ରୋଗୀକୁ ଅକ୍ସିଜେନ୍ ଦିଆ ଯିବାର ପ୍ରଣାଳୀ

ଡାକ୍ତର ଅଶ୍ବିନୀ ପୂଜାହାରୀ, ପୂର୍ବତନ ନିର୍ଦ୍ଦେଶକ, ଭିମ୍‌ସାର

୧. ନାସାଲ୍ ପୁନ୍
ନିମ୍ନ ପ୍ରେସର ଯୁକ୍ତ ଅକ୍ସିଜେନ ପାଇପ୍ ସିଷ୍ଟମରୁ ଏହା ଦିଆଯାଏ। ଏଥିରେ ଅକ୍ସିଜେନ ଏକ ୱାଟର ଚ୍ୟାମ୍ବର ଦେଇ ଯିବା ଫଳରେ ତାହା ଆଦ୍ରତାଯୁକ୍ତ ରହେ। ଏହାର ଦୁଇ ମୁଣ୍ଡକୁ ରୋଗୀର ନାକପୁଡ଼ାରେ ରଖା ଯାଇଥାଏ। ଏଥିରେ ଚାପ ପ୍ରୟୋଗ କରା ଯାଏନାହିଁ। ରୋଗୀ ନିଜ ପ୍ରଶ୍ବାସରେ ଅମ୍ଳଜାନ ଗ୍ରହଣ କରେ।

୨. ଅକ୍ସିଜେନ ମାସ୍କ
ଏଥିରେ ଉପରୋକ୍ତ ପ୍ରଣାଳୀରେ ଅକ୍ସିଜେନ ଦିଆଯାଏ, କିନ୍ତୁ ପାଇପ୍‌ ଭଳି ନହୋଇ ମୁଣ୍ଡଟି ଓସାରିଆ ଥାଏ, ଯେମିତି ତାହା ରୋଗୀର ନାକ ଓ ମୁହଁକୁ ଢ଼ାଙ୍କି ପାରୁଥିବ।

୩. ଭେନୁଟି ମାସ୍କ
ଏଥିରେ ଅକ୍ସିଜେନ ପାଇପ୍‌କୁ ମାସ୍କରେ ଯୋଡ଼ା ଯାଇଥାଏ। ସାଧାରଣ ନିଶ୍ବାସ ପ୍ରଶ୍ବାସରେ ଅକ୍ସିଜେନ କନ୍‌ସେନ୍‌ଟ୍ରେସନ୍ ୨୧% ରହୁଥିବାବେଳେ ସାଧାରଣ ମାସ୍କରେ ୨୫% ରହେ। କିନ୍ତୁ ଭେନୁଟି ମାସ୍କରେ ୩୫% ପର୍ଯ୍ୟନ୍ତ ରହିପାରେ।

୪. ନନ୍ ଇଭାସିଭ୍ ଭେଣ୍ଟିଲେଟର
ଏଥିରେ ରୋଗୀର ମୁହଁରେ ଏକ ରବର ମାସ୍କ ଲଗାଯାଏ, ଯେଉଁଥିରେ ଦୁଇଟି ପାଇପ୍ ଲାଇନ୍ ଥାଏ। ମାସ୍କ ନିବୁଜ ଭାବେ ଲାଗିଥିବାରୁ ଭିତରୁ କୌଣସି ବାୟୁ ଚଳାଚଳ ନଥାଏ। ଭେଣ୍ଟିଲେଟର୍ରୁ ପ୍ରେସର ସହିତ ଅକ୍ସିଜେନ ରୋଗୀର ନାକପୁଡ଼ାରେ ଭର୍ତ୍ତି କରାଯାଏ। ସେ ବାୟୁ ଫୁସ୍‌ଫୁସ୍‌ରୁ ଅଧିକ ଅଙ୍ଗାରକାମ୍ଳ ନେଇ ଫେରେ। ତା’କୁ ତାହାକୁ ଯନ୍ତ୍ର ସାହାଯ୍ୟରେ ଅଲଗା କରାଯାଏ। ଏଥିରେ ଅମ୍ଳଜାନ ପ୍ରେସର ସହିତ ଫୁସ୍‌ଫୁସ୍‌କୁ ଯାଉଥିବାରୁ ସାଚ୍ୟୁରେସନ୍ ଭଲରହେ।

୫. ଇଭାସିଭ୍ ଭେଣ୍ଟିଲେଟର
ଉପରୋକ୍ତ ଉପାୟସବୁ ବିଫଳ ହେଲେ ଏହାକୁ ବ୍ୟବହାର କରାଯାଏ। ଏଥିରେ ଶ୍ବାସନଳୀ ଭିତରକୁ ଏକ ଟ୍ୟୁବ୍ ଭର୍ତି କରାଯାଏ। ତା’ ସହିତ ଆହୁରି କିଛି ଜଟିଳ ବ୍ୟବସ୍ଥା କରିବାକୁ ପଡ଼େ। ଏଥିରେ ଅକ୍ସିଜେନ କନସେନଟ୍ରେସନ୍ ଓ ନିଶ୍ବାସ ପ୍ରଶ୍ବାସର ସଂଖ୍ୟା ଆଦିକୁ ଯନ୍ତ୍ର ସାହାଯ୍ୟରେ ନିୟନ୍ତ୍ରଣ କରା ଯାଇଥାଏ। ଜଣେ ନର୍ସ ସବୁବେଳେ ରୋଗୀର ସ୍ଥିତି ଯାଞ୍ଚ କରିବା ଦରକାର ହୁଏ। ଭର୍ତି କରା ଯାଇଥିବା ଟ୍ୟୁବ୍‌କୁ ସହିବାଲାଗି ରୋଗୀକୁ ନିଦ ଔଷଧ ମଧ୍ୟ ଦିଆଯାଏ।

୬. ଟ୍ରାଚେଷ୍ଟୋମି
ରୋଗୀକୁ ଏକ ସପ୍ତାହରୁ ଅଧିକ କାଳ ଯାଏ ଭେଣ୍ଟିଲେଟରରେ ରହିବା ଦରକାର ହେଲେ, ତା’ ବେକ ପାଖରେ ୱିଣ୍ଡ ପାଇପ୍ ବା ଟ୍ରାଚେଷ୍ଟୋମିକୁ ଏକ ଛିଦ୍ର କରାଯାଏ। ଯାହାଫଳରେ ରୋଗୀର ମୁହଁ ମୁକ୍ତ ରହିପାରେ ଏବଂ ରୋଗୀକୁ ବେହୋସ କରିବାର ଆବଶ୍ୟକତା କମ୍ ପଡ଼େ।

୭. ହାର୍ଟ ଲଙ୍ଗ୍ ମେସିନ
ଫୁସ୍‌ଫୁସ୍ ବା ଲଙ୍ଗ ଯେବେ ସୁସ୍ଥ ଥାଏ, ଏହି ପ୍ରକ୍ରିୟା କାମ ଦିଏ। ଓପନ୍ ହାର୍ଟ ସର୍ଜରି ସମୟରେ ଏହା ବ୍ୟବହାର କରାଯାଏ। ଏଥିରେ ଦୁଇଟି ଅଂଶ ଅଛି- ପମ୍ପ- ଯାହା ହାର୍ଟ ଭଳି କାମକରେ ଏବଂ ଅକ୍ସିଜେନେରେଟର୍ ମେସିନ୍- ଯାହା ଅକ୍ସିଜେନ ତିଆରିକରେ। ରକ୍ତ ଜମିଯିବାର ଆଶଙ୍କା ଥିବାରୁ ଏଥିରେ ଏକ ଫିଲ୍‌ଟର୍ ଓ ଔଷଧର ମଧ୍ୟ ଉପଯୋଗ କରାଯାଏ।

୮. ଏକ୍‌ମୋ ବା ଏକ୍ସଟ୍ରା କରପୋରାଲ ମେମ୍ବରାନସ ଅକ୍ସିଜେନେରେଟର
ଫୁସ୍‌ଫୁସ୍ ପ୍ରତିରୋପଣ କରିବାର ଥିଲେ ବା ଫୁସ୍‌ଫୁସ୍‌ ଭଲ ହେବାର ଆଶାଥାଇ ସାମୟିକ ଭାବେ ଅକାମୀ ହୋଇ ପଡ଼ିଥିଲେ, ଅର୍ଥାତ୍ ଫୁସ୍‌ଫୁସ୍ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବାର ସ୍ଥିତିରେ ଏହାକୁ ବ୍ୟବହାର କରାଯାଏ। କୋଭିଡ୍-୧୯ ଫୁସ୍‌ଫୁସ୍‌ର ଏହି ସାମୟିକ ଅକାମୀ ହୋଇ ପଡ଼ିବାର ସ୍ଥିତି ସୃଷ୍ଟି କରୁଛି। ତେଣୁ ଏହାର ଚର୍ଚ୍ଚା ବର୍ତ୍ତମାନ ସବୁଆଡ଼େ। ଏ ମେସିନର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା। ଏହାକୁ ଦିନଟିଏ ବ୍ୟବହାର କରିବାକୁ ୧.୭୫ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼େ। ପରବର୍ତ୍ତୀ ସମୟରେ ଦିନକୁ ଅତିକମ୍‌ରେ ୧ ଲକ୍ଷ ଟଙ୍କା ପଡ଼େ।

ଏଥିରେ ରୋଗୀ ଦେହରୁ ଗୋଟିଏ ପାଇପ୍‌ରେ ରକ୍ତ ମେସିନ୍‌କୁ ଯାଏ ଓ ଅନ୍ୟଏକ ପାଇପ୍‌ରେ ମେସିନ୍‌ରୁ ରୋଗୀର ଦେହକୁ ଫେରେ। ଫୁସ୍‌ଫୁସ୍ ସୁସ୍ଥ ଓ କାର୍ଯ୍ୟକ୍ଷମ ହେବାଯାଏ ଏହା କରିବାକୁ ପଡ଼େ।

ସମ୍ବନ୍ଧିତ ଖବର