍ଦିରର ସ୍ୱଚ୍ଛତା ଓ ଭକ୍ତଙ୍କ ବିଶ୍ରାମ ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ

ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସପତ୍ନିକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କୁ ଗର୍ଭଗୃହରୁ ଦର୍ଶନ କରିବା ସହିତ ରତ୍ନ ସିଂହାସନ ପରିକ୍ରମା କରିଛନ୍ତି। ସେଠାରେ ଦୀପ ଦାନ ସହିତ ମାଳା ଚଢାଇଛନ୍ତି। ଶ୍ରୀମନ୍ଦିର ଭିତରେ ପ୍ରାୟ ୪୫ ମିନିଟ୍‌ ରହି ପାର୍ଶ୍ୱମନ୍ଦିରରେ ଥିବା ଦେବଦେବୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି। ଫେରିବା ବାଟରେ ଶ୍ରୀମନ୍ଦିରର ସ୍ୱଚ୍ଛତା ଓ ଭକ୍ତଙ୍କ ବିଶ୍ରାମ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପରାମର୍ଶ ଦେଇଥିଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ଆଜି ଶ୍ରୀମନ୍ଦିରରେ ଦୁଇଘଣ୍ଟା ଧରି ସକାଳ ୬ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ସକାଳ ୫ଟା ୩୦ରେ ମଙ୍ଗଳ ଆଳତି ଓ ୬.୩୫ରେ ଅବକାଶ ନୀତି ଶେଷ ହୋଇଥିଲା।

ନିର୍ଧାରିତ କାର୍ଯ୍ୟସୂଚୀ ମୁତାବକ, ରାଷ୍ଟ୍ରପତି ସକାଳ ୭ଟା ୩୦ ସୁଦ୍ଧା ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ନିକଟରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରମୁଖ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ସପତ୍ନିକ ଶ୍ରୀମନ୍ଦିରକୁ ଯାଇଥିଲେ। ବାଇଶି ପାହଚ, ଗୁମୁଟ, ସାତ ପାହାଚ, ଗରୁଡସ୍ତମ୍ଭ, ଜୟ ବିଜୟ ଦ୍ଵାର ଦେଇ ଗର୍ଭଗୃହକୁ ଯାଇଥିଲେ। ଗର୍ଭଗୃହରେ ଦୀପଦାନ କରିଥିଲେ। ସିଂହାରୀ ସେବାୟତ ରାଷ୍ଟ୍ରପତିଙ୍କ ହାତରୁ ମାଳ ନେଇ ଠାକୁରଙ୍କୁ ଲାଗି କରିଥିଲେ। ରତ୍ନ ସିଂହାସନ ଚାରିପଟେ ପରିକ୍ରମା କରିଥିଲେ। ମୁକ୍ତି ମଣ୍ଡପ ଆସିଥିଲେ। ପରେ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିଥିଲେ। କୀର୍ତ୍ତନ ଚକଡ଼ା ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ। ଦର୍ଶନ ସାରିିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ପଟ୍ଟଚିତ୍ର ଉପହାର ଦିଆଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପି.କେ ଜେନା ଏହି ଉପହାର ପ୍ରଦାନ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଜେନା ରାଷ୍ଟ୍ରପତିଙ୍କୁ ମହାପ୍ରସାଦ ମଧ୍ୟ ପ୍ରଦାନ କରିଥିଲେ। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ନିର୍ମାଣ କରାଯାଇଥିଲା। ରାଷ୍ଟ୍ରପତି ଦେଶବାସୀଙ୍କ ମଙ୍ଗଳ କାମନା କରିବା ସହିତ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର