ଛତୁ ଖାଇବାକୁ ସମସ୍ତେ ଭଲ ପାଆନ୍ତି। ତେବେ ଛତୁରୁ ପୋଷାକ ପ୍ରସ୍ତୁତ ହୋଇପାରିବ ବୋଲି କେହି ଭାବି ନଥିବେ। ହେଲେ ଏହା ସତ। ଛତୁରୁ ମଧ୍ୟ ପ୍ରସ୍ତୁତ ହେଉଛି ପୋଷାକ, ଯାହା ଆଗକୁ ଫ୍ୟାସନ୍ର ଭବିଷ୍ୟତ୍ ହେବାକୁ ଯାଉଛି। ଆଜିକାଲି ଚାରିଆଡ଼େ ପରିବେଶ ପ୍ରଦୂଷଣ ଓ ବର୍ଜ୍ୟ ପରିଚାଳନାକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ଏ ଦିଗରେ ଫ୍ୟାସନ୍ ଶିଳ୍ପ ବି ପଛରେ ପଡ଼ିନି। ଏବେ ପରିବେଶ ଅନୁକୂଳ ପୋଷାକ ସାମଗ୍ରୀ ଭାବେ ଛତୁରେ ଥିବା ମିସେଲିୟମ୍ରୁ ଫାଇବର୍ ପ୍ରସ୍ତୁତ କରି ବ୍ୟବହାର କରାଯାଉଛି। ପ୍ରଯୁକ୍ତି ସାହାଯ୍ୟରେ ମିସେଲିୟମ୍କୁ ଥ୍ରିଡି ଷ୍ଟ୍ରକ୍ଚର୍ରେ ବଢ଼ାଯାଉଛି। ଏହାପରେ ଏଥିରୁ ପରିବେଶ ଉପଯୋଗୀ ଫାଇବର୍ ପ୍ରସ୍ତୁତ କରାଯାଉଛି। ଡଚ୍ ଫ୍ୟାସନ୍ ଡିଜାଇନର୍ ଆନିକା ହୋଟ୍ନିକ୍ ପ୍ରଥମେ ଏହି ଫାଇବର୍ ଉଦ୍ଭାବନ କରିଥିଲେ, ଯାହାର ନାଁ ଥିଲା ମାଇକୋଟେକ୍ସ। ଏହାକୁ ସେ ଲାବ୍ରେ ପ୍ରସ୍ତୁତକରି ଏକ ପୋଷାକ ତିଆରି କରି ଏକ ସୋ’ରେ ପ୍ରଦର୍ଶିତ କରିଥିଲେ। ବ୍ରିଟିସ୍ ଡିଜାଇନର୍ ସୁଜାନ୍ ଲି ମଧ୍ୟ ଛତୁ ଫାଇବର୍ରୁ ଏକ ଜ୍ୟାକେଟ୍ ପ୍ରସ୍ତୁତ କରିଥିଲେ। କେବଳ ପୋଷାକ ନୁହେଁ ଏହି ଫାଇବର୍ରୁ ଅନ୍ୟ ଫ୍ୟାସନ୍ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହେଉଛି। ୨୦୧୬ରେ ଫ୍ୟାସନ୍ ଡିଜାଇନର୍ ଷ୍ଟେଲା ମାକ୍କାର୍ଟେନି ମସ୍ରୁମ୍ ଲେଦର୍ରୁ ବ୍ୟାଗ୍ ତିଆରି କରିଥିଲେ। ଏବେ ଏହି ଫାଇବର୍କୁ ବ୍ୟବହାର କରି ଜୋତା, ବ୍ୟାଗ୍, ଘଣ୍ଟା, ବ୍ୟାଣ୍ଡ୍, ଡ୍ରେସ୍, ଜ୍ୟାକେଟ୍ ଆଦି ପ୍ରସ୍ତୁତ କରାଯାଉଛି।
ଟେକ୍ନିକାଲ୍ ପ୍ରୋସେସ୍କୁ ଉପଯୋଗ କରି ଏହି ଫାଇବର୍ ପ୍ରସ୍ତୁତ କରାଯାଉଥିବାରୁ ଏହାକୁ ବାୟୋ ଫାବ୍ରିକେସନ୍ କହନ୍ତି। ଉକ୍ତ ପ୍ରକ୍ରିୟାରେ ଛତୁର ମୂଳରୁ ଏହାକୁ ପ୍ରସ୍ତୁତ କରାଯାଏ। ଲାବ୍ରେ ଛତୁକୁ ବିଭିନ୍ନ ଟ୍ରିଟ୍ମେଣ୍ଟ୍ ଦିଆଯାଇଥାଏ, ଯେଉଁଥିରେ ତାପମାତ୍ରା, ଆର୍ଦ୍ରତା, ତେଲ ଆଦିର ବ୍ୟବହାର କରାଯାଇଥାଏ। ଏହା ଛତୁକୁ ବଢ଼ିବାରେ ସାହାଯ୍ୟ କରେ। ଏହାପରେ ଏହି ଛତୁକୁ ତୋଳି ଏକ ତରଳ ପଦାର୍ଥରେ ବୁଡ଼ାଯାଇ ରଖାଯାଏ। କିଛି ସମୟ ପରେ ସେହି ତରଳରୁ କଢ଼ାଯାଇ ଏକ ଥ୍ରିଡି ଛାଞ୍ଚରେ ଛତୁକୁ ରଖାଯାଏ। ଏହାପରେ ଶୁଖିବା ସମୟରେ ହିଁ ସ୍ବତନ୍ତ୍ର ଡିଜାଇନ୍ ଛାଞ୍ଚରେ ପକାଇ ସେହି ଷ୍ଟାଇଲ୍ର ପୋଷାକ ପ୍ରସ୍ତୁତ କରାଯାଏ। ଏହି ପୋଷାକ ତିଆରି କରିବା ପାଇଁ ସିଲେଇ ମେସିନ୍ର ବ୍ୟବହାର ହୋଇନଥାଏ।