କରୋନା ଭାଇରସ୍‌ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି କାରାଗାରରେ ମୁଲାକାତ ବାତିଲ

ଭୁବନେଶ୍ବର : ଜେଲ୍‌ରେ କରୋନା ନ ବ୍ୟା‌ପିବା ପାଇଁ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବନ୍ଦୀଙ୍କୁ ଓକିଲମାନେ ଭେଟିପାରିବେ ନାହିଁ। ଏନ୍‌ଜିଓ କିମ୍ବା ଅନ୍ୟ କୌଣସି ସଂସ୍ଥା ଜେଲ୍‌ ଭିତରେ କୌଣସି ପ୍ରକାରର କାର୍ଯ୍ୟକ୍ରମ କରିପାରିବେ ନାହିଁ। ଗୋଟିଏ ମାସ ପର୍ଯ୍ୟନ୍ତ ଏହିସବୁ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ନୂଆ କରି ବିଚାର ବିଭାଗୀୟ ହାଜତକୁ ଆସୁଥିବା ଅଭିଯୁକ୍ତକୁ ଅନ୍ତତଃ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଡାକ୍ତରଙ୍କ ତତ୍ବାବଧାନରେ ସଂଗରୋଧ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଫାଟକରେ ସାନିଟାଇଜର ରହିବା ସହ କରୋନା ବାବଦରେ ସଚେତନା କରାଯିବାକୁ ସ୍ଥିର କରାଯାଇଛି।

ପରିଜନମାନେ ଜେଲ୍‌ ନ ଆସି ଘରେ ଥାଇ ଇ-ମୁଲାକାତ୍‌ ବ୍ୟବସ୍ଥାରେ ଭେଟିବେ। ଅତ୍ୟାବଶ୍ୟକସ୍ଥଳେ ଭେଟିବାକୁ ଆସିଲେ ଉପଯୁକ୍ତ ଦୂରତା ରକ୍ଷା କରିବେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋର୍ଟରେ ବନ୍ଦୀ ଉପସ୍ଥାପନ ହେବେ। ଥଣ୍ଡା, ଗଳାରେ ଯନ୍ତ୍ରଣା, ନିଶ୍ବାସ ନେବାରେ କଷ୍ଟ ହେଲେ ବନ୍ଦୀମାନେ ଡାକ୍ତରଖାନା ଯିବେ। ଜେଲ୍‌ରମାନେ ଜେଲ୍‌ ମେଡିକାଲରେ ଆଇସୋଲେସନ ୱାର୍ଡ ବ୍ୟବସ୍ଥା କରିବେ। ଜେଲରେ ଥିବା ରୋଷେୟାକୁ କର୍ତ୍ତୃପକ୍ଷ ମାସ୍କ ଯୋଗାଇ ଦେବେ। ବିନା ମାସ୍କରେ ରୋ‌ଷେଇ ହେବ ନାହିଁ ବୋଲି ଜେଲର ନିଶ୍ଚିତ କରିବେ। ଡ୍ୟୁଟି କରୁଥିବା କର୍ମଚାରୀ ମଧ୍ୟ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ। ଯେଉଁ ବନ୍ଦୀମାନେ ଛୁଟିରୁ ଫେରିବେ ସେମାନଙ୍କର ଉପଯୁକ୍ତ ସ୍କ୍ରିନିଂ କରାଯିବା ପରେ ଜେଲ୍‌ରେ ପ୍ରବେଶ ଅନୁମତି ଦିଆଯିବ। ଅନ୍ୟ ରାଜ୍ୟରେ ଥିବା କୋର୍ଟରେ ହାଜର ହୋଇ ଫେରୁଥିବା ବନ୍ଦୀଙ୍କ କ୍ଷେତ୍ରରେ ଏହା କଡ଼ାକଡ଼ି ହେବ। ଜେଲ୍‌ ହସ୍‌ପିଟାଲ ଓ ଜେଲ ପରିସର ପରିଷ୍କାର ରଖାଯିବ। ସରକାର ଏଭଳି ନିଷ୍ପତ୍ତି ନେବା ପରେ କାରାଗାର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ। ଏହି ଚିଠିକୁ ଆଧାର କରି କାରାଗାର ନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ସମସ୍ତ ଜେଲ୍‌ ସୁପରିନଟେଣ୍ଡେଣ୍ଟଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର