ନୂଆଦିଲ୍ଲୀ: ତାମିଲନାଡୁର ଟେନକାସି ଜିଲ୍ଲାର ଭଗବତିପୁରମ ଏବଂ ଆର୍ଯନକାବୁ ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣା ଉପରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିଲା। ତେବେ ଉକ୍ତ ଧାରଣାରେ ଆସୁଥିବା ଟ୍ରେନ ଆଗକୁ ଯାଇ ଯେମିତି ଦୁର୍ଘଟଣାଗ୍ରସ୍ତ ନହେଉ ସେଥିପାଇଁ ବୃଦ୍ଧ ଦମ୍ପତ୍ତି ନିଜ ଜୀବନ ସହିତ ଖେଳି ଧାରଣାରେ ଦୌଡ଼ିଥିଲେ। ଧାରଣାରେ ବୃଦ୍ଧଦମ୍ପତ୍ତିଙ୍କୁ ଦୌଡ଼ୁଥିବା ଦେଖି ଲୋକୋପାଇଲଟ ଟ୍ରେନ ଅଟକାଇ ଦେଇଥିଲେ। ଫଳରେ ଏକ ବଡ଼ଧରଣର ବିପଦ ଟଳି ଯାଇଥିଲା।
ରେଳ ସୂତ୍ରରୁ ପ୍ରକାଶ ଯେ ଟ୍ରକଟି କେରଳରୁ ପ୍ଲାଏଉଡ଼ ନେଇ କୁମ୍ଭକୋଣମ ଅଭିମୁଖେ ଯାଉଥିଲା। ରବିବାର ରାତି ପ୍ରାୟ ୧୨.୫୦ ସମୟରେ ଟ୍ରକ ରାସ୍ତାରୁ ପ୍ରାୟ ୧୮ ଫୁଟ ଉଚ୍ଚରୁ ଖସି ରେଳ ଧାରଣାରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣା ପରେ ହୋଇଥିବା ଶବ୍ଦ ଶୁଣି ସ୍ଥାନୀୟଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ।
ଏହି ସମୟରେ ଷଣମୁଗେୟା ଓ ତାଙ୍କ ସ୍ତ୍ରୀ କୁରୁଥମ୍ମାଲଙ୍କର ବି ନିଦ ଭାଙ୍ଗି ଯାଇଥିଲା। ତୁରନ୍ତ ସେମାନେ ଘଟଣାସ୍ଥଳକୁ ଧାଇଁ ଆସି ପରିସ୍ଥିତି ଦେଖିବା ପରେ ତତ୍ପର ହୋଇ ଉଠିଥିଲେ। କାରଣ ସେମାନେ ଦେଖିଲେ ଯେଉଁ ଧାରଣାରେ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ି ରହିଛି ସାମ୍ନାରୁ ସେହି ଧାରଣାରେ ଏକ ଟ୍ରେନ ମାଡ଼ି ଆସୁଛି। ତେଣୁ ସେମାନେ ନିଜ ଜୀବନକୁ ଖାତିର ନକରି ଆସୁଥିବା ଟ୍ରେନ ସାମ୍ନାରେ ଦୌଡ଼ିଥିଲେ, ଯେପର୍ଯ୍ୟନ୍ତ ଲୋକୋପାଇଲଟ ଟ୍ରେନକୁ ଅଟକାଇ ନାହାନ୍ତି।
କିଛି ବାଟ ଦୌଡ଼ିବା ପରେ ଦମ୍ପତ୍ତିଙ୍କୁ ରେଳଧାରଣାରେ ଦେଖି କିଛି ବିପଦ ଥିବା ଭାବି ଲୋକୋପାଇଲଟ ଟ୍ରେନ ଅଟକାଇ ଦେଇଥିଲେ। ଫଳରେ ବଡ଼ ବିପଦ ଟଳି ଯାଇଥିଲା।’
ଏହି ଘଟଣା ସାମ୍ନାକୁ ଆସିବା ପରେ ବୃଦ୍ଧ ଦମ୍ପତ୍ତିଙ୍କ ଉପସ୍ଥିତ ବୁଦ୍ଧିକୁ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି।