ଓଡ଼ିଶାରେ ବିବାହ ପୂର୍ବରୁ ହିରୋ-ହିରୋଇନ ସାଜୁଛନ୍ତି ଦମ୍ପତି, ଭିଡିଓ ଦେଖନ୍ତୁ

ସ୍ୱତନ୍ତ୍ର ରିପୋର୍ଟ: ବୋୖଦ୍ଧାୟନ ଆଚାର୍ଯ୍ୟ

ଭୁବନେଶ୍ୱର: ରଙ୍ଗୀନ ଆଲୁଅ ସାଙ୍ଗକୁ ରୋମାଣ୍ଟିକ ଅନ୍ଦାଜ, ଆଉ ଏହାରି ଭିତରେ ନିଜ ଜୀବନସାଥି ସହ କିଛି ଅଭୁଲା ମୁହୂର୍ତ୍ତ | ବିବାହ ପୂର୍ବରୁ ନିଜ ମନର ମଣିଷ ସହ ସୁନ୍ଦର ଲୋକେସନରେ ଫିଲ୍ମଟିଏ ସୁଟିଂ କରିବାରେ ଏବେ ବ୍ୟସ୍ତ ଅଛନ୍ତି ଯୁବପିଢ଼ି | ସମୟ ବଦଳିଛି ତା ସାଙ୍ଗକୁ ବଦଳିଛି ନିଜ ବିବାହ ପାଇଁ ସ୍ବପ୍ନ ଦେଖୁଥିବା ଭାବି ଦମ୍ପତିଙ୍କ ମୁଡ଼ | ବିବାହ ପୂର୍ବରୁ ନିଜ ସ୍ମୃତିକୁ ସାଉଁଟିବାକୁ ଏବେ ଯୁବପିଢ଼ି ପ୍ରି ୱେଡିଙ୍ଗ ଫୋଟୋସୁଟ କଥା ଭାବୁଛନ୍ତି |

ଯାହାକୁ ନଜରରେ ରଖି ଟ୍ୱିନ ସିଟିରେ ବି କିଛି ସଂସ୍ଥା ସବୁ ବ୍ୟବସ୍ଥା କରୁଛନ୍ତି | ଆକର୍ଷଣୀୟ ଲୋକେସନ ସାଙ୍ଗକୁ ଉନ୍ନତମାନର ଭିଡିଓ ସୁଟ କରାଯାଉଛି | ଟିଜର,ଟ୍ରେଲର ଭଳି ସୁଟିଂ କରାଯାଇ ବର-କନ୍ୟାଙ୍କୁ ହିରୋ ହିରୋଇନ ଭଳି ସଜାଯାଉଛି | ଫିଲ୍ମ ସେଟ ଭଳି ସବୁ କିଛି ବ୍ୟବସ୍ଥା କରି ଦିଆଯାଉଛି ନୂଆ ରୋମାଞ୍ଚ | ସୁଟିଂ ହେବାକୁଥିବା ସ୍ଥାନ ହିସାବରେ ୫୦ ହଜାର ଟଙ୍କାରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା ଯାଏଁ ମୂଲ୍ୟ ରହିଛି | ଓଡ଼ିଶାର ପୁରୀ,କୋଣାର୍କ, ଜିରାଙ୍ଗ, ହରିଶଙ୍କରରେ ସୁଟିଂ କରାଯାଉଥିବାବେଳେ ଭାରତର କୁଲୁ,ମନାଲି, ସିମଲା, ଉଦୟପୁର ଓ ଊଟିରେ କରାଯାଉଛି ସୁଟିଂ | ସେହିପରି ଅଧିକ ଅର୍ଥ ଦେଲେ ବିଦେଶରେ ଥାଇଲାଣ୍ଡ, ବ୍ୟାଙ୍କକ, ମାଲେସିଆ ଓ ସିଙ୍ଗାପୁରରେ ସୁଟିଂ କରାଯାଇଥାଏ |

ପୂର୍ବଭଳି ଫଟୋ ଆଲବମରେ ନିଜକୁ ସୀମିତ ରଖିବାକୁ ଆଉ ଚାହୁଁନାହାନ୍ତି ଯୁବପିଢ଼ି | ବିବାହର କିଛି ଦିନ ପୂର୍ବରୁ ନିଜେ ଇସ୍କ ବର୍ଷାରେ ଭିଜିବା ସହ ସୋସିଆଲ ମିଡିଆରେ ଏହି ଭିଡିଓ ସବୁ ପୋଷ୍ଟ କରି ଅତିଥିଙ୍କୁ ନିମନ୍ତ୍ରଣ ବି କରାଯାଉଛି | ବିବାହର କିଛି ଦିନ ପୂର୍ବରୁ ଟ୍ରେଲର ଓ ଟିଜର ସମ୍ପର୍କୀୟ ଓ ଅତିଥିଙ୍କୁ ପଠାଯାଉଥିବାବେଳେ ନିମନ୍ତ୍ରଣ କାର୍ଡ ନ ଦେଇ ଡିଜିଟାଲ ଉପାୟକୁ ଆପଣାଯାଉଛି |

ସମ୍ବନ୍ଧିତ ଖବର