କେମିତି ଅଛନ୍ତି ପ୍ରବାସୀ ଓଡ଼ିଆ : ୮୮% ବିଦେଶୀଙ୍କୁ ନେଇ ଏହିଭଳି ମୁକାବିଲା କରୁଛି ୟୁଏଇ

ପ୍ରିୟଦର୍ଶୀ ପାଣିଗ୍ରାହୀ ହେଉଛନ୍ତି ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ପୁଅ। ୨୦୧୨ ମସିହାଠାରୁ ଦୁବାଇରେ ରହି ଆସୁଛନ୍ତି ପ୍ରିୟଦର୍ଶୀ। ସେଠାରେ ଥିବା ଏକ ବହୁରାଷ୍ଟ୍ରୀୟ କମ୍ପାନିରେ ମହାପ୍ରବନ୍ଧକ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ କୋଭିଡ-୧୯ ଭୂତାଣୁ ବିଶ୍ବର ପ୍ରାୟ ସବୁ ରାଷ୍ଟ୍ରକୁ କବଳିତ କରିଥିବାବେଳେ ପ୍ରିୟଦର୍ଶୀ ରହୁଥିବା ୟୁ.ଏ.ଇ. (ସଂଯୁକ୍ତ ଆରବ ରାଷ୍ଟ୍ର) ଏଥିରୁ ବାଦ୍‌ ପଡ଼ିନାହିଁ। ତେବେ, ଏହାକୁ ମୁକାବିଲା କରିବାରେ ଏବଂ ଖୁବ୍‌ କମ୍‌ ସମୟ ମଧ୍ୟରେ ନିୟନ୍ତ୍ରଣକୁ ଆଣିବାର ପ୍ରଚେଷ୍ଟାରେ ୟୁଏଇ ଏକ ଆଗୁଆ ରାଷ୍ଟ୍ର ଭାବେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ‘ସମ୍ବାଦ’କୁ କହିଛନ୍ତି ପ୍ରିୟଦର୍ଶୀ।

ଲକ୍‌ଡାଉନ୍‌, ସାମାଜିକ ଦୂରତା ବାଦ୍‌ ୟୁଏଇ କି କି ଉପାୟ ଅବଲମ୍ବନ କରିଛି, ତାହା ଅନ୍ୟମାନେ ଜାଣିବା କଥା। ପ୍ରିୟଦର୍ଶୀ କହିଛନ୍ତି ଯେ, ‘ଏତେ ସଂଖ୍ୟକ ବିଦେଶୀ ଲୋକ ଥାଇ ସୁଦ୍ଧା ଏହି ସଂଯୁକ୍ତ ରାଷ୍ଟ୍ର ଏପର୍ଯ୍ୟନ୍ତ ସୁଦ୍ଧା ୭ ଲକ୍ଷ ୬୭ ହଜାର ଲୋକଙ୍କୁ ପରୀକ୍ଷା କରିସାରିଛି। ମୁଣ୍ଡ ପିଛା ତନ୍ନତନ୍ନ ପରୀକ୍ଷା କରାଇବାରେ ଏହି ରାଷ୍ଟ୍ର ବିଶ୍ବର ତୃତୀୟ ସ୍ଥାନରେ ରହିଛି। ମାର୍ଚ୍ଚ ୨୯ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ୟୁଏଇ ସାରାରାଷ୍ଟ୍ରରେ ରୋଗାଣୁ ନାଶ କାର୍ଯ୍ୟକ୍ରମ କରିଥିଲା। ଲକ୍‌ଡାଉନ୍‌ ସମୟରେ କେବଳ ଖାଦ୍ୟସାମଗ୍ରୀ କିମ୍ବା ଔଷଧ ପାଇଁ ବାହାରକୁ ଯାଇହେଉଥିଲେ ସୁଦ୍ଧା ଏଥିପାଇଁ ଅନ୍‌ଲାଇନ୍‌ରେ ଅନୁମତି ଆଣିବାକୁ ପଡ଼ୁଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ପ୍ଲାଜ୍‌ମା ଥେରାପି ମାଧ୍ୟମରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପଦ୍ଧତି ଆରମ୍ଭ କରିଛି, ‘ କହିଛନ୍ତି ପ୍ରିୟଦର୍ଶୀ।

ଅପରପକ୍ଷେ, କରୋନାର ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ପ୍ରିୟଦର୍ଶୀ। ଉଦାହରଣ ଦେଇ ସେ କହିଛନ୍ତି ଯେ, ‘ସାଙ୍ଗ ଜଣକ ଦୁବାଇରୁ ଓଡ଼ିଶା ଫେରିବା ପରେ ପୁଲିସ୍‌ ଯାଞ୍ଚର ସମ୍ମୁଖୀନ ହେବା ସହିତ ଘରେ ଏକାନ୍ତବାସରେ ରହିଥିଲେ। ଦିନକୁ ଦୁଇ ଥର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟେଲିଫୋନ୍‌ ପାଉଥିଲେ ଏବଂ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ।’

ପ୍ରିୟଦର୍ଶୀ ପାଣିଗ୍ରାହୀ
ମହାପ୍ରବନ୍ଧକ, ଏକ ବହୁ ରାଷ୍ଟ୍ରୀୟ କମ୍ପାନି, ଦୁବାଇ

ସମ୍ବନ୍ଧିତ ଖବର