ରାଜ୍ୟରେ ପ୍ରାଥମିକ ଶିକ୍ଷା ସ୍ଥିତି ସାଂଘାତିକ : ୪୦୯୫୫ ସ୍କୁଲରେ ପ୍ରତି ଶ୍ରେଣୀ ଲାଗି ବଖରାଏ ଗୃହ ନାହିଁ, ୬୧୭ ସ୍କୁଲ୍‍ର ୨୦୨୬ଟି ଶ୍ରେଣୀ ଗୃହ ବିପଦଶଙ୍କୁଳ

ଭୁବନେଶ୍ବର : ରାଜ୍ୟରେ ମୋଟ୍‌ ୫୦,୫୨୬ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ୍‌ ଅଛି। ତାହା ମଧ୍ୟରୁ ୪୦,୯୫୫ଟି ସ୍କୁଲ୍‌ରେ ପ୍ରତି ଶ୍ରେଣୀ ପାଇଁ ବଖରାଏ ଶ୍ରେଣୀ ଗୃହ ନାହିଁ। ୨୩୩ଟି ହାଇସ୍କୁଲ୍‌ରେ ମଧ୍ୟ ପ୍ରତି ଶ୍ରେଣୀ ପାଇଁ ବଖରାଏ ଶ୍ରେଣୀ ଗୃହ ନାହିଁ। ଏହା ବାଦ୍ ୬୧୭ଟି ହାଇସ୍କୁଲ୍‌ରେ ବିପଦ ସଂକୁଳ ଅବସ୍ଥାରେ ୨୦୨୬ ଶ୍ରେଣୀ ଗୃହ ରହିଛି।

ରାଜ୍ୟରେ ପ୍ରାଥମିକ ଶିକ୍ଷା ସ୍ଥିତି କେ‌େତ ସଙ୍ଗୀନ ହୋଇପଡ଼ିଲାଣି, ତାହା ଏହି ତଥ୍ୟ ଧରା ପକାଇଦେଉଛି। ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି। ବିଜେପି ସଭ୍ୟ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ରାଜ୍ୟରେ ମୋଟ ୫୦୩୭ଟି ସରକାରୀ ୩୨୫୭ଟି ସରକାରୀ ଅନୁଦାନପ୍ରାପ୍ତ ଏବଂ ୮୧୪ଟି ବେସରକାରୀ ହାଇସ୍କୁଲ୍‍। ସେଥିମଧ୍ୟରୁ ୨୩୩ଟି ବିଦ୍ୟାଳୟର ପ୍ରତି ଶ୍ରେଣୀ ଲାଗି ବଖରାଏ ବି ଶ୍ରେଣୀ ଗୃହ ନାହିଁ। ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୬୧୭ଟି ବିଦ୍ୟାଳୟର ୨୦୨୬ଟି ଶ୍ରେଣୀ ଗୃହ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ସେହିପରି ରାଜ୍ୟରେ ମୋଟ ୩୩ ହଜାର ୩୮୩ଟି ପ୍ରାଥମିକ ବିଦ୍ୟାଳୟ ଓ ୧୭ ହଜାର ୧୪୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଏଥି ମଧ୍ୟରୁ ମାତ୍ର ୯୫୭୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ ଶ୍ରେଣୀ ଗୃହ ଅଛି। ପରୋକ୍ଷରେ ଏହା ସୂଚାଉଛି ଯେ ୪୦ ହଜାର ୯୫୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଖରାଏ ଶ୍ରେଣୀ ଗୃହ ନାହିଁ।

ଉଲ୍ଲିଖିତ ନିୟମ ଅନୁସାରେ ବିଦ୍ୟାଳୟରେ ଶ୍ରେଣୀ ଗୃହ ନିର୍ମାଣ ସଂପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ଅନୁପାତରେ ମଞ୍ଜୁର ହୋଇଥାଏ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ। ଏହି ନିୟମ ଅନୁଯାୟୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଯଥାକ୍ରମେ ୩୦ଜଣ, ୩୫ଜଣ ଓ ୪୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଲେଖାଏଁ ଶ୍ରେଣୀ ଗୃହ ନିର୍ମାଣ କରିହେବ। ୟୁଡଆଇଏସ୍‍ଇ, ୨୦୧୭-୧୮ ତଥ୍ୟ ଅନୁଯାୟୀ ଚଳିତ ପିଏବି ୨୦୧୯-୨୦ ବର୍ଷରେ ୬୦୯୩ଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ମଞ୍ଜୁରି ପାଇବା ପରେ ନିର୍ମାଣ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ‌େଯାଗାଣ ସମ୍ପର୍କିତ ଶ୍ରୀ ମାଝୀଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ରାଜ୍ୟରେ ଶିକ୍ଷା ବର୍ଷ ଏପ୍ରିଲ ମାସ ଦୁଇ ତାରିଖରୁ ଆରମ୍ଭ ହୋଇଥାଏ। ଏପ୍ରିଲ୍ ମାସରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବାର ବ୍ୟବସ୍ଥା ଅଛି। କିନ୍ତୁ ଚଳିତ ଶିକ୍ଷା ବର୍ଷରେ ଏହି ସମୟସୀମା ମଧ୍ୟରେ ୭୦ ପ୍ରତିଶତ ପୁସ୍ତକ ଯୋଗାଣ ହୋଇଛି ବୋଲି ମନ୍ତ୍ରୀ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର