ଭୁବନେଶ୍ବର: ପ୍ରେମ କରାଯାଏନି, ପ୍ରେମ ହଉ ହଉ ହେଇଯାଏ... ପ୍ରେମ 2ଟି ହୃଦୟର ପବିତ୍ର ମିଳନ, ପ୍ରେମ ଅଢେଇ ଅକ୍ଷରର ଅକୁହା ସ୍ପନ୍ଦନ । ପ୍ରେମରେ ପାଇବା ହରେଇବା ତ ଥାଏ ହେଲେ ପ୍ରେମ ବଞ୍ଚିରୁହେ ଗୋଟେ ଶକ୍ତ ଶପଥରେ, ପ୍ରତିବଦ୍ଧତାପୂର୍ଣ୍ଣ ପ୍ରତିଶୃତି ଓ ପ୍ରତିଜ୍ଞାର ପିଲାର ଉପରେ । ଯେଉଁଠି ପ୍ରତିଶୃତି ନାହିଁ ସେଠି ପାଇବାର ଆଶା ନାହିଁ, ପ୍ରତାରଣାର ପଣକିଆ ତ ଅନେକ ଏଠି ଘୋଷନ୍ତି ହେଲେ ସେଇମାନେ ହିଁ ପ୍ରେମକୁ ପ୍ରାପ୍ତ କରନ୍ତି ଯେଉଁମାନେ ନିଜ ପ୍ରେମକୁ ପବିତ୍ର ଭାବି ତାକୁ ପୂର୍ଣ୍ଣତାର ସହ ଶେଷ ଯାଏଁ ନେବାକୁ ପ୍ରତିଜ୍ଞା କରନ୍ତି...
ଆଜି ହେଉଛି ସେହି ପ୍ରତିଜ୍ଞା, ପ୍ରତିଶ୍ରୁତିର ଦିନ ଯାହା ପ୍ରମିଜ ଡେ’ ନାଁରେ ବେଶ୍ ଜଣାଶୁଣା । ଜୀବନରେ ପ୍ରେମର ଗୁରୁତ୍ବ ଯେତେ, ପ୍ରତିଶ୍ରୁତି ଗୁରୁତ୍ବ ସେତେ । କୁହାଯାଏ ପ୍ରେମ ଓ ପ୍ରତିଶ୍ରୁତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ, ପ୍ରତି ସମ୍ପର୍କର ପବିତ୍ର ସ୍ପର୍ଶ...
ପ୍ରେମ ସପ୍ତାହର ସାତ ଦିନ ଭିତରୁ ପ୍ରମିଜ ଡେ’ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଦିନ ଯେଉଁଦିନକୁ ପ୍ରେମୀଯୁଗଳମାନେ ଅପେକ୍ଷା କରି ରହିଥାନ୍ତି । ନିଜ ନିଜ ଜୀବନ ସାଥୀଠୁ ଆଗାମୀ ଦିନର ଶପଥ ନିଅନ୍ତି । କିଏ ନିଜ ପ୍ରେମକୁ ସାରା ଜୀବନ ପାଇଁ ସାଇତି ରଖିବାର ପ୍ରତିଜ୍ଞା କରେ ତ କିଏ ସାତ ଜନମ ପାଇଁ ସାଥୀ ହୋଇ ରହିବାର ପ୍ରତିଶ୍ରୁତି ମାଗେ । ଖାଲି ପ୍ରେମୀଯୁଗଳ ନୁହଁନ୍ତି ସ୍ବାମୀ-ସ୍ତ୍ରୀ ମଧ୍ୟ ନିଜ ନିଜ ଭିତରେ ଉତ୍ତମ ବୁଝାମଣାର ସଂସାର ଗଢିବାକୁ ଦୁହେଁ ଦୁହିଁଙ୍କୁ ପ୍ରମିଜ କରନ୍ତି । ବିନା ଝଗଡାରେ ବିନା ରାଗ, ରୁଷା, ଅଭିମାନରେ କେମିତି ହସଖୁସିରେ ସଂସାରର ରଥ ଗଡେଇ ହେବ ସେ ନେଇ ପ୍ରତିଜ୍ଞା କରନ୍ତି...
ଏଇ... ତମେ ମୋ ସହ ସାରା ଜୀବନ ରହିବ ତ ? ସାରା ଜୀବନ ମୋ ସହ ରହିବ ତ , କୌଣସି ପରିସ୍ଥିତିରେ ମୋ ହାତ ଛାଡିବନି ନା, ମୋତେ ସାତ ଜନ୍ମର ସାଥି କରିବ, ମୋତେ କେବେ ହୃଦୟରୁ ବାହାର କରିବ ନାହିଁ ତ, ମୁଁ ଟିକେ ଭାରି ଜିଦିଆ, ଟିକେ ଚଗଲି, ଟିକେ ରାଗୀ... ପ୍ଲିଜ୍ ମ୍ୟାନେଜ୍ କରିନେବ... ଏମିତି କିଏ କେତେ ପ୍ରକାରର ପ୍ରତିଶ୍ରୁତି ନିଜ ପ୍ରେମିକ ପ୍ରେମିକା, ସ୍ବାମୀ-ସ୍ତ୍ରୀ ପାଖରୁ ମାଗେ ।
ତେବେ ସମ୍ପର୍କରେ ସଚ୍ଚୋଟତାର ପ୍ରତିଶୃତି, ଦୁହେଁ ଦୁହିଁଙ୍କୁ ସମ୍ମାନ ଦେବାରେ କମ୍ ନକରିବା, ସବୁବେଳେ ସାଙ୍ଗରେ ରହିବାର ଶପଥ, ସବୁ କଥାରେ ବୁଝିବାର ପ୍ରତିଶ୍ରୃତି, ଗରିବ ହୋଇ ଚଳନ୍ତୁ ପଛେ ସବୁବେଳେ ସୁଖ ଓ ଶାନ୍ତିରେ ରହିବାର ପ୍ରତିଶୃତି ମାଗନ୍ତୁ । ଏହା ହିଁ ହେବ ଆଜିର ଦିନରେ ବଡ ଉପହାର ।