୬୬ ବର୍ଷ ହେଲା ମଶାଣିରେ ଚାଲିଛି ପାଠପଢ଼ା!

ଦେଶ ସ୍ୱାଧୀନ ହେବାର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ଆମ ଦେଶରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ଯାତାୟତ, ଶିକ୍ଷା, ବିଜୁଳି, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଏବେ ବି ଅପହଞ୍ଚ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ। ଏଠାରେ ଏକ ଗାଁ ଅଛି ଯେଉଁଠି ଦୀର୍ଘ ୬୬ ବର୍ଷ ହେଲାଣି ପହଞ୍ଚିପାରିନାହିଁ ସରକାରଙ୍କର ଯୋଜନା।

ଉତ୍ତର ପ୍ରଦେଶରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଶିକ୍ଷା କ୍ଷେତ୍ରରେ ଅନେକ ସୁଧାର ଆଣି ବିଭିନ୍ନ ଯୋଜନାର ଖସଡା ପ୍ରସ୍ତୁତ କରିଛନ୍ତି। ହେଲେ ଦୀର୍ଘ ୬୬ ବର୍ଷ ହେଲାଣି ସମ୍ଭଲ ଜିଲ୍ଲାର ସରାୟତରିନ୍‌ ଗାଁରେ ଥିବା ପ୍ରାଥମିକ ସ୍କୁଲ ଚାଲିଛି ମଶାଣିରେ। ଯେଉଁଠାରେ ପାଠ ପଢୁଛନ୍ତି ୧୩୩ଜଣ ପିଲା । ଏହି ଗାଁ ମଶାଣି ମଝିରେ ପିଲାମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରାଯାଉଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ପୂର୍ବରୁ ଏହି ସ୍କୁଲ ଏକ ଭଡା ଘରେ ଚାଲୁଥିଲା । ପରେ ପରେ ଭଡା ଦେବାରେ ସାମର୍ଥ୍ୟ ହୋଇ ନ ପାରିବାରୁ ମଶାଣିରେ ପାଠ ପଢ଼ୁଛନ୍ତି ପିଲା। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ସରକାରୀ ବାବୁମାନେ ଜାଣିକି ମଧ୍ୟ ଅଣଦେଖା କରୁଛନ୍ତି ଆଉ ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛନ୍ତି। ପିଲାଙ୍କ ମଧ୍ୟରେ ପାଠ ପଢ଼ିବା ପାଇଁ ପ୍ରବଳ ଇଚ୍ଛା ଶକ୍ତି ଥିଲେ ମଧ୍ୟ ସରକାରଙ୍କ ଏଭଳି ବେପରୁଆ ନୀତି ଦେଖି ଉଭୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମନବଳ ଭାଙ୍ଗି ପଡିବାରେ ଲାଗିଛି।

ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ବ୍ୟବସ୍ଥା ରହିଛି। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଛୋଟ ଚଟାଣ କରି ଟିଣ ଆଜବେଷ୍ଟ ପକାଇ ଏହାର ଚାରି ପାର୍ଶ୍ୱର କପଡାରେ ଆବଦ୍ଧ କରାଯାଇଛି । ଯାହାଫଳରେ ଛୋଟ ପିଲାମାନଙ୍କୁ ମଶାଣିର ଅନୁଭବ ନ ହେବ ଏବଂ ସେମାନେ ପାଠ ପଢ଼ିପାରିବେ। ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ ଏ ପର୍ଯ୍ୟନ୍ତ ତାଙ୍କୁ ଏକ ସ୍ଥାୟୀ ଏବଂ ପାଠ ପଢ଼ିବା ପାଇଁ ଉପଯୁକ୍ତ ସ୍ଥାନ ସରକାର ପ୍ରଦାନ କରି ନାହାଁନ୍ତି । ଯଦି ସରକାର ପିଲାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ତ୍ୱରିତ ପଦକ୍ଷେପ ନେଇ ସ୍ଥାନ ପ୍ରଦାନ କରିବେ ତେବେ ୬୬ବର୍ଷ ଅପେକ୍ଷାର ଅନ୍ତ ଘଟି ଆଗାମୀ ପିଢ଼ୀପାଇଁ ଶିକ୍ଷା କ୍ଷେତ୍ରରେ ସହାୟକ ହେବ।

ସମ୍ବନ୍ଧିତ ଖବର