‘ଭାରତ ଫେରିଯାଇ ନିଜ ପରିବାର ସହ ରହିବି’

କେମିତି ଅଛନ୍ତି ପ୍ରବାସୀ ଓଡ଼ିଆ

କରୋନା ମହାମାରୀ ପ୍ରଭାବରେ ସାରା ବିଶ୍ବ ପ୍ରଭାବିତ ହୋଇଥିବା ବେଳେ ନେଦରଲାଣ୍ଡର ଅବସ୍ଥା ବହୁତ ଖରାପ। ଏଠାରେ ଥଣ୍ଡା କିମ୍ବା ଜ୍ବର ହେଲେ ଡାକ୍ତରଙ୍କ ସହ ପରାମର୍ଶ ସହଜରେ ହୋଇ ପାରୁନାହିଁ। କରୋନା ରୋଗୀଙ୍କ ପାଇଁ ଡାକ୍ତରମାନେ ଦିନରାତି ଏକ କରି ଦେଇ ଚିକିତ୍ସା ଚଳାଇଛନ୍ତି। ସେମାନଙ୍କ କହିବା କଥା ହେଲା, ଯଦି ଦେହ ବେଶି ଖରାପ ନାହିଁ ତା’ ହେଲେ ହସ୍ପିଟାଲ ଆସନାହିଁ। ଘରେ ରୁହ। କାରଣ ସେମାନଙ୍କ ପାଇଁ ଅନେକ ଲୋକଙ୍କ ଚିକିତ୍ସା ଆବଶ୍ୟକ ରହିଛି। ଯାହାମଧ୍ୟରୁ ବହୁତ ଲୋକଙ୍କ ଅବସ୍ଥା ଗୁରୁତର। ଏଠାରେ ଲୋକମାନେ କଟକଣା ମାନୁନାହାନ୍ତି ଯାହାଦ୍ୱାରା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ବଢୁଛି। ଏଥିରୁ ନେଦରଲାଣ୍ଡର ଅବସ୍ଥା ସ୍ପଷ୍ଟ ଅନୁମେୟ ବୋଲି ‘ସମ୍ବାଦ’କୁ କହିଛନ୍ତି ନେଦରଲାଣ୍ଡର ଲାଇଡେନ ସହରରେ ରହୁଥିବା ପ୍ରିୟରଂଜନ ଚୌଧୁରୀ।

ଓଡ଼ିଶାର ସ୍ଥିତିକୁ ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରିୟରଞ୍ଜନ। କହିଛନ୍ତି ‘‘ମୋ ବାପା ଏବଂ ବୋଉ କଟକରେ ରହୁଛନ୍ତି; ଆଉ ସ୍ତ୍ରୀ ସହିତ ଦୁଇ ବର୍ଷର ପୁଅ ତା’ ମାମୁ ଘରେ ରହୁଛନ୍ତି। ସମସ୍ତେ ଲକ୍‌ଡାଉନ୍‌ରେ ଥିବାରୁ କେହି କାହା ପାଖକୁ ଯାଇ ପାରୁନାହାନ୍ତି। ବହୁତ ବିଚଳିତ ଲାଗୁଛି। ମୁଁ ଚାହିଁଲେ ବି ଯାଇ ପାରୁନି। ଏପଟେ ବାପା, ବୋଉ ଆଉ ସ୍ତ୍ରୀ ଲକ୍‌ଡାଉନ୍‌ ସରିଲା ପରେ ମୋତେ ଭାରତକୁ ଫେରି ଯିବାକୁ କହୁଛନ୍ତି। ଏହି ବିପଦ ସମୟରେ ମୋ ପୁଅ ପାଇଁ ମୁଁ ବହୁତ ବିଚଳିତ। ଯଦି ମୁଁ ମୋ ପୁଅ ପାଇଁ ଏତେ ବିଚଳିତ ମୋ ବାପା ଆଉ ବୋଉ ତାଙ୍କର ୩୪ ବର୍ଷ ପୁଅ ପାଇଁ କେତେ ବିଚଳିତ ହେଉ ନଥିବେ? ଯେତେ ଯାହା ହେଲେ ବି ନିଜ ଦେଶ ଆଉ ନିଜ ମାଟି ମୋ ପାଇଁ ବହୁତ ବଡ଼। ଅପେକ୍ଷା କରିଛି କେବେ ଅନ୍ତର୍ଜାତୀୟ ବିମାନ ସେବା ସ୍ବାଭାବିକ ହେବ; ଆଉ ମୁଁ ଭାରତ ଫେରିଯାଇ ନିଜ ପରିବାର ସହ ରହିବି।’’

(ନେଦରଲାଣ୍ଡର ଲାଇଡେନରୁ ପ୍ରିୟରଂଜନ ଚୌଧୁରୀ)

ସମ୍ବନ୍ଧିତ ଖବର