ଚଣ୍ଡିଗଡ଼: ଆଜି ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ତାଙ୍କ ବିବାହ ଅତି ନିରାଡ଼ମ୍ବର ଭାବେ ହେବ। ବିବାହ ଉତ୍ସବରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେବେ ବୋଲି ସୂଚନା ରହିଛି। ତେବେ ଯେଉଁମାନଙ୍କୁ ନିମନ୍ତ୍ରଣ ଦିଆଯାଇଛି ସେମାନଙ୍କ ଚର୍ଚ୍ଚାରେ ଯେପରି କୌଣସି ଅଭାବ ନରୁହେ ଭଗବନ୍ତ ସେଥିପାଇଁ ବିଶେଷ ବନ୍ଦୋବସ୍ତ କରିଛନ୍ତି।
ତେବେ ତାଙ୍କ ବିବାହ ଉତ୍ସବରେ ଅତିଥିମାନଙ୍କୁ କ’ଣ ଖାଇବାକୁ ମିଳିବ ତାହାର ମେନୁ ଏବେ ଭାଇରାଲ୍ ହେବାରେ ଲାଗିଛି। ଖାଦ୍ୟ ତାଲିକାରେ କଡାଇ ପନୀର୍, ମସ୍ରୁମ୍ ପ୍ୟାଜ୍, ଖୁବାନି ଷ୍ଟକ୍ କୋଫ୍ତା, କଲେଜିଁ ୱାଲେ ଆଲୁ, ଭେଜିଟେବଲ୍ ଜଲଫ୍ରେଜି, ଚଣା ମସଲା, ତନ୍ଦୁରୀ କୁଲ୍ଚେ ଏବଂ ଦାଲ୍ ମଖନୀ ରହିଛି। ସେହିପରି ମିଠାରେ ମୁଗଁ ଡାଲ୍ ହଲ୍ୱା, ସାହି ଟୁକ୍ଡା, ଅଙ୍ଗୁରୀ ରସ୍ମଲାଇ, ମାହ ଦୀ ଜଲେବି, ଡ୍ରାଇ ଫ୍ରୁଟ୍ ରାବିଡ୍ ଓ ଗୁଲାବ୍ ଜାମୁନ୍ ଖାଇବାକୁ ମିଳିବ ଅତିଥିମାନଙ୍କୁ।
ଚଣ୍ଡିଗଡ଼ ସ୍ଥିତ ନିଜ ବାସଭବନରେ ମାନ୍ଙ୍କ ବିବାହ ଉତ୍ସବର ଆୟୋଜନ କରାଯାଇଛି। ୪୮ ବର୍ଷୀୟ ମାନ୍ ତାଙ୍କଠାରୁ ୧୬ ବର୍ଷ ଛୋଟ ଡ. ଗୁରପ୍ରୀତ କୌରଙ୍କୁ ବିବାହ କରିବେ। ମାନ୍ଙ୍କର ଏହା ଦ୍ବିତୀୟ ବିବାହ। ୬ ବର୍ଷ ପୂର୍ବେ ମାନ୍ଙ୍କର ଛାଡ଼ପତ୍ର ହୋଇସାରିଛି। ମାନ୍ ଏବଂ ତାଙ୍କ ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌର ୨୦୧୫ ମାର୍ଚ୍ଚରେ ଛାଡ଼ପତ୍ର ପାଇଁ ମୋହାଲି କୋର୍ଟରେ ଆବେଦନ କରିଥିଲେ। ଇନ୍ଦରପ୍ରୀତ କୌର ଏବଂ ତାଙ୍କ ୨ ପିଲା ଦିଲଶାନ ଏବଂ ସିରତ ଏବେ ଆମେରିକାରେ ରହୁଛନ୍ତି।