ଦେବକୀଙ୍କ ଅଷ୍ଟମଗର୍ଭରେ ଜାତ ହୋଇଥିଲେ ଶ୍ରୀକୃଷ୍ଣ। ବସୁଦେବ ଥିଲେ ତାଙ୍କର ପିତା। କାଳକାଳକୁ ଏ କଥା ରହିଛି। କିନ୍ତୁ ଅନ୍ୟ କେଉଁ ପିତା-ମାତାଙ୍କଠାରୁ ଜନ୍ମ ନ ନେଇ, ଭଗବାନ ବିଷ୍ଣୁ କୃଷ୍ଣରୂପେ ଜାତ ହେବା ପାଇଁ ଦେବକୀ ଓ ବସୁଦେବଙ୍କୁ କାହିଁକି ବାଛିଥିଲେ?
‘ଶ୍ରୀମଦ୍ଭାଗବତ’ର ଦଶମ ସ୍କନ୍ଧରେ ଏ ସଂପର୍କରେ ବର୍ଣ୍ଣନା ଅଛି।
ଶ୍ରୀକୃଷ୍ଣଙ୍କର ଜନ୍ମ ପରେ ଦେବକୀଙ୍କର ଚେତା ନ ଥିଲା। ପ୍ରଥମେ ବସୁଦେବ ହିଁ ତାଙ୍କର ପ୍ରକୃତ ରୂପ ଦେଖିଥିଲେ। କୃଷ୍ଣଙ୍କ ଶରୀରର କାନ୍ତି ଥିଲା ନୀଳ-ମେଘ ପରି। ବାହୁରେ ମଣିର ବଳୟ ଝଟକୁ ଥିଲା। କଟୀରେ ଥିଲା ପୀତବସନ ଓ ସୁନାସୂତା। ହାତରେ କଙ୍କଣ ଓ କାନରେ କୁଣ୍ଡଳ, ପାଦରେ ନୂପୁର ଶୋଭା ପାଉଥିଲା। ଚାରି ହସ୍ତରେ ଆୟୁଧ ରୂପେ ଥିଲା ଶଙ୍ଖ, ଚକ୍ର, ଗଦା ଓ ପଦ୍ମ। ହୃଦରେ ଶ୍ରୀବତ୍ସ ଲାଞ୍ଛନ ଓ ପାଦରେ ରତ୍ନ ପାଦୁକାର ଶୋଭା ମନ ମୋହୁଥିଲା। ଦେବତା ଓ ମନୁଷ୍ୟଙ୍କୁ ଅଗୋଚର ସେହି ଅପୂର୍ବ ଯୋଗେଶ୍ୱର ରୂପକୁ ଦେଖି ବସୁଦେବ ମୁଗ୍ଧ ହେଲେ। ମନରେ ଭାବିଲେ, ମୁଁ ଛାର ଅଧମ ମନୁଷ୍ୟ। ଏ କାହିଁକି ମୋ ପ୍ରତି ପ୍ରସନ୍ନ ହେଲେ!
ଦେବକୀ ମଧ୍ୟ ଚେତା ଫେରିପାଇ ସେହି ଦିବ୍ୟରୂପକୁ ଦେଖିଲେ। କହିଲେ, “ମୋର ଉଦରୁ ତୋର ଜାତ। / ଲୋକେ କରିବେ କାହୁଁ ସତ।” ଦୁହେଁ ତାଙ୍କୁ ନାନା ଭାବରେ ସ୍ତୁତି କଲେ। ସେ ଦୁହିଁଙ୍କର ମନର ଭାବନା ଜାଣି ଶ୍ରୀକୃଷ୍ଣରୂପୀ ନାରାୟଣ ବସୁଦେବଙ୍କୁ ତାଙ୍କର ପୂର୍ବଜନ୍ମ ବୃତ୍ତାନ୍ତ କହିଲେ। ସେ କହିଲେ- ହେ ପିତା! ଶୁଣ। ବ୍ରହ୍ମା ଯେତେବେଳେ ସୃଷ୍ଟି ସର୍ଜନା କଲେ, ସେତେବେଳେ ତୁମ ଦୁହିଁଙ୍କୁ ପୃଶ୍ନି ଓ ସୁତପା ରୂପେ ଜାତ କରିଥିଲେ। ତାଙ୍କ ଆଦେଶରେ ତୁମେ ଦୁହେଁ ଗହନ ବନରେ ଦୀର୍ଘ କଷ୍ଟକର ତପସ୍ୟା କରିଥିଲ। କେବଳ ପାଣି, ପବନ ଓ ପତ୍ର ସେବନ କରି, ଖରା, ବର୍ଷା ଓ ଶୀତକୁ ଖାତର ନ କରି, ଶ୍ୱାସରୋଧି, ଶତବର୍ଷର ସେହି ଦୃଢ଼ଚିତ୍ତ, କଷ୍ଟକର ସାଧନା ଏବଂ ଏକନିଷ୍ଠ ଧ୍ୟାନ ଫଳରେ ମୁଁ ତୁମ ପ୍ରତି ପ୍ରସନ୍ନ ହେଲି। ଆନନ୍ଦରେ ତୁମକୁ ବର ଯାଚିଲି। ତୁମେ ଦୁହେଁ ମୋତେ ପୁତ୍ର ରୂପେ ପାଇବାପାଇଁ ବର ମାଗିଲ। ତାହା ଫଳରେ ପ୍ରଥମେ ମୁଁ ପୃଶ୍ନିଗର୍ଭ ରୂପେ ଜାତ ହୋଇଥିଲି।
ଦ୍ୱିତୀୟରେ ତୁମେ ଦୁହେଁ କଶ୍ୟପ ଓ ଅଦିତି ରୂପେ ଜନ୍ମ ନେଲ ଏବଂ ମୁଁ ତୁମଠାରୁ ବାମନ ରୂପେ ଜାତ ହୋଇଥିଲି। ଏବେ ଦେବତାଙ୍କୁ ଦେଇଥିବା କଥା ଅନୁସାରେ ମୁଁ ପୁନଶ୍ଚ ଦେହଧରି ଜନ୍ମ ନେଇଛି। ମୁଁ ଅସୁରଙ୍କର ବିନାଶ କରିବି। ଏହା ସୂଚାଏ, ଯେ ଦିବ୍ୟ କର୍ମ ସଂପାଦନ କରୁଥିବା ଦିବ୍ୟ ପୁତ୍ରଟିଏ ପାଇବା ନିମନ୍ତେ, ନିଷ୍ଠାର ସହ ଭଗବାନଙ୍କୁ ଧ୍ୟାନ ଓ ତପସ୍ୟା କରିବା ଆବଶ୍ୟକ ହୋଇଥାଏ।