‘ପ୍ରିନ୍‌ସେସ୍‌ ଅଫ୍ ଡୁଙ୍ଗରପୁର’ ହେବାର ସ୍ବପ୍ନ ଅଧୁରା ରହିଗଲା

ମୁମ୍ବାଇ : ବିଖ୍ୟାତ କ୍ରିକେଟର ଏବଂ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ରାଜ ସିଂହ ଡୁଙ୍ଗରପୁରଙ୍କ ସହ ଲତାଙ୍କ ସମ୍ପର୍କ ବିଷୟରେ ଅନେକେ ଜାଣନ୍ତି। ଡୁଙ୍ଗରପୁରଙ୍କ ଭଉଣୀର ଝିଅ ବିକାନେରର ରାଜକୁମାରୀ ରାଜ୍ୟଶ୍ରୀ ତାଙ୍କ ଆତ୍ମଜୀବନୀ ‘ପ୍ୟାଲେସ୍ ଅଫ୍ କ୍ଲାଉଡ୍‌ସ: ଏ ମେମୋଏର’ରେ ଲେଖିଛନ୍ତି: ଲତାଙ୍କ କ୍ରିକେଟପାଗଳ ଭାଇ ହୃଦୟନାଥ ମଙ୍ଗେସକରଙ୍କ ସହ ଡୁଙ୍ଗରପୁରଙ୍କ ବନ୍ଧୁତା ଭିତରଦେଇ ଦୁଇଜଣଙ୍କର ଦେଖା ହୁଏ। କିନ୍ତୁ ଲତା ଓ ରାଜ ସିଂହ ଡୁଙ୍ଗରପୁରଙ୍କ ସମ୍ପର୍କକୁ ଡୁଙ୍ଗରପୁର ରାଜପରିବାର ପସନ୍ଦ କରୁ ନ ଥିଲେ। ସେମାନେ ବିବାହ କରନ୍ତୁ ବୋଲି ସେମାନେ ଚାହୁଁ ନ ଥିଲେ।

ଡୁଙ୍ଗରପୁର ମହାରାଜାଙ୍କ ତୃତୀୟ ପୁତ୍ର ହେଉଛନ୍ତି ରାଜ ସିଂହ। ତାଙ୍କର ତିନି ଭଉଣୀ ସମସ୍ତେ ରାଜପରିବାରରେ ବିବାହ କରିଛନ୍ତି। ରାଜ ସିଂହ ବି ଜଣେ ରାଜକନ୍ୟାକୁ ବିବାହ କରନ୍ତୁ ବୋଲି ସେମାନେ ଚାହୁଁଥିଲେ। ରାଜ୍ୟଶ୍ରୀଙ୍କ ମାଆ ସୁଶୀଳା ଯେ କି ବିକାନେରର ଶେଷ ରାଜା ତଥା ଲୋକସଭାର ସ୍ବାଧୀନ ଏମ୍‌ପି ଡ. କର୍‌ନୀ ସିଂହଙ୍କୁ ବିବାହ କରିଥିଲେ ଏବଂ ସୁଶୀଳାଙ୍କ ଭଉଣୀ ଦନ୍ତ (ଗୁଜରାଟର ପୁରୁଣା ରାଜ-ଶାସିତ ରାଜ୍ୟ)ର ମହାରାଣୀ ଲତାଙ୍କ ସହ ରାଜ ସିଂହଙ୍କ ବିବାହ ପ୍ରସ୍ତାବକୁ ଘୋର ବିରୋଧ କରିଥିଲେ। ରାଜ୍ୟଶ୍ରୀ ଲେଖିଛନ୍ତି: ଲତା ମଙ୍ଗେସକରଙ୍କୁ ବମ୍ବେ-ସ୍ଥିତ ପୁରୁଣା ବିକାନେର ହାଉସ୍‌କୁ ଡକାଯାଇଥିଲା ଏବଂ ମୋର ଦୃଢ଼ ବିଶ୍ବାସ (ସତ ନ ହୋଇପାରେ) ସେଠି ତାଙ୍କୁ ତାଙ୍କ ଭାଇଠାରୁ ଦୂରେଇ ଯିବା ପାଇଁ କୁହାଯାଇଥିଲା, ଯାହାଫଳରେ ତାଙ୍କ ପରିବାରର ପସନ୍ଦରେ ସେ ଜଣେ ଉପଯୁକ୍ତ ଝିଅକୁ ବିବାହ କରିପାରିବେ। କିନ୍ତୁ ଲତା ଓ ରାଜ ସିଂହ ଡୁଙ୍ଗରପୁରଙ୍କ ପ୍ରେମ ଥିଲା ଅନାବିଳ।

ସେମାନେ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ, ଅନ୍ୟ କେଉଁଠି ବିବାହ ନ କରି ସାରା ଜୀବନ ଅବିବାହିତ ରହିଗଲେ। ୨୦୦୯ରେ ଡୁଙ୍ଗରପୁରଙ୍କ ପରଲୋକ ହୋଇଥିବା ବେଳେ ୨୦୨୨ରେ ଲତା ଇହଧାମରୁ ବିଦାୟ ନେଲେ ସତ ମାତ୍ର କେହି କାହାକୁ ଧୋକା ଦେଇନାହାନ୍ତି। ଗୁଜବ ଶୁଣିବାକୁ ମିଳେ ଯେ ସେମାନେ କୁଆଡ଼େ ଗୁପ୍ତରେ ପରସ୍ପରକୁ ବିବାହ କରିଥିଲେ। ମାତ୍ର ରାଜ୍ୟଶ୍ରୀ ଏହାକୁ ଅସ୍ବୀକାର କରିଛନ୍ତି। ସେ ଲେଖିଛନ୍ତି ଯେ, ରାଜପରିବାରର ବିରୋଧ ସତ୍ତ୍ବେ ତାଙ୍କ ମାମୁ ସାନ ଝିଆରୀ ଓ ପୁତୁରାଙ୍କଠାରୁ ସମର୍ଥନ ପାଇଥିଲେ। ରାଜ୍ୟଶ୍ରୀ ନିଜେ ଅନେକ ସମୟରେ ଲତାଙ୍କୁ ଓ ମଙ୍ଗେସକର ପରିବାରକୁ ଲଣ୍ଡନରେ ଥିବା ବେଳେ ଭେଟିବାକୁ ଯାଉଥିଲେ। ଲତାଙ୍କୁ ସେ ଜଣେ ବିନୟୀ ଓ ସ୍ନେହୀ ମଣିଷ ଭାବେ ଦେଖି ଆସିଛନ୍ତି। ରାଜ ସିଂହ ତାଙ୍କୁ ପ୍ରାୟତଃ ମିଠୁ ବୋଲି ସମ୍ବୋଧନ କରୁଥିଲେ।

ସମ୍ବନ୍ଧିତ ଖବର