ନୂଆଦିଲ୍ଲୀ: ସମସ୍ତେ କହନ୍ତି ଚାଷ କରି ଆଜି ଯାଏ କେହି କେବେ ବଡ଼ ମଣିଷ ହୋଇ ପାରିନାହିଁ। କିନ୍ତୁ ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି ପୁଣେର ଏହି ଦୁଇ ଭାଇ ସତ୍ୟଜିତ୍‌ ଓ ଆଜିଙ୍କ ହାଙ୍ଗେ। ପୁଣେ ବିଶ୍ୱବିଦ୍ୟାଳୟରେଏହି ଦୁଇ ଭାଇ ଏମ୍‌ବିଏ ସାରିବା ପରେ ବହୁ ବଡ କମ୍ପାନିରେ ମୋଟା ଦରମାରେ ଚାକିରି କରୁଥିଲେ। କିନ୍ତୁ ଚାଷ ପ୍ରତି ଥିବା ନିଶା ତାଙ୍କୁ ସେଠାରେ ବାନ୍ଧି ରଖି ପାରିନଥିଲା। ଏକ ଛୋଟ ଜମିରୁ ସେମାନେ ତାଙ୍କ ଜୈବିକ ଫାର୍ମ ଆରମ୍ଭ କରିଥିଲେ। ଆଉ ଏହି ଫାର୍ମର ନାମ ରଖିଥିଲେ 'ଟୁ ବ୍ରଦରସ୍‌ ଅର୍ଗାନିକ ଫାର୍ମ'। ଆଉ ଏହି ଫାର୍ମରେ ଜୈବିକ ଚାଷ କରି ସେମାନେ ଏବେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

Advertisment

ଆରମ୍ଭରେ ସେମାନଙ୍କର ନିଷ୍ପତ୍ତିକୁ ବହୁ ସମାଲୋଚନା ମଧ୍ୟ କରାଯାଇଥିଲା, କିନ୍ତୁ ସେସବୁକୁ ଖାତିର ନ କରି ସେମାନେ ଆଗକୁ ବଢିଥିଲେ। ଦୁଇ ଭାଇଙ୍କୁ କୁହାଯାଇଥିଲା ଯେ ଚାଷ ଏକ ଲାଭଜନକ ବିକଳ୍ପ ନୁହେଁ। ଏହା ଦ୍ୱାରା କ୍ଷତି ସହିବାକୁ ପଡିବ, ତେଣୁ ତୁମେ ଏହାକୁ ବନ୍ଦ କରିଦିଅ। କିନ୍ତୁ, ଆଠ ବର୍ଷ ପରେ ତାଙ୍କର ଏହି ଜୈବିକ ଚାଷ ସେମାନଙ୍କୁ ଏକ ସଫଳ ବ୍ୟବସାୟୀରେ ପରିଣତ କରିଛି । ନିଜ କୃଷିରୁ ବର୍ଷରୁ ୨ ଲକ୍ଷ ରୋଜଗାର କରୁଥିବା ଏହି ଦୁଇ ଭାଇ ଏବେ ବର୍ଷକୁ ୩ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇ ପାରିଛନ୍ତି। ସେମାନେ ବିନା ସାରରେ ଜମିକୁ ଉର୍ବର ରଖିବାର ଉପାୟ ଆପଣାଇଥିଲେ। ଗୋମୁତ୍ର ଓ ଗୋବରକୁ କୃଷି ଜମିରେ ବ୍ୟବହାର କରି ଜମିର ଉର୍ବରତା ବଢ଼ାଇ ସେଥିରୁ ଫସଲ ଫଳାଉଛନ୍ତି ଏହି ଦୁଇ ଭାଇ।

ଏହି ଫାର୍ମରେ ଚାଉଳ, ଘିଅ, ଡାଲି, ଚବନପ୍ରାସ ଏବଂ ଲଡୁ ସହିତ ବିଭିନ୍ନ ଜୈବିକ ପଦାର୍ଥ ବିକ୍ରି ହୋଇଥାଏ। ଏଥିସହ ୧୪ରୁ ଅଧିକ ଦେଶର ଲୋକମାନେ ସେମାନଙ୍କର ଚାଷଜମି ପରିଦର୍ଶନ କରି ସେମାନଙ୍କର ଜୈବିକ ଚାଷ ପ୍ରଣାଳୀ ଶିଖିଛନ୍ତି। ଏଥିମଧ୍ୟରେ ଆମେରିକା, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆର ଯାତ୍ରୀ, କୃଷକ, ଗଣମାଧ୍ୟମ ବିଶେଷଜ୍ଞ ଏବଂ ବ୍ୟାଙ୍କର ଇତ୍ୟାଦି ଅନ୍ତର୍ଭୁକ୍ତ।