ରାଷ୍ଟ୍ରପତିଙ୍କ ଦରମା କ୍ୟାବିନେଟ ସେକ୍ରେଟେରିଙ୍କ ଠାରୁ ବି କମ୍‌

ମୋଦି କ୍ୟାବିନେଟ୍‌ରେ ଅଟକିଛି ବଢ଼ାଇବା ପ୍ରସ୍ତାବ

ନୂଆଦିଲ୍ଲୀ: ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଦରମା ବଢ଼ାଇବା ପାଇଁ କ୍ୟାବିନେଟକୁ ଗତବର୍ଷ ପ୍ରସ୍ତାବ ଦିଆଯାଇଛି। ଗୃହ ମନ୍ତ୍ରାଳୟ ଗତ ବର୍ଷ ମଞ୍ଜୁରି ପାଇଁ କ୍ୟାବିନେଟ୍‌କୁ ପ୍ରସ୍ତାବ ଦେଇଛି। ଅନ୍ୟପକ୍ଷରେ ୨୦୧୬ ଜାନୁଆରିରୁ ସପ୍ତମ ବେତନ କମିଶନ ଲାଗୁହେବା ପରେ କ୍ୟାବିନେଟ ସେକ୍ରେଟେରି ସହିତ ଦେଶବ୍ୟାପୀ କର୍ମଚାରୀଙ୍କ ଦରମା ବୃଦ୍ଧି ଘଟିଛି। କ୍ୟାବିନେଟ ସେକ୍ରେଟେରି ଓ ୩ ସେନା ମୁଖ୍ୟଙ୍କ ସର୍ବାଧିକ ଦରମା ୨.୫୦ଲକ୍ଷ ଟଙ୍କା ପ୍ରତି ମାସ ହୋଇଛି। ଏହା ହେଉଛି ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତିଙ୍କ ଦରମା ଠାରୁ ଅନେକ ଅଧିକ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗୃହ ମନ୍ତ୍ରାଳୟ ପକ୍ଷରୁ କ୍ୟାବିନେଟକୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ବର୍ଷେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମଞ୍ଜୁରି ମିଳି ନାହିଁ। ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତିଙ୍କ ଦରମା ବଢ଼ିଯିବ। ଦରମା ବୃଦ୍ଧି ନହେବାର କାରଣ ସମ୍ପର୍କରେ ମୋଦି ସରକାରଙ୍କ ଜଣେ ମୁଖପାତ୍ର କିଛି କହି ନାହାଁନ୍ତି।

କ୍ୟାବିନେଟକୁ ରାଷ୍ଟ୍ରପତିଙ୍କ ଦରମା ୫ଲକ୍ଷ ଟଙ୍କା ଉପ-ରାଷ୍ଟ୍ରପତିଙ୍କ ଦରମା ୩.୫ଲକ୍ଷ ଓ ରାଜ୍ୟପାଳଙ୍କ ଦରମା ୩ଲକ୍ଷ ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି। ୨୦୦୮ରେ ସଂସଦରେ ବିଧେୟକ ମଞ୍ଜୁରି ହେବା ପରେ ରାଷ୍ଟ୍ରପତିଙ୍କ ଦରମା ୫୦ହଜାରରୁ ବଢ଼ି ୧.୫୦ ଲକ୍ଷ ଟଙ୍କା, ଉପ-ରାଷ୍ଟ୍ରପତିଙ୍କ ଦରମା ୪୦ ହଜାରରୁ ୧.୨୫ଲକ୍ଷ ଟଙ୍କା ଓ ରାଜ୍ୟପାଳଙ୍କ ଦରମା ୩୬ ହଜାରରୁ ୧.୧୦ଲକ୍ଷ ଟଙ୍କା ହୋଇଛି।

ବର୍ତମାନ ରାଷ୍ଟ୍ରପତିଙ୍କ ଦରମା ପ୍ରତି ମାସ ୧.୫୦ ଲକ୍ଷ ଟଙ୍କା, ଉପ-ରାଷ୍ଟ୍ରପତିଙ୍କ ଦରମା ୧.୨୫ ଲକ୍ଷ ଓ ରାଜ୍ୟପାଳମାନଙ୍କ ଦରମା ୧.୧୦ ଲକ୍ଷ ଟଙ୍କା। ରାଷ୍ଟ୍ରପତି ତିନି ସେନା(ଆର୍ମି, ଜଳ, ବାୟୁ) ମୁଖ୍ୟ କମାଣ୍ଡର। କିନ୍ତୁ ତାଙ୍କର ଦରମା ତିନି ସେନା ମୁଖ୍ୟଙ୍କ ଠାରୁ କମ୍‌। ସେନା ମୁଖ୍ୟଙ୍କୁ କ୍ୟାବିନେଟ ସେକ୍ରେଟେରିଙ୍କ ଭଳି ୨.୫୦ଲକ୍ଷ ଟଙ୍କା ଦରମା ମିଳିଥାଏ।

ବର୍ଷ ୨୦୧୬ ଜାନୁଆରିରେ ସପ୍ତମ ବେତନ କମିଶନ ଲାଗୁ ହେବା ପରେ କ୍ୟାବିନେଟ୍‌ ସେକ୍ରେଟେରିଙ୍କ ଦରମା ବୃଦ୍ଧି କରାଯାଇଛି। ଏମାନଙ୍କୁ ମାସିକ ୨.୫୦ ଲକ୍ଷ ଟଙ୍କା ଓ କେନ୍ଦ୍ର ସରକାରଙ୍କ ସେକ୍ରେଟେରିଙ୍କୁ ୨.୨୫ ଲକ୍ଷ ଟଙ୍କା ଦରମା ମିଳୁଛି।

ସମ୍ବନ୍ଧିତ ଖବର