ଆମେରିକାର ବୋଷ୍ଟନ୍ ସହରରେ ରହୁଛନ୍ତି ପ୍ରୀତିରେଖା ସିଂହ। ପାଖରେ ଅଛନ୍ତି ସ୍ବାମୀ ଆଇଟି ଇଞ୍ଜିନିୟର୍ ବିମଳକାନ୍ତ ମହାନ୍ତି ଏବଂ ୨ ପୁଅ।ହେଲେ, କରୋନାର ଭୟଙ୍କର ସ୍ଥିତି ତାଙ୍କ ଚାରିପାଖରେ ଲାଗିରହିଛି। ଏଥିପାଇଁ ସେମାନଙ୍କ ହସଖୁସିର ସଂସାର ପ୍ରଭାବିତ ହୋଇଛି। 'ସମ୍ବାଦ' ସହିତ କଥା ହେଲାବେଳେ ପ୍ରୀତିରେଖା କୁହନ୍ତି ଯେ, ' ଗତ ମାର୍ଚ୍ଚ ୧୦ତାରିଖରୁ ସେ ଓ ତାଙ୍କ ୨ପୁଅ ଘରୁ ବାହାରି ନାହାନ୍ତି। କେବଳ ତାଙ୍କ ସ୍ବାମୀ ବିମଳ ୨ଥର ଅତ୍ୟାବଶ୍ୟକ ଜିନିଷ କିଣିବାକୁ ବାହାରିଥିଲେ। ସ୍ବାମୀ ବିମଳକାନ୍ତ ଏବେ ଘରେ ରହି କାମ କରୁଛନ୍ତି। ଯେଉଁ ଖାଦ୍ୟ ସାମଗ୍ରୀ ମଗାଉଛନ୍ତି ତାକୁ ବେକିଂ ସେଡ଼ା ଓ କେମିକାଲ ପାଣିରେ ୨ଥର ବିଶୋଧନ କରୁଛନ୍ତି।'
ଏଥିସହିତ, କରୋନା ପାଇଁ ଆମେରିକାରେ ଦେଖାଦେଇଥିବା ପରିସ୍ଥିତି ସମ୍ପର୍କରେ ଏକ ଚିତ୍ର ଦେଇଛନ୍ତି ପ୍ରୀତିରେଖା। ସେ କହିଛନ୍ତି, ଏହି ରାଜ୍ୟର ସ୍ଥିତି ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସଂକ୍ରମଣ ଦୃଷ୍ଟିରୁ ଚତୁର୍ଥ ସ୍ଥାନରେ ରହିଛି। ଏଠାରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା ସତ୍ତ୍ବେ ନାଗରିକ ଅଧିକାର ବଳରେ ଜନସାଧାରଣ ମୁକ୍ତ ଚଲାବୁଲା କରୁଛନ୍ତି।
' ଏବେ ଏମିତି ସ୍ଥିତି ଉପୁଜିଛି, ବହୁ ବିଦେଶୀ ଲୋକ କର୍ମସଂସ୍ଥାନ ହରାଇବା ନିଶ୍ଚିତ। ନିୟମ ମୁତାବକ ଚାକିରି ହରାଇବା ଲୋକଙ୍କ ବୀମା ମଧ୍ୟ ସ୍ବାଭାବିକ ଭାବେ ରଦ୍ଦ ହୋଇଯିବ। ସେହିପରି ଭିସା ଶେଷ ହୋଇଯିବ। ସେମାନେ ୬୦ଦିନ ମଧ୍ୟରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ। ନଚେତ ବେଆଇନ୍ ନାଗରିକ ବୋଲି ଘୋଷିତ ହେବେ। ବହୁ ଅସ୍ଥାୟୀ କର୍ମଚାରୀଙ୍କ ପାଇଁ କରୋନା ଚିନ୍ତାର କାରଣ ହୋଇଛି,' କହିଛନ୍ତି ପ୍ରୀତିରେଖା।
(ପ୍ରୀତିରେଖା ସହିତ କଥା ହୋଇଥିଲେ 'ସମ୍ବାଦ' ଯାଜପୁର ଜିଲ୍ଲା ପ୍ରତିନିଧି ସଂଗ୍ରାମ ସିଂହ)