ଗୋଟିଏ ପ୍ରଦେଶର ଲୋକକଳା ପ୍ରାଚୀନ ଭାରତର ପାଖାପାଖି ଆଉ ସବୁ ପ୍ରଦେଶର ଲୋକକଳା ପରି। ଧରନ୍ତୁ, ଓଡ଼ିଶାର ପଟ୍ଟଚିତ୍ର କଥା। ଏହି ଚିତ୍ରକଳା ଅଙ୍କନ ଶୈଳୀ ସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଗୁଜରାଟ ଏବଂ କର୍ଣ୍ଣାଟକର ଲୋକକଳାର ଅନେକ ସାଦୃଶ ରହିଛି। ଯେଉଁ ପ୍ରଦେଶର ହେଉ ନା କାହିଁକି, ଏହି ପାରମ୍ପରିକ ଚିତ୍ରକଳାର ଉଦ୍ଦେଶ୍ୟ ସୀମିତ- ହିନ୍ଦୁ ଧର୍ମର ନାନାବିଧ ପୌରାଣିକ ଉପାଖ୍ୟାନର ରୂପାୟନ।

Advertisment

ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ବିକଶିତ ହୋଇଥିବା ଏହି ଶ୍ରେଣୀୟ ଚିତ୍ରକଳା ମୁଖ୍ୟତଃ ଦକ୍ଷିଣାଞ୍ଚଳରେ ଗ୍ରାମ-ଗ୍ରାମାନ୍ତର ବୁଲି ନାଟତାମସା କରୁଥିବା ଲୋକମାନଙ୍କ ପାଇଁ ଚିତ୍ରକାରମାନେ ଅଙ୍କନ କରୁଥିଲେ ବୋଲି ବିଶ୍ୱାସ କରାଯାଏ। ସମୟକ୍ରମେ ରାଜାରାଜୁଡ଼ା ଏବଂ ଜମିଦାରମାନେ ସେମାନଙ୍କ ଉଆସ କାନ୍ଥ ଶୋଭା ବଢ଼ାଇବା ଲାଗି ଏ ଧରଣ ଚିତ୍ର ଅଙ୍କନ କରାଇଲେ।

publive-image

ପଟ୍ଟଚିତ୍ରର ଅଙ୍କନଧାରା ଓ ଶୈଳୀକୁ ବଜାୟ ରଖି ପ୍ରଦେଶ ବା ଅଞ୍ଚଳ ଭେଦରେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ସେ ସବୁ ହେଉଛି କୌଣସି ପୌରାଣିକ ଆଖ୍ୟାନରେ ଥିବା ପାତ୍ରପାତ୍ରୀମାନଙ୍କର ଅଙ୍ଗପ୍ରତ୍ୟଙ୍ଗ, ବେଶଭୂଷା ଓ ଅଳଙ୍କାର ଅଙ୍କନରେ ଫରକ। ଚିତ୍ରରେ ଅଙ୍କିତ ପଶୁପକ୍ଷୀ ଯଥା:- ସିଂହ, ବ୍ୟାଘ୍ର, ଅଶ୍ୱ, ଗାଈ, ମୃଗ, ହସ୍ତୀ, ବୃଷଭ, ମୟୂର, ଶୁକପକ୍ଷୀ, ଏବଂ କୁମ୍ଭୀର ଓ ସର୍ପ ଆଦି ସରୀସୃପଙ୍କ ଅଙ୍କନ ଢଙ୍ଗ ଏକା, କିନ୍ତୁ ପ୍ରଦେଶାନ୍ତରେ କେଉଁଠି କେମିତି ଛୋଟକାଟର ପରିବର୍ତ୍ତନ ହୋଇଛି।

କିଛି ଦଶନ୍ଧି ପୂର୍ବେ ଉତ୍ତରପଶ୍ଚିମ ଆନ୍ଧ୍ରପ୍ରଦେଶରୁ ମିଳିଥିଲା ରାମାୟଣ ଓ ମହାଭାରତ ଆଖ୍ୟାୟିକା ବର୍ଣ୍ଣିତ ବିରାଟ ପଟ୍ଟି ଚିତ୍ରରୁ କେତୋଟି। ସେଗୁଡ଼ିକ ମଧ୍ୟ ଦେଖିବାକୁ ଅବିକଳ ଓଡ଼ିଶାର ପ୍ରାଚୀନ ପଟ୍ଟଚିତ୍ର ପରି। ଗୁଜରାଟ ଓ ମହୀଶୂର ଅଞ୍ଚଳର ପଟ୍ଟଚିତ୍ରର ଅଙ୍କନ ଧାରା ଏହି ବର୍ଗର ହୋଇଥିଲେ ବି ଏତେ ମାର୍ଜିତ ନୁହେଁ। ପଶ୍ଚିମବଙ୍ଗର ଲୋକକଳାର ଧାରା ମଧ୍ୟ କେତେକାଂଶରେ ଏହି ଶ୍ରେଣୀୟ, କିନ୍ତୁ ଲାଳିତ୍ୟଯୁକ୍ତ। ଟିକେ ବାଙ୍ଗରା ଦିଶୁଥିବା ସେମାନଙ୍କ ଚିତ୍ରକଳାରେ ଠାକୁର ଓ ଠାକୁରାଣୀ ଓ ଅନ୍ୟ ପାତ୍ରପାତ୍ରୀମାନଙ୍କର ରୂପ ଅତ୍ୟନ୍ତ ସୁଠାମ ଓ ଦୃଷ୍ଟିମଧୁର।

ହିନ୍ଦୁ ପୌରାଣିକ ଆଖ୍ୟାନ ଓ ଘଟଣା ପ୍ରବାହ ବ୍ୟତିରେକେ, ଧର୍ମନିରପେକ୍ଷ କଥାବସ୍ତୁକୁ ଆଧାର କରି ମଧ୍ୟ ଅନେକ ପଟ୍ଟଚିତ୍ର ଅଙ୍କିତ ହୋଇଛି। ଅତୀତରେ ଏହି ପଟ୍ଟଚିତ୍ରଗୁଡ଼ିକ ମୁଖ୍ୟତଃ ମନୋରଞ୍ଜନ ଓ ଶିକ୍ଷା ନିମନ୍ତେ ଉପଯୋଗ କରାଯାଉଥିଲା।

ଗ୍ରାମଗ୍ରାମାନ୍ତର ବୁଲି ପୌରାଣିକ କଥାବସ୍ତୁ ଉପରେ ନାଟତାମସା ଦେଖାଉଥିବା ଦାକ୍ଷିଣୀ ନାଟୁଆ ଦଳଙ୍କ ପାଇଁ ପଟ୍ଟଚିତ୍ର ଆବଶ୍ୟକ ପଡୁଥିଲା। ସେମାନେ ନାଟ ଦେଖାଉଥିବା ସ୍ଥାନରେ ଦୃଶ୍ୟାନୁସାରେ ଏହି ପଟ୍ଟଚିତ୍ରଗୁଡ଼ିକୁ ଟଙ୍ଗାଉ ଥିଲେ। କିଛି ଦିନ ପରେ ସେ ଚିତ୍ରପଟରୁ ରଙ୍ଗ ଛାଡ଼ିଗଲେ ଚିତ୍ରକାରଙ୍କ ଦ୍ୱାରା ସେ ସବୁ ପୁଣି ରଙ୍ଗାୟିତ କରାଯାଉଥିଲା। ନଷ୍ଟ ହୋଇଯାଇଥିବା ପଟ୍ଟର ଚିତ୍ରଗୁଡ଼ିକୁ ଜଣେ ଅଭିଜ୍ଞ ଚିତ୍ରକାରଙ୍କ ତତ୍ତ୍ୱାବଧାନରେ ନୂଆ ପଟ୍ଟରେ ଅଙ୍କନ କରାଯାଉଥିଲା ଓ ପୁରଣା ପଟ୍ଟଟିକୁ ନଈରେ ବିସର୍ଜନ କରାଯାଉଥିଲା।

ପ୍ରାପ୍ୟ ବାବଦରେ ଚିତ୍ରକାରମାନଙ୍କୁ ମିଳୁଥିଲା ନଗଦ ଟଙ୍କା, ସଶ୍ୟ, ଲୁଗାପଟା ଅଥବା ଛେଳିଟାଏ।

publive-image

ଆଦ୍ୟ ପଟ୍ଟଚିତ୍ର ସବୁ ଥିଲା ଆଂଶିକ ନଗ୍ନ। ପଟ୍ଟର ନିମ୍ନ ଭାଗରେ ଗୋଟିଏ ରେଖାରେ ରହୁଥିଲେ ସମସ୍ତ ପାତ୍ର। ସେମାନଙ୍କ ପାଦ ଓ ମୁଖମଣ୍ଡଳ ଏକ ପାଖିଆ ରହୁଥିବା ବେଳେ ଶରୀର ରହୁଥିଲା ସମ୍ମୁଖ ଭାଗକୁ। ଗୋଟିଏ ରେଖା ସହାୟତରେ ଅଙ୍କନ କରାଯାଉଥିଲା କପାଳ ଓ ନାସିକା। ଚିତ୍ରାବଳୀର ମୂଳ ଅଙ୍କନ ଶୈଳୀ ଅଭିନ୍ନ ରଖି ବିଭିନ୍ନ ପ୍ରଦେଶର ଚିତ୍ରକାରମାନେ ସେମାନଙ୍କ ଅଞ୍ଚଳର ଲୋକମାନଙ୍କ ଚକ୍ଷୁ, ନାସିକା, ଓଠ, ବେଶପୋଷାକ, ଗହଣାଗାଣ୍ଠି ଓ କେଶବିନ୍ୟାସ ଭଳି ଚିତ୍ରରେ ଅଙ୍କନ କଲେ। ସମୟକ୍ରମେ ଅଙ୍କନ ଶୈଳୀ ମାର୍ଜିତ ଓ ଉନ୍ନତ ହେଲା।

ପୂର୍ବେ ଏଥିରେ ବ୍ୟବହୃତ ରଙ୍ଗ ଥିଲା ପ୍ରାକୃତିକ। ସବୁ ପଟ୍ଟଚିତ୍ରର ପୃଷ୍ଠଭୂମି ଥିଲା ଲାଲ୍‌। ୧୮୪୦ ପରେ ଇଉରୋପରୁ କୃତ୍ରିମ ରଙ୍ଗ ଆସିଲା ଏବଂ ତା’ର ବ୍ୟବହାର ସହଜ ହେବାରୁ ଚିତ୍ରକାରମାନେ ତାକୁହିଁ ବ୍ୟବହାର କଲେ।

ଶୁଣାଯାଏ ମୁସଲମାନ ଶାସକମାନଙ୍କ ଦୌରାତ୍ମ୍ୟ ବଢ଼ିବାରୁ ଦକ୍ଷିଣ ଅଞ୍ଚଳରୁ ଏହି ଚିତ୍ରକାର ଓ ନାଟୁଆ ସମ୍ପ୍ରଦାୟର ଲୋକେ ଦେଶର ବିଭିନ୍ନ ପ୍ରାନ୍ତରକୁ ଚାଲି ଯାଇଥିଲେ। (ଏସ୍‌.କେ)