ଆଭ୍ୟନ୍ତରୀଣ ଗଠନରେ ପାଖାପାଖି ଆମ ପୃଥିବୀ ସମ ହୋଇଥିବାରୁ ମଙ୍ଗଳ ଗ୍ରହ ସମ୍ପର୍କରେ ନାନାଦି ସୂଚନା ସଂଗ୍ରହ ପାଇଁ ମଣିଷ ବିଶେଷ ରୂପେ ଆଗ୍ରହୀ। କାରଣ ସେଠାରେ ଜୀବଜଗତ ତିଷ୍ଠି ରହିଥିବା ଅନୁମାନ କରାଯାଏ। ଅତୀତରେ ମଙ୍ଗଳ ପୃଷ୍ଠରେ କଦବା ମାନବ ସଂସ୍କୃତି ବିକଶିତ ହୋଇଥିବା ସମ୍ଭାବନାକୁ ମଧ୍ୟ ବୈଜ୍ଞାନିକମାନେ ସଂପୂର୍ଣ୍ଣ ଖଣ୍ଡନ କରିପାରୁନାହାନ୍ତି। ଏ ପରିପ୍ରେକ୍ଷୀରେ ମଙ୍ଗଳ ପୃଷ୍ଠକୁ ବିଭିନ୍ନ ମହାକାଶ ଯାନ ପଠାଯାଇ ସେଠାରେ ଜୀବଜଗତର ପ୍ରାଣସତ୍ତାର ମୂଳ ଆଧାର ଭାବେ ବିବେଚିତ ଜଳର ସନ୍ଧାନ ପାଇଁ ନାନା ଗବେଷଣା ଜାରି ରହିଛି। ତେବେ ଦୁଇ ବର୍ଷ ତଳେ ଆମେରିକାର ‘ନାସା’ ପକ୍ଷରୁ ମଙ୍ଗଳ ପୃଷ୍ଠକୁ ପ୍ରେରିତ ମହାକାଶଯାନ ‘ପର୍ସିଭରାନ୍ସ’ ନିକଟରେ ପଠାଇଥିବା ଫଟୋରୁ ଏ ଦିଗରେ ଏକ ସକାରାତ୍ମକ ଆଶା ସଂଚାର ହୋଇଛି। ମଙ୍ଗଳ ପୃଷ୍ଠରେ ଏକଦା ଗଭୀର ନଦୀ ଭୀଷଣ ସ୍ରୋତରେ ପ୍ରବାହିତ ହେଉଥିଲା ବୋଲି ‘ପର୍ସିଭରାନ୍ସ’ ପ୍ରମାଣ ଛାଡ଼ିଛି।

Advertisment

ସୁତରାଂ ଅତୀତରେ ସେଠାରେ ଜୀବଜଗତ ସୃଷ୍ଟି ହୋଇଥିବା କଥା ମଧ୍ୟ ବିଚାରକୁ ନିଆଯାଉଛି। ଉଲ୍ଲେଖ ଥାଉ କି, ମଙ୍ଗଳ ପୃଷ୍ଠରେ ‘ପର୍ସିଭରାନ୍ସ’ ଅବତରଣ କଲା ପରଠାରୁ ସେଠାରେ ଧୂଳିରେ ପୋତି ହୋଇ ରହିଥିବା ଏକ ୮୨୦ ଫୁଟ ଉଚ୍ଚର ପ୍ରସ୍ତରମାଳା ଉପରେ ପରୀକ୍ଷା ନିରୀକ୍ଷା ଚଳାଇଥିଲା। ତେବେ ଉକ୍ତ ପ୍ରସ୍ତର ଦେହରେ ଅଙ୍କା ବଙ୍କା ହୋଇ ପଡ଼ିଥିବା ଦାଗ ଓ ତାହାର ଗଭୀରତାରୁ ସେଠାରେ ଭୀଷଣ ସ୍ରୋତର ନଦୀ ପ୍ରବାହିତ ହେଉଥିବା ଅନୁମାନ କରାଯାଇଛି। ସୁତରାଂ ସେଠାରେ କୌଣସି ଜୀବସତ୍ତାର ଉପସ୍ଥିତିର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନପାରେ। ମଙ୍ଗଳ ପୃଷ୍ଠରୁ ତାହା କୌଣସି କାରଣରୁ ଉଭେଇ ଯାଇଥିଲେ ହେଁ ଭୂଇଁ ତଳେ ଛପି ରହିଥିବା ମଧ୍ୟ ସମ୍ଭବ।