ରାଷ୍ଟ୍ରପତିଙ୍କ ପୁରୀ ଆଗମନର ଅନୁଭୂତି ଅନନ୍ୟ… ଅବର୍ଣ୍ଣନୀୟ..

ପୁରୀ : ଶିଙ୍ଘ ବାଜାରେ ଦୁଲୁକୁଥିଲା ତାଳବଣିଆ ହେଲିପ୍ୟାଡ୍‌ ଅଞ୍ଚଳ। ଆଖି ଖୋସି ହୋଇଯାଉଥିଲା ପାରମ୍ପରିକ ଘୋଡ଼ାନାଚ ଦେଖି। ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ ଉତ୍ସାହରେ ଫାଟି ପଡ଼ିଥିଲା ସ୍ଥାନୀୟ ପରିବେଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବି ନିରାଶ କରିନଥିଲେ। ଅପେକ୍ଷା କରିଥିବା ସ‌ମବେତ ଜନତାଙ୍କ ଉଦ୍ଦେଶ୍ୟରେ ହାତ ହଲାଇ ନିଜର କୃତଜ୍ଞତା ଜଣାଇଥିଲେ। ରାଷ୍ଟ୍ରପତିଙ୍କ ପ୍ରତି ମମତା ଓ ସମ୍ମାନର ଏହି ନିଦର୍ଶନ ଥିଲା ଅନନ୍ୟ ଓ ଅବର୍ଣ୍ଣନୀୟ। ସାଢ଼େ ୪ କୋଟି ଓଡ଼ିଆଙ୍କ ମଧ୍ୟରୁ ରାଜ୍ୟର ଜଣେ ଆଦିବାସୀ ମହିଳା ୧୪୦ କୋଟି ଭାରତୀୟଙ୍କୁ ପ୍ରତିନିଧିତ୍ବ କରିବାର ଗୌରବରେ ମଣ୍ଡିତ ହେଉଥିଲେ ସମସ୍ତେ। ଭାବବିହ୍ବଳ ହୋଇଉଠୁଥିଲେ । ସେମାନଙ୍କ ଶ୍ରଦ୍ଧାପୂର୍ଣ୍ଣ ସ୍ବାଗତ୍‌ ଭିନ୍ନ ଏକ ପରିବେଶ ସୃଷ୍ଟି କରିଥିଲା ବଡ଼ଦାଣ୍ଡରେ। ମହାମହିମ ରାଷ୍ଟ୍ରପତି ଚାଲିଚାଲି ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ଦୃଶ୍ୟ ସମସ୍ତଙ୍କୁ ଯେତିକି ଚମତ୍କୃତ କରିଥିଲା, ପିଲାଙ୍କ ସହ ହାତ ମିଳାଇବା ପାଇଁ ବ୍ୟାରିକେଡ୍‌ ନିକଟକୁ ନିଜେ ଆସିବା ଘଟଣା ସେତିକି ବି ଅଭିଭୂତ କରିଥିଲା।

ଗୋଟିପୁଅ ନୃତ୍ୟ ଦେଖି ମଞ୍ଚ ନିକଟକୁ ଆସିଲେ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ପାଣି, ପବନ, କଳା, ସଂସ୍କୃତିର ଜଣେ ମୁଗ୍ଧ ପ୍ରଶଂସକ। ପୁଣିଥରେ ତାହାର ନିଦର୍ଶନ ଦେଖିବାକୁ ମିଳିଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଯେତେବେଳେ ବଡ଼ଦାଣ୍ଡରେ ଚାଲିଚାଲି ଶ୍ରୀମନ୍ଦିରକୁ ଯାଉଥିଲେ, ମାଉସୀମା’ ମନ୍ଦିର ନିକଟରେ ଆୟୋଜିତ ଗୋଟିପୁଅ ନୃତ୍ୟ ଦେଖି ସେଠାକୁ ସେ ଚାଲି ଆସିଥିଲେ। ସେତେବେଳେ ରାଷ୍ଟ୍ରପତିଙ୍କୁ ସ୍ବାଗତ୍‌ କରିବା ଉଦ୍ଦେଶ୍ୟରେ ପିଲାମାନେ ନୃତ୍ୟ କରୁଥ‌ିଲେ। ରାଷ୍ଟ୍ରପତି ସେମାନଙ୍କୁ ସ୍ବାଗତ୍‌ ଜଣାଇଥିଲେ। ଏଥିସହ, ଜଣେ କୁନିଶିଳ୍ପୀଙ୍କ ସହ କ୍ଷଣିକ ମୁହୂର୍ତ୍ତ ବିତାଇବା ସହ ଫଟୋ ଉଠାଇଥିଲେ। ଏନେଇ କୈଳାସ ଗୋଟିପୁଅ ନୃତ୍ୟ ଅନୁଷ୍ଠାନର ଗୁରୁ କୈଳାସ ଚନ୍ଦ୍ର ବିଶ୍ବାଳ କହିଛନ୍ତି, ‘ ବନ୍ଧ ନୃତ୍ୟ ଦେଖିବାପରେ ରାଷ୍ଟ୍ରପତି ଆପେ ଆମ ନିକଟକୁ ଚାଲି ଆସିଥିଲେ। ଏହା ଆମ ପାଇଁ ଥିଲା ଏକ ଖୁସିର ମୁହୂର୍ତ୍ତ ଥିଲା। ଏହି ସ୍ମୃତି ସବୁବେଳେ ମନମଧ୍ୟରେ ଉଜ୍ଜୀବୀତ ହୋଇରହିବ।’

ଶିଙ୍ଘ ବାଜା, ଘୋଡ଼ା ନାଚରେ ସ୍ବାଗତ
ଶିଙ୍ଘବାଜାଠୁ ଆରମ୍ଭ କରି ଘୋଡ଼ାନାଚ ପର୍ଯ୍ୟନ୍ତ, ରାଷ୍ଟ୍ରପତିଙ୍କୁ ସ୍ବାଗତ୍‌ କରିବା ପାଇଁ ସବୁକିଛି ବ୍ୟବସ୍ଥା ହୋଇଥିଲା। ମଙ୍ଗଳପୁରରୁ ଶିଙ୍ଘବାଜା ଆସିଥିବା ବେଳେ ବଳଙ୍ଗାରୁ ଆସିଥିଲା ଘୋଡ଼ା ନାଚ। କେବଳ ସେତିକି ନୁହେଁ, କୁନିକୁନି ପିଲାମାନେ ମଧ୍ୟ ହାତରେ ତ୍ରିରଙ୍ଗା ଧରି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ତ୍ରିରଙ୍ଗା ଧରିଥିବା ବେଳେ ବି ରାଷ୍ଟ୍ରପତିଙ୍କୁ ଦେଖି ଖୁସିରେ ନାଚି ଉଠିଥିଲେ।

ମୁଣ୍ଡରେ କଳସ ଧରି ଆସିଲେ ଆଦିବାସୀ ମହିଳା
ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ମୁଣ୍ଡରେ କଳସ ଧରି ହେଲିପ୍ୟାଡ ନିକଟକୁ ଧାଇଁ ଆସିଥିଲେ ଆଦିବାସୀ ମହିଳା ସାକ୍‌ରା ମାଝୀ। ସେ ବେତନଟୀର ବାସିନ୍ଦା ହୋଇଥିବା ବେଳେ ପୁରୀରେ ରହି ଶ୍ରମ ଖଟୁଛନ୍ତି। ତେବେ, ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାପରେ ତାଙ୍କ ଛାତି କୁଣ୍ଢେମୋଟ ହୋଇଯାଇଥିଲା। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିର ଆସୁଥିବା ଜାଣିବାପରେ ସେ ମୁଣ୍ଡରେ ‌କଳସ ଧରି ନୃତ୍ୟ କରିବାକୁ ଆସିଥିଲେ। ତେବେ, ରାଷ୍ଟ୍ରପତିଙ୍କୁ ଦେଖିନପାରିବାରୁ ତାଙ୍କ ମନରେ ଅବସୋସ ରହିଯାଇଥିଲା ବୋଲି ଶ୍ରୀମତୀ ମାଝୀ କହିଛନ୍ତି।

ନୃତ୍ୟ ଦେଖିଦେଖି ଗଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ଅଭିମୁଖେ ଚାଲିଚାଲି ଯାଉଥିବା ବେଳେ ତାଙ୍କୁ ସ୍ବାଗତ ପାଇଁ ବଡ଼ଦାଣ୍ଡରେ ଭିନ୍ନଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଅକ୍ଷୟପାତ୍ର ଫାଉଣ୍ଡେସନ ସମ୍ମୁଖରେ ଗୋଟିପୁଅ ନୃତ୍ୟ ପରିବେଷଣ ହୋଇଥିଲା। ସେହିଭଳି ବିଗ୍‌ ବଜାର ନିକଟ ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା। ସେହିପରି ସିଂହଦ୍ବାର ନିକଟରେ ସାହିଯାତରେ ଦୁର୍ଗା ମେଢ଼, ଗଣେଶ ମେଢ଼ ନୃତ୍ୟ ପରିବେଷଣ କରାଯାଇଥିଲା। ରାଷ୍ଟ୍ରପତି ସାଂସ୍କୃତିକ ମଞ୍ଚ ନିକଟକୁ ଯାଇ କଳାକାରଙ୍କୁ ଉତ୍ସାହିତ କରିବା ସହ ଫଟୋ ଉଠାଇଥିଲେ।

ଛାତ୍ରଛାତ୍ରୀଙ୍କୁ ଚକ୍‌ଲେଟ୍‌ ବାଣ୍ଟିଲେ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଳଗଣ୍ଡି ଛକରୁ ପ୍ରାୟ ପ୍ରାୟ ଦେଢ଼ କିଲୋମିଟର ଚାଲିବାପରେ ବାମପଟେ ଉତ୍କଳ ହିନ୍ଦୀ ବିଦ୍ୟାପୀଠ ସମ୍ମୁଖରେ ପହଞ୍ଚିଥିଲେ। ସ୍କୁଲ୍‌ଛାତ୍ରଛାତ୍ରୀମାନେ ହାତ ହଲାଇ ତାଙ୍କୁ ନିକଟକୁ ଡାକିଥିଲେ। କୁନିକୁନି ପିଲାମାନଙ୍କ ଡାକ ଶୁଣି ଅଟକି ଯାଇଥିଲେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ। ରାସ୍ତା ମଝିରୁ ସିଧାସଳଖ ବ୍ୟାରିକେଡ୍‌ ଆରପଟେ ଛିଡ଼ା ହୋଇଥିବା ପିଲାମାନଙ୍କ ପାଖକୁ ଚାଲିଯାଇଥିଲେ। ପ୍ରୋଟୋକଲ୍‌ ଭାଙ୍ଗି ଛାତ୍ରଛାତ୍ରୀମାନଙ୍କ ସହିତ କରମର୍ଦ୍ଦନ କରିଥିଲେ। କେବଳ ଏତିକି ନୁହେଁ, ପିଲାମାନଙ୍କୁ ଚକ୍‌ଲେଟ୍‌ ଦେବାପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ। ଏହା ଜାଣିବାପରେ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀ ତୁରନ୍ତ ତାଙ୍କ ହାତକୁ ଚକ୍‌ଲେଟ୍‌ ବଢ଼ାଇ ଦେଇଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କଠାରୁ ଚକ୍‌ଲେଟ୍‌ ପାଇ ଛାତ୍ରଛାତ୍ରୀମାନେ ବେଶ୍‌ ଆନନ୍ଦିତ ହୋଇଥିଲେ। ପିଲାମାନଙ୍କ ମୁହଁରେ ଏଭଳି ଆନନ୍ଦ ଦେଖି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସେଠାରୁ ଯାଇପାରି ନ ଥିଲେ। ଫଟୋ ଉଠାଇବା ପାଇଁ ସେ ପିଲାମାନଙ୍କ ସହିତ ଛିଡ଼ା ହୋଇଥିଲେ। ସେହିପରି, ବଳଗଣ୍ଡି ବିଦ୍ୟାପୀଠର ସ୍କାଉଟ୍‌ସ ଆଣ୍ଡ୍‌ ଗାଇଡ୍‌ସ ଛାତ୍ରଛାତ୍ରୀମାନେ ସ୍କୁଲ ସମ୍ମୁଖରେ ଛିଡ଼ାହୋଇ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର