ଓଡ଼ିଆଙ୍କ ଜୀବନଶୈଳୀ ତଥା ଭକ୍ତି ସାହିତ୍ୟରେ କାର୍ତ୍ତିକ ମାସର ମହିମା ଅତୁଳନୀୟ। ବିଶେଷକରି ମାଆ, ମାଉସୀମାନଙ୍କର ହବିଷମାସ ଭାବରେ ପୁଣ୍ୟକାର୍ତ୍ତିକର ପ୍ରତ୍ୟେକଟି ଦିନ ଗୁରୁତ୍ୱପୂର୍ଣ୍ଣ। ପହିଲି କାର୍ତ୍ତିକ ଦିନ ବଡ଼ି ଭୋର୍ରୁ ଉଠି ଗାଧୋଇପାଧୋଇ ଚଉରା ପୂଜା କରିବାକୁ ଆସନ୍ତି ସେମାନେ। ମୁରୁଜରେ କୁଟିକମ ଝୋଟି, ମାଛଧଡ଼ି, ସ୍ୱର୍ଗ ନିଶୁଣି, ଯୋଡ଼ିଶୁଆ, ଶଂଖ, ଚକ୍ର, ଗଦା, ପଦ୍ମ, ହାତୀ, କଳସ, ନାନାଦିମଣ୍ଡଳ କାଟି ଅପେକ୍ଷା କରନ୍ତି ବ୍ରାହ୍ମଣ ପୂଜକଙ୍କୁ। ସେ ଆସିଲେ ମାଆ, ମାଉସୀଙ୍କୁ ସଂକଳ୍ପ କରାନ୍ତି। କାର୍ତ୍ତିକମାସର ହବିଷ ବ୍ୟବସ୍ଥା ଅନ୍ନ ଅଭାବଜନିତ କାଳ୍ପନିକ ପରିସ୍ଥିତି ହୋଇପାରେ। ବୈଧବ୍ୟ ଭୋଗୁଥିବା ନାରୀମାନେ ଏହି ମାସରେ ଅର୍ଦ୍ଧାହାର କରି ଆଶ୍ରୟଦାତା ଗୃହସ୍ଥଙ୍କୁ ଅନ୍ନସଙ୍କଟ ସମୟରେ ସାହାଯ୍ୟ କରୁଥିଲେ ବୋଲି କେହି କେହି ସମାଜଶାସ୍ତ୍ରୀ କହନ୍ତି। ଓଡ଼ିଶାରେ ମାର୍ଗଶିର ମାସରେ ଧାନ ଅମଳ ହୁଏ। ଏଣୁ ସ୍ୱାଭାବିକ ଭାବରେ କାର୍ତ୍ତିକ ମାସ ବେଳକୁ ଅନ୍ନଭଣ୍ଡାର ଖାଲି ହୋଇଆସୁଥାଏ।
ପନିପରିବା ଫସଲ ଅମଳ ହୋଇନଥାଏ। ତେଣୁ ମାଟିତଳୁ ବାହାରି ଥିବା ସାରୁ, ଦେଶୀଆଳୁ, କନ୍ଦମୂଳ, ଅଦା ତଥା ଓଉ, କଞ୍ଚାକଦଳୀ ପରି ବାଡ଼ିଘରେ ଫଳୁଥିବା ପରିବା ସହ ବହୁଳ ଭାବରେ ମିଳୁଥିବା ମୁଗଜାଇ, ନୂଆ କୋଶଳା ଶାଗ କି ଅଗସ୍ତି ଶାଗ ହୁଏ ହବିଷ୍ୟାନ୍ନର ଯୋଗାଡ଼। ଏହାକୁ ଶୁଦ୍ଧ ଗୁଆଘିଅ, ଦହି, କାନ୍ଧିଆ ଆଦି ମୁଖରୋଚକ କରାଏ। ସମୟକ୍ରମେ ସଧବା ମହିଳାମାନଙ୍କ ସକ୍ରିୟ ସହଯୋଗ ମିଳେ। କାର୍ତ୍ତିକ ହବିଷ ପାଲଟେ ସାମାଜିକତାର ଦର୍ପଣ। ମା’ ମାଉସୀଙ୍କୁ ହବିଷ ଭାର ପଠାନ୍ତି ବନ୍ଧୁଘରମାନେ, ବଦଳରେ ସେମାନଙ୍କ ପାଇଁ ହବିଷାନ୍ନ ଭୋଜନର ନିମନ୍ତ୍ରଣ ଯାଏ। ନିପଟ ଓଡ଼ିଆଘରେ ଗୁଆଘିଅରେ ପ୍ରସ୍ତୁତ ହବିଷଡ଼ାଲମା ଶୁଦ୍ଧ ଶାକାହାରୀ ଭୋଜନର ଅଦ୍ଭୁତ ନମୁନା, ଯାହା ଆଜିପର୍ଯ୍ୟନ୍ତ ଫିକା ପଡ଼ିନାହିଁ। ଶ୍ରୀମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିରର ଭୋଗରେ ବି ହବିଷ ପାଳନ କରାଯାଏ। ସଂକଳ୍ପ ଓ ଶୁଦ୍ଧାଚାର ହିଁ ଏ ବ୍ରତର ଲକ୍ଷ୍ୟ।
କିଂବଦନ୍ତି ଅନୁସାରେ ପୁରୀପଣ୍ଡାଙ୍କ ଝିଅ ରାଇ ପ୍ରତି ପ୍ରଭୁ ଜଗନ୍ନାଥଙ୍କ ପ୍ରେମଭାବ ଜାଗ୍ରତ ହୁଏ। ସେ ତାଙ୍କ ସହ ମିଳିତ ହେବାରୁ ରାଇ ଗର୍ଭବତୀ ହୁଅନ୍ତି, ଏହା ଜାଣି ପଣ୍ଡାଏ ଲୋକଲଜ୍ଜା ଭୟରେ ମନ ଊଣା କରି ପ୍ରଭୁଙ୍କ ଶରଣାପନ୍ନ ହୁଅନ୍ତି। ପ୍ରଭୁ ସ୍ୱପ୍ନାଦେଶ ଦେଇ ବଡ଼ପଣ୍ଡାଙ୍କୁ କହନ୍ତି ଯେ, ରାଇ ତାଙ୍କର ପତ୍ନୀ ତଥା ତାଙ୍କ ଗର୍ଭଜାତ ପୁଅର ନାମ ହେବ ମକରଧ୍ବଜ। ରାଇଙ୍କ ଶୀଳତା ଓ ସ୍ୱଭାବରେ ମୁଗ୍ଧ ହୋଇ ମାଆ ମହାଲକ୍ଷ୍ମୀ ତାଙ୍କୁ ଶ୍ରୀଜଗନ୍ନାଥଙ୍କ ସହ କାର୍ତ୍ତିକର ପ୍ରଥମ ପଚିଶଦିନର ଦାମ୍ପତ୍ୟ ଭୋଗ କରିବାକୁ ଅନୁମତି ଦିଅନ୍ତି। ଅଁଳା ନବମୀ ଦିନ ସାକ୍ଷୀଗୋପାଳରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ଓ ପାଦଦର୍ଶନ ହୁଏ, ତା’ପରେ ପଞ୍ଚୁକ ପାଞ୍ଚଦିନ ଠାକୁରଙ୍କ ଲକ୍ଷ୍ମୀନାରାୟଣ ବେଶ ଓ ପୂଜା ହୁଏ। ମାଆ ମହାଲକ୍ଷ୍ମୀଙ୍କଠାରୁ ପଶାଖେଳରେ ପ୍ରଭୁ ହାରି ନିଜକୁ ତାଙ୍କଠାରେ ସମର୍ପଣ କରିଥିଲେ। ସେହି ଗୀତକୁ ଚଉଁରା ଗୀତ ବା ରାଇଦାମୋଦର ଗୀତ ଭାବରେ ଗ୍ରହଣ କରାଯାଇଛି। ଓଡ଼ିଆଣୀ ମାଆମାନେ ମୁରୁଜ ଆଙ୍କିଲା ବେଳେ, ଭୋଗ ପରଶିଲା ବେଳେ, ଠାକୁରଙ୍କୁ କଉଡ଼ି ଖେଳେଇଲା ବେଳେ ଏ ଗୀତ ବୋଲୁଥାଆନ୍ତି,‘‘ଶୁଦ୍ଧ ସୁବର୍ଣ୍ଣର ମଣ୍ଡପ ହୀରାମାଣିକ୍ୟ କୋଠି, ରାଇଦାମୋଦର ଖେଳନ୍ତି ହାଥେ କଉଡ଼ିମୁଠି, ଏକମୁଠି ଯୁଗ ଖେଳିଲେ ରାମ ହୋଇଲେ ଧନ୍ଦା,
ହସି କମଳିନୀ କହନ୍ତି ଦିଅ ମୁକୁଟବନ୍ଧା’’
ନାରୀତ୍ୱ, ମାତୃତ୍ବ, ପତ୍ନୀତ୍ୱ ତଥା ବିଶ୍ୱକଲ୍ୟାଣ ନିମନ୍ତେ ଏ ପ୍ରାର୍ଥନା ଓ ତପସ୍ୟାକୁ ଆମ ସମୟର କୋଟି ପ୍ରଣାମ।
ଉପସ୍ଥାପନା: ପ୍ରଜ୍ଞାଶ୍ରୀ ରଥ