କାମରୁ ଟିକେ ସମୟ ବାହାର କରି ନୃତ୍ୟ କଲେ ଅଟୋ ଚାଳକ: ରାତାରାତି ପାଲଟିଗଲେ ଷ୍ଟାର, ମିଳିଛି ସିନେମାରେ କାମ କରିବା ଅଫର

ଭୁବନେଶ୍ବର: ସୋସିଆଲ ମିଡିଆର ବ୍ୟବହାର ହେତୁ ପିଲାମାନେ ବିଗିଡ଼ି ଯାଉଥିବା କୁହାଯାଉଛି। ତେବେ ଏହି ସୋସିଆଲ ମିଡିଆ ବ୍ୟବହାର କରି ପିଲାମାନେ କିଛି ଶିକ୍ଷା ପାଉଥିବା ବି ଦେଖିବାକୁ ମିଳିଛି। ଏତଦ ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଆଧାର କରି ଲୋକମାନେ ନିଜର ଲୁକ୍କାୟିତ ପ୍ରତିଭାକୁ ଫୁଟାଇ ବି ପାରୁଛନ୍ତି। ଏମିତି କି ଜଣେଜଣେ ତ ନିଜ ପ୍ରତିଭା ପାଇଁ ରାତାରାତି ସୋସିଆଲ ମିଡିଆ ଜରିଆରେ ଷ୍ଟାର ପାଲଟି ଯାଉଥିବା ନଜରକୁ ଆସିଛି।

ନିକଟରେ ଜଣେ ଅଟୋ ଚାଳକ ଏମିତି ନୃତ୍ୟ କରିଛନ୍ତି କି ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ସେ ଷ୍ଟାର ପାଲଟି ଯାଇଛନ୍ତି। ତେବେ ଭିଡିଓରେ ଅଟୋ ଚାଳକଙ୍କୁ ପାରମ୍ପରିକ ଲୋକନୃତ୍ୟ ‘ଲାବଣୀ’ କରୁଥିବା ଦେଖିବାକୁ ମିଳୁଛି। ଏଥିସହିତ ଅନ୍ୟ ଅଟୋଚାଳକମାନେ ତାଙ୍କ ପାଖରେ ଠିଆ ହୋଇ ତାଳି ବଜାଇ ତାଙ୍କୁ ଉତ୍ସାହିତ କରୁଥିବା ବି ନଜରକୁ ଆସିଛି।

୪୫ବର୍ଷୀୟ ବାବଜୀ କାମ୍ବେଲ ଗତ କିଛି ବର୍ଷ ଧରି ବାରାମତୀ ସହରରେ ଅଟୋ ଚଳାଇ ଆସୁଛନ୍ତି। ତାଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ଦୁଇ ପୁଅ। ବଡ଼ ପୁଅ ଦଶମରେ ପଢ଼ୁଥିବା ବେଳେ ସାନ ସପ୍ତମରେ ପଢ଼ୁଛି। କରୋନା ମହାମାରୀ ସମୟରେ ବାବଜୀ କାମ୍ବେଲଙ୍କ ବ୍ୟବସାୟ ଠପ ହୋଇଯାଇଥିଲା। ଏବେ ପୁଣିଥରେ ପରିସ୍ଥିତି ଧୀରେଧୀରେ ସ୍ବଭାବିକ ହେବାକୁ ଯାଉଛି। ତେଣୁ କାମରୁ ସମୟ ବାହାର କରି ବାବଜୀ କାମ୍ବେଲ  ନିଜ ସାଥୀ ଅଟୋ ଚାଳକଙ୍କ ମନୋରଞ୍ଜନ କରିବାକୁ ରାସ୍ତାରେ ନୃତ୍ୟ କରିଥିଲେ।

ତେବେ ‘ଲାବଣୀ’ ନୃତ୍ୟ କରୁଥିବା ବେଳେ ବାବଜୀଙ୍କ ଭିଡିଓ ସୁଟ କରି କେହି ଜଣେ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଏହାପରେ ବାବଜୀଙ୍କ ନୃତ୍ୟ କରିବାର ଏହି ଭିଡିଓ ଭାଇରାଲ ହୋଇଯାଇଥିଲା। ଅଟୋ ଚାଳକଙ୍କ ଏଭଳି ପ୍ରତିଭା ଦେଖି ସିନେମା ନିର୍ଦେଶକ ଘନଶ୍ୟାମ ୟେଡେ ବାବଜୀ କାମ୍ବେଲଙ୍କୁ ଦୁଇଟି ମରାଠୀ ସିନେମା‘ ଚଲ ରେ ଫୌଜୀ’ ଓ ‘କବଚ’ରେ କାମ କରିବାର ଅଫର ଦେଇଛନ୍ତି।

ସମ୍ବନ୍ଧିତ ଖବର