ସେବାୟତଙ୍କୁ ସମ୍ବର୍ଦ୍ଧିତ କଲେ
ମନ୍ଦିରରେ ଦର୍ଶନ ସାରି ରାଷ୍ଟ୍ରପତି ଗରୁଡ଼ ସ୍ତମ୍ଭ ନିକଟରେ ପହଞ୍ଚିବା ପରେ ସେବାୟତମାନଙ୍କ ସହ ଫଟୋ ଉଠାଇଥିଲେ। ଏହାସହ ସେବାୟତମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ସାନ୍ତାଳୀ ନୃତ୍ୟ ଓ ବାଦ୍ୟ ଶୁଣି ପାଖକୁ ଗଲେ
ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଦିବାସୀ (ସାନ୍ତାଳୀ) ନୃତ୍ୟ ଓ ବାଦ୍ୟ ପରିବେଷଣ ହୋଇଥିଲା। ରାଷ୍ଟ୍ରପତି ଦିଅଁ ଦର୍ଶନ ପରେ ନୃତ୍ୟ ଓ ବାଦ୍ୟ ପରିବେଷଣ କରୁଥିବା ଭାଇଭଉଣୀମାନଙ୍କୁ ବ୍ୟାରିକେଡ୍ ବାହାରେ ସାକ୍ଷାତ କରିଥିଲେ।
ଭୋଗ ଦେଲେ ସେବାୟତ
ଗରୁଡ଼ ସ୍ତମ୍ଭ ନିକଟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ବିଶୋଇ ସେବାୟତ ଲିଙ୍ଗରାଜଙ୍କ ପ୍ରିୟ କୋଠଭୋଗ, ମୁଆଁ ଓ କୋରାଖଇ ରାଷ୍ଟ୍ରପତିଙ୍କ ନିମନ୍ତେ ପ୍ରଦାନ କରାଯାଇଥିଲା। ସେହିପରି ସୁଆର ସେବାୟତଙ୍କ ନିକଟରୁ ଗତକାଲି ରାତିରେ ଦିଅଁଙ୍କ ବଡ଼ସିଂହାର ବେଳେ ଲାଗି ହୋଇଥିବା ଆରିଶା, ନାଡି, କାନ୍ତି, ହଂସକେଳି, ସୋଦୁଅ, ଲଡୁ ଆଦି ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଆଜି ଦିନ ୧୧ଟାରେ ଅନନ୍ତ ବାସୁଦେବ ମନ୍ଦିରରୁ ପ୍ରସ୍ତୁତ ଅବଢ଼ା ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି। ଏହା ବିମାନ ଯୋଗେ ରାଷ୍ଟ୍ରପତି ଭବନ ଯିବାକୁ ପ୍ରସ୍ତୁତ ହୋଇଥିଲା ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ କହିଛନ୍ତି।
ବୁକ୍ରେ ଅନୁଭୂତି ଲେଖିଲେ
ମନ୍ଦିର ପରିସର ଦର୍ଶନ ପରେ ଭିଭିଆଇପି ବୁକ୍ରେ ନିଜ ଅନୁଭୂତି ଲେଖିଥିଲେ ରାଷ୍ଟ୍ରପତି। ମନ୍ଦିରର ଶାନ୍ତ ଓ ଆଧ୍ୟାତ୍ମ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରି ସେ ଦିବ୍ୟ ଆନନ୍ଦ ଲାଭ କରିଥିବା ଲେଖିଥିଲେ। ଏଥିସହ ଦେଶବାସୀଙ୍କ ସୁଖ ସମୃଦ୍ଧି ତଥା ବିଶ୍ୱ କଲ୍ୟାଣ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବୋଲି ଲେଖିଥିଲେ।
ବିଜେପି ପକ୍ଷରୁ ସ୍ବାଗତ ସ୍ଲୋଗାନ
ସିଂହଦ୍ବାରଠାରୁ କିଛି ଦୂରରେ ବିଜେପି ନେତା ବାବୁ ସିଂଙ୍କ ନେତୃତ୍ବରେ କିଛି ବିଜେପି କର୍ମୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସ୍ଲୋଗାନ୍ ଦେଇଥିଲେ। ‘ଓଡ଼ିଶା ମାଟିକୁ ଓଡ଼ିଆ ଝିଅଙ୍କୁ ସ୍ବାଗତ’ ସ୍ଲୋଗାନ୍ ଦେଇଥିଲେ।
କୁକୁର ଚାଲି ଆସିଲା
ରାଷ୍ଟ୍ରପତି ଆସିବା ପୂର୍ବରୁ ଏକ କୁକୁର ସିଂହଦ୍ବାର ନିକଟ ପର୍ଯ୍ୟନ୍ତ ଚାଲି ଆସିଥିଲା। ଦୁଇ ଦିନ ହେଲା ଡଗ୍ ସ୍କ୍ବାଡ୍ ବୁଲୁଥିଲେ ହେଁ ରାଷ୍ଟ୍ରପତିଙ୍କ ଦର୍ଶନ ସମୟରେ କୁକୁରଟି ଚାଲି ଆସିବା ସମସ୍ତଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଉପସ୍ଥିତ ପୁଲିସ କର୍ମଚାରୀ କୁକୁରକୁ ଘଉଡ଼ାଇ ଦେଇଥିଲେ।
କୁନି ଝିଅ ହାତରୁ ନେଲେ ଗୋଲାପ
ବିନ୍ଦୁସାଗରରେ ପାଣି ଛିଞ୍ଚନ କରି ମନ୍ଦିରକୁ ଯିବା ବେଳେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କୁନି ଝିଅ କାବ୍ୟା ମାଧୱାନୀ(୭) ପାଖକୁ ଯାଇଥିଲେ ରାଷ୍ଟ୍ରପତି। ତାକୁ ନାଁ ପଚାରିବା ସହ ତା’ ହାତରୁ ଗୋଲାପ ଫୁଲ ନେଇଥିଲେ। ସେହିପରି ଅନ୍ୟ ଏକ କୁନି ଝିଅ ମୁଣ୍ଡରେ ହାତ ରଖିଥିଲେ।