ସୁଲଭ ଶୌଚାଳୟ ପାଲଟିଲା କ୍ଲିନିକ: ମଗଣାରେ ରୋଗୀଙ୍କୁ ଦିଆଯାଉଛି ଚିକିତ୍ସା

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସ୍ବାସ୍ଥ୍ୟବିଭାଗ ନୂଆ ପ୍ରୟୋଗ କରିବାକୁ ଯାଇ ସୁଲଭ ‌ଶୌଚାଳୟକୁ କ୍ଲିନିକରେ ପରିଣତ କରିଛି। ଏତଦ ଦ୍ବାର ଝୁଗି ବସ୍ତିରେ ରହୁଥିବା ଲୋକଙ୍କୁ ଅନେକ ଲାଭ ମିଳିଛି। ଏହି କ୍ଲିନିକର ଆରମ୍ଭ ୨୦୨୦ରେ ହୋଇଥିଲା। କିନ୍ତୁ ପ୍ରଥମେ ଲୋକମାନେ ଏହି କ୍ଲିନିକରୁ  ଚିକିତ୍ସା ସେବା ନେବାକୁ କୁଣ୍ଠାବୋଧ କରୁଥିଲେ। ଧୀରେଧୀରେ ଲୋକେ ଏହାର ମୂଲ୍ୟ ବୁଝି ଚିକିତ୍ସା ପାଇଁ ଆସିଥିଲେ। କାରଣ ଏଣିକି ତାଙ୍କୁ ଆଉ ଛୋଟଛୋଟ ରୋଗ ପାଇଁ ଦୂର ହସ୍ପିଟାଲକୁ ଯିବାକୁ ପଡ଼ୁନାହିଁ। ପ୍ରତିଦିନ ଏଠାକୁ ୪୦ରୁ ୫୦ଜଣ ରୋଗୀ ପହଞ୍ଚି ଚିକିତ୍ସାର ଲାଭ ଉଠାଇଥାଆନ୍ତି।

ସୁଲଭ ଶୌଚାଳୟରେ କ୍ଲିନିକ ହେବା ପୂର୍ବରୁ ଏହା ବନ୍ଦ ଥିଲା। ଯେଉଁ କାରଣରୁ ଏଠାରେ ଆଳିଆ, ଆବର୍ଜନାରେ ପରିପୂର୍ଣ୍ଣ ଥିଲା। କ୍ଲିନିକ ହେବା ପରେ ଏଠାକାର ପରିବେଶ ପୂରା ସଫାସୁତୁରା ରହିଛି। ଏହି କ୍ଲିନିକ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ‌ଖୋଲା ରହିଥାଏ। ଏଠାରେ ଇଏନଟି, ସ୍କ୍ରିନିଙ୍ଗ, ମାତୃ ଓ ଶିଶୁ ସ୍ବାସ୍ଥ୍ୟ, କିଶୋର ସ୍ବାସ୍ଥ୍ୟ ଆଦିର ଚିକିତ୍ସା ବିନା ମୂଲ୍ୟରେ କରାଯାଇଥାଏ।

କୁହାଯାଉଛି କି, ପ୍ରଥମେ କ୍ଲିନିକ ଖୋଲିବା ପାଇଁ କୋଠା ମିଳି ନଥିଲା। ସେଥିପାଇଁ ବନ୍ଦ ପଡ଼ିଥିବା  ସୁଲଭ ଶୌଚାଳୟକୁ ମରାମତି କରି କ୍ଲିନିକ ‌ଖୋଲା ଯାଇଥିଲା। ଏହି କ୍ଲିନିକ ଦ୍ବାରା ଅନେକ ଲୋକ ଉପକୃତ ହେଉଛନ୍ତି। ସୁଲଭ ଶୌଚାଳୟରେ ଖୋଲା ଯାଇଥିବା କ୍ଲିନିକର ନାମ ସଞ୍ଜିବନୀ କ୍ଲିନିକ ରଖାଯାଇଛି।

ସମ୍ବନ୍ଧିତ ଖବର