କରୋନା ଛଡ଼ାଇ ନେଲା ଚାକିରି, ୧୬ ଜଣ ପୁରୁଷଙ୍କ ସହ ପରିଚୟ ବଢ଼ାଇ ୧୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହାତେଇ ସାରିଲେଣି ମହିଳା

ପୁଣେ: କରୋନା ମହାମାରୀ ହେତୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଅନେକଙ୍କୁ ସ୍ବାବଲମ୍ବୀ କରାଇଛି ତ ଅନେକଙ୍କୁ ଅବାଟକୁ ଯିବା ପାଇଁ ବାଧ୍ୟ କରିପକାଇଛି। ଚାକିରି ହରାଇ କିଛି ଲୋକ ଆତ୍ମନିର୍ଭରଶୀଳ ପାଲଟିଛନ୍ତି ତ ଆଉ କିଛି ଲୋକ ଅନୈତିକ ଉପାୟରେ ଟଙ୍କା ରୋଜଗାର କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ଲକ୍‌ଡାଉନ୍‌ରେ ରୋଜଗାରର ମାଧ୍ୟମ ହରାଇ ପୁଣେର ଜଣେ ମହିଳା ଡେଟିଂ ଆପ୍‌ ଜରିଆରେ ୧୬ ଜଣ ଲୋକଙ୍କଠାରୁ ଟଙ୍କା ଲୁଟ୍‌ କରି ପିମ୍ପ୍ରି-ଚିଞ୍ଚୱାଡ ପୁଲିସ୍‌ ହାତରେ ଗିରଫ ହୋଇଛନ୍ତି।

ଜାଣିବାକୁ ମିଳିଛି ଯେ ମହିଳା ଜଣକ ଡେଟିଂ ଆପ୍‌ ଜରିଆରେ ପୁରୁଷଙ୍କ ସହ ପରିଚୟ ବଢାଉଥିଲେ। କିଛି ଦିନ କଥାବାର୍ତ୍ତା ହୋଇ ବିଶ୍ବାସ ଜିଣିବା ପରେ ସେ ପୁରୁଷମାନଙ୍କୁ ସାକ୍ଷାତ ପାଇଁ ଡାକୁଥିଲେ। ସେଠାରେ ମହିଳା ଜଣଙ୍କ ନିଶା ଦେଇ ପୁରୁଷମାନଙ୍କୁ ବେହୋସ କରାଇବା ପରେ ତାଙ୍କଠାରୁ ଟଙ୍କା ଲୁଟ୍‌ କରୁଥିଲେ। ପ୍ରାୟ ଏକ ବର୍ଷ ହେବ ମହିଳା ଜଣକ ଏପରି କାରବାର ଚଳାଇ ଆସୁଛନ୍ତି ବୋଲି ଅଭିଯୋଗ ହୋଇଛି।

India Today

ପୀଡ଼ିତମାନଙ୍କ ମଧ୍ୟରୁ ଜଣେ ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ଘଟଣାର ତଦନ୍ତ କରି ପୁଲିସ୍‌ ମହିଳାଙ୍କୁ ଗିରଫ କରିଛି। ପିମ୍ପ୍ରି-ଚିଞ୍ଚୱାଡ ପୁଲିସ୍‌ କମିସନର କ୍ରିଷ୍ଣା ପ୍ରକାଶ କହିଛନ୍ତି ଯେ ମହିଳା ଜଣକ ଡେଟିଂ ଆପ୍‌ ଟିଣ୍ଡର ଓ ବମ୍ବଲରୁ ପୁରୁଷଙ୍କୁ ପଟାଇ ତାଙ୍କଠାରୁ ଲୁଟ୍‌ କରୁଥିଲେ।

ମହିଳା ପୂର୍ବରୁ ଏମିତି ଅନେକଙ୍କ ସହ କରି ସାରିଛନ୍ତି। ନିକଟରେ ଆଶିଷ କୁମାର ନାମକ ଜଣେ ଯୁବକ ତାଙ୍କ ନାମରେ ଅଭିଯୋଗ ଆଣି କହିଥିଲେ ଯେ ମହିଳା ତାଙ୍କୁ ଏକ ହୋଟେଲ୍‌କୁ ଡାକି ତାଙ୍କ ପାନୀୟରେ ନିଶା ମିଶାଇ ତାଙ୍କ ନିକଟରେ ଥିବା ଅନେକ ମୂଲ୍ୟବାନ ସାମଗ୍ରୀକୁ ଚୋରି କରିଛନ୍ତି।

ପୁଲିସ୍‌ ଅଭିଯୁକ୍ତାଙ୍କୁ ଧରିବା ସହ ତାଙ୍କ ପାଖରୁ ୧୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଓ ଗହଣା ଜବତ କରିଛି। ମହିଳାଙ୍କ ନାମରେ ଏଯାବତ୍‌ ସମୁଦାୟ ୪ ଜଣ ଅଭିଯୋଗ ଆଣି ସାରିଲେଣି।

ସମ୍ବନ୍ଧିତ ଖବର