ପଦ୍ମପୁରାଣର ବର୍ଣ୍ଣନା ଅନୁସାରେ, “ଗଂଗେତି ସ୍ମରଣାଦେବ କ୍ଷୟଂ ଯାତି ଚ ପାତକମ୍‌” ସେହି ପୁଣ୍ୟତୋୟା ନଦୀ ଗଙ୍ଗା ସ୍ୱର୍ଗରେ ମନ୍ଦାକିନୀ, ମର୍ତ୍ତ୍ୟରେ ଭାଗୀରଥୀ, ପାତାଳରେ ଭୋଗବତୀ ଭାବରେ ପରିକୀର୍ତ୍ତିତା। ତାଙ୍କର ମର୍ତ୍ତ୍ୟଯାତ୍ରା ଯେପରି ମନଲୋଭା ସେହିପରି ହୃଦୟସ୍ପର୍ଶୀ। ଅସଂଖ୍ୟ କାହାଣୀ ଓ କିଂବଦନ୍ତିର ଜନନୀ ଭାବରେ ଏହି ନଦୀ କେବେ ପାବନ ଜଳସ୍ରୋତ ତ କେବେ ମୂର୍ତ୍ତିମତୀ ତପଶ୍ଚାରିଣୀ; ଏବଂ ପୁଣି କେବେ ଅହଂକାରୀ ରାଜରାଣୀ। ଏମିତି ଅସଂଖ୍ୟ ରୂପ-ବିରୂପର ଅଧିକାରିଣୀ ଗଙ୍ଗା ଅସଂଖ୍ୟ ନାମରେ ବିଭୂଷିତା। ଜାହ୍ନବୀ, ସର୍ବେଶ୍ୱରୀ, ଶୁଭ୍ରା, ନିକିତା, ଭାଗୀରଥୀ, ଅଳକାନନ୍ଦା, ବିଷ୍ଣୁପଦୀ, ମନ୍ଦାକିନୀ, ସିନ୍ଧୁଗାମିନୀ, ତ୍ରିପଥଗା, ସୁଘୋଷା ଇତ୍ୟାଦି। ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କର ପବିତ୍ର ସ୍ପର୍ଶ ଲାଭ କରି ପବିତ୍ରରୁ ପବିତ୍ରତମାରେ ପରିଣତ ହୋଇ ଚାରିଯୁଗ ଅତିକ୍ରମ କରି, ଆଜି ମଧ୍ୟ ତାର ପାପନାଶିନୀ ରୂପକୁ ସେ ଅକ୍ଷୁଣ୍ଣ ରଖିଛି।

Advertisment

ଯେତେବେଳେ ବ୍ରହ୍ମଦେବ ପ୍ରକୃତିକୁ ଆଶ୍ରୟ କରି ସମଗ୍ର ସୃଷ୍ଟି ରଚନା କଲେ, ସେଥିରେ ସେ ସାତ ସ୍ୱରୂପକୁ ଅଭିଷିକ୍ତ କଲେ ଏବଂ ସେଥିରୁ ଏକ ପ୍ରକୃତି ଧର୍ମଦ୍ରବାକୁ ନିଜ କମଣ୍ଡଳୁରେ ଧାରଣ କଲେ। ଯେତେବେଳେ ବାମନ ରୂପରେ ଭଗବାନଙ୍କର ଏକ ଚରଣ ବ୍ରହ୍ମାଣ୍ଡ ଭେଦ କରି ବ୍ରହ୍ମଲୋକରେ ପହଞ୍ଚିଲା, ବ୍ରହ୍ମଦେବ ସେହି ଚରଣକୁ ନିଜ କମଣ୍ଡଳୁରେ ରଖିଥିବା ଧର୍ମଦ୍ରବାରେ ପ୍ରକ୍ଷାଳନ କଲେ। ସେଥିରୁ କିଛି ଜଳବିନ୍ଦୁ ଝରି ହେମକୂଟ ପର୍ବତରେ ପଡ଼ିଲା ଏବଂ ବହିଆସି ଶିବଙ୍କ ଜଟା ମଧ୍ୟରେ ରହିଗଲା। ଭଗୀରଥ ଶିବଙ୍କୁ ସନ୍ତୁଷ୍ଟ କରି ଗଙ୍ଗାଙ୍କୁ ପୃଥ୍ୱୀଲୋକକୁ ଆଣିଲେ। ତିନି ଦେବତାଙ୍କ ସ୍ପର୍ଶରେ ପବିତ୍ର ସେହି ନଦୀ ତ୍ରିଧାରାରେ ବହିବାକୁ ଲାଗିଲେ। ଶିବଙ୍କ ଅଳକାରୁ ବହିର୍ଗତ ହୋଇ ଏହି ଅଳକାନନ୍ଦା ନାମଧାରୀ ନଦୀ ଯେତେବେଳେ ପର୍ବତର ପ୍ରସ୍ତର ଶଯ୍ୟା ପରିତ୍ୟାଗ କରି ସମତଳକୁ ଆସିଲେ, ସେଠାରେ ତାଙ୍କୁ ଏକ ମହା ବିଡ଼ମ୍ବନାର ସମ୍ମୁଖୀନ ହେବାକୁ ପଡ଼ିଲା। ଗଙ୍ଗା ପ୍ରବଳ ସ୍ରୋତରେ ମହର୍ଷି ଜହ୍ନୁଙ୍କର ତପସ୍ୟା ଭୂମି ସହିତ ହବନକୁଣ୍ଡକୁ ଭସାଇ ନେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହର୍ଷି ଜହ୍ନୁ ଗଙ୍ଗାଙ୍କୁ ହାତ ଆଞ୍ଜୁଳାରେ ଭରି ପାନ କରି ଉଦରସ୍ଥ କରିନେଲେ। ଚତୁର୍ଦ୍ଦିଗରେ ହାହାକାର ପଡ଼ିଗଲା। ଦେବତାମାନେ ଭଗୀରଥଙ୍କ ତପସ୍ୟା ବ୍ୟର୍ଥ ହେବାର ଦେଖି, ଜହ୍ନୁଙ୍କ ପାଖରେ ପହଞ୍ଚି, ତାଙ୍କୁ ସମସ୍ତ କଥା ଜଣାଇ, ଗଙ୍ଗାଙ୍କୁ ମୁକ୍ତ କରିବାପାଇଁ ଅନୁରୋଧ କଲେ। ଜହ୍ନୁ କ୍ରୋଧ ସମ୍ବରଣ କରି ନିଜ କର୍ଣ୍ଣଦେଇ ଗଙ୍ଗାଙ୍କୁ ପ୍ରବାହିତ କରାଇଲେ। ଜହ୍ନୁଙ୍କଠାରୁ ଜନ୍ମଲାଭ କରିବାରୁ ଗଙ୍ଗାଙ୍କର ନାମ ହେଲା ଜାହ୍ନବୀ।
-ଡକ୍ଟର ତୁଳସୀ ଓଝା