ମା’ଚାଲିଯିବା ପରେ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ବର୍ଷକୁ ଥରେ ଆସିବା ଏବେ ରୁଟିନ୍‌ରେ ପରିଣତ ହୋଇଛି। ବାପାଙ୍କର ସବୁବେଳେ ବିଜ୍ଞାନ ଚିନ୍ତା ଓ ବିଜ୍ଞାନ ବହିର ପୃଷ୍ଠାରେ ସେ ବୁଡ଼ି ରହିଥାନ୍ତି। ତେବେ ମୋର ମାନସିକତାକୁ ଲାଳନ କରନ୍ତି। ମୁଁ ଠିକ୍ ମୋ ମା’ ପରି। ଈଶ୍ବରଙ୍କ ଠାରେ ମୋର ଗଭୀର ବିଶ୍ୱାସ। ଯଦିଓ ମୁଁ ଡାକ୍ତର ତଥାପି ପ୍ରତ୍ୟେକ ସର୍ଜରି ପୂର୍ବରୁ ଜଗନ୍ନାଥଙ୍କୁ ସ୍ମରଣ କରିବାରେ ଭୁଲ୍ ହୁଏ ନାହିଁ।
ଜଗନ୍ନାଥଙ୍କ ମନ୍ଦିରକୁ ପ୍ରତିଥର ମୁଁ ଏକା ହିଁ ଆସିଛି। ବାପା ସେତେବେଳେ ହୋଟେଲ୍ ରୁମ୍‌ରେ ବସି ବିଜ୍ଞାନ ଜର୍ନାଲ୍ ଭିତରେ ବୁଡ଼ି ରହିଥାନ୍ତି। ମୋର ପରିଚିତ ପଣ୍ଡା ମୋତେ ସଙ୍ଗରେ ନେଇ ଖୁବ୍ ସୁନ୍ଦର ଭାବରେ ପୂଜା କରାଇ ଆଣନ୍ତି। ଜଗନ୍ନାଥଙ୍କୁ ଦର୍ଶନ କରି ଗର୍ଭଗୃହରେ ତାଙ୍କର ପରିକ୍ରମା ସାରି ବାହାରି ଆସେ। ଚୁପ୍‌ଚାପ ବସି ରହେ ମନ୍ଦିର ବେଢ଼ା ଭିତରେ ଥିବା କୌଣସି ଏକ ପାହାଚରେ। ମୃଦୁମନ୍ଦ ପବନ ବୋହୁଥାଏ। ମନରେ ଥାଆନ୍ତି ଜଗନ୍ନାଥ। ଭଲ ଲାଗେ। ଆଖପାଖରେ କିଛି ମାଙ୍କଡ଼ ସାଥି ହୋଇ ବସି ରହନ୍ତି। କେବେହେଲେ ସେମାନେ ମୋତେ ବିରକ୍ତ କରନ୍ତି ନାହିଁ। ବରଂ ନିରାପଦ ଦୂରତ୍ବ ରକ୍ଷାକରି କରୁଣ ଚାହାଣିରେ ଚାହିଁ ରହିଥା’ନ୍ତି ମୋତେ।
ମନ୍ଦିରରୁ ବାହାରି ଶେଷ ପାହାଚରେ ମୁଣ୍ଡିଆ ମାରିଲି। ମନେ ମନେ କହିଲି, ‘‘ହେ ଜଗତ ପିତା, ହେ ଜଗତର ନାଥ ଜଗନ୍ନାଥ, ମନରେ ଶାନ୍ତି ଦିଅ ପ୍ରଭୁ।’’
ମୋର ନିୟମିତ ପଣ୍ଡାଙ୍କ ଦୋକାନରେ ରଖିଥିବା ବ୍ୟାଗ୍‌ ନେଲି। ପୂଜାଡ଼ାଲାରୁ ଭୋଗ ଫୁଲ ବ୍ୟାଗ୍‌ରେ ରଖି ପଇସାପତ୍ର ହିସାବ କରିଦେଲି। ପାଦରେ ଚପଲ ଗଳାଇ ବାହାରିବା ମାତ୍ରେ ହିଁ ଆଖି ପଡ଼ିଗଲା ମନ୍ଦିରର ମେଘନାଦ ପାଚେରିର ଡାହାଣ ପାଖକୁ। ହାତରେ ଡିଏସ୍‌ଏଲ୍‌ଆର୍ ଧରି ଅରିତ୍ର ନା? ସେମିତି ରୋଗା, ଲମ୍ବା, ମୁଣ୍ଡରେ କୁଞ୍ଚକୁଞ୍ଚିଆ କେଶ, ଆଖିରେ ପାୱାର ଲେନ୍ସର ଚଷମା। ଯଦିଓ ମୁହଁରେ ମାସ୍କ ତଥାପି ତା’ର ଚାଲିବା, ଠିଆ ହେବାର ଭଙ୍ଗୀ ଦେଖି ମୁଁ ନିଶ୍ଚିତ ଯେ ସେ ଅରିତ୍ର। ଏଠି ସେ କ’ଣ କରୁଛି? ଫଟୋଗ୍ରାଫି? ତାହା ବି ପୁଣି ପୁରୀର ଜଗନ୍ନାଥଙ୍କ ମନ୍ଦିରରେ? ବିଷୟଟା ଠିକ୍ ବୋଧଗମ୍ୟ ହେଉନାହିଁ। ଆଜିକୁ ଆଠ ବର୍ଷ ହେଲା ଅରିତ୍ର ଷ୍ଟେଟ୍‌ସରେ। କେବେ ଫେରିଲା ସେଠାରୁ?
-ଚନ୍ଦରାବତୀ ...!
ଚମକି ପଡ଼ି ଦେଖିଲି ଅରିତ୍ର ମୋ ସାମ୍ନାରେ! ମୁଁ ଅବାକ୍ ହୋଇ ତାକୁ ଚାହିଁ ରହିଛି। ସେ ସଙ୍ଗେ ସଙ୍ଗେ ମାସ୍କ ଖୋଲି କହିଲା- ମୁଁ ଅରିତ୍ର।
ସତକଥା କହିଲେ, ପ୍ରାଥମିକ ଉତ୍ତେଜନା କଟେଇ ମୁଁ ସହଜ ହୋଇ ପାରୁ ନଥିଲି।
-ଚନ୍ଦୁ , ମୋତେ କ’ଣ ଚିହ୍ନି ପାରୁନୁ? ମୁଁ ଅରିତ୍ର ଘୋଷ।
ସମ୍ବିତ୍‌ ଫେରି ପାଇଲି - ତୁମେ ହଠାତ୍ ଏଠି?
-ହଠାତ୍ ନୁହେଁ। ମୁଁ ଗତ ମାସରେ ଦେଶକୁ ଫେରି ଆସି ଯେତେ ସମ୍ଭବ ମନ୍ଦିରର ଫଟୋ ସୁଟ୍ କରୁଛି। ଗୋଟିଏ ଆଲବମ୍ ବାହାର କରିବି, ଯାହାହେଉ ତୁମ ସ‌େଙ୍ଗ ଦେଖା ହୋଇଗଲା। ଖୁବ୍ ଭଲ ଲାଗୁଛି।
ମୁଁ ଲକ୍ଷ୍ୟ କଲି ଅରିତ୍ରର ଆଖିରେ, ମୁହଁରେ ଖୁସି। ଅରିତ୍ର ଏପାଖସେପାଖ ଚାହିଁ କହିଲା -ଏଠି ଏକା? କି ସାଥିରେ କେହି ଅଛନ୍ତି?
ମୁଁ ଜାଣେ ସେ ମୋର ସ୍ବାମୀ ବା ସେହି ଜାତୀୟ କାହାକୁ ଇଙ୍ଗିତ କରୁଛି। ମୁଣ୍ଡ ହଲାଇଲି। -ନା ମୁଁ ଏକା। ହୋଟେଲ୍ ରୁମ୍‌ରେ ଅବଶ୍ୟ ବାପା ଅଛନ୍ତି।
- ଆଚ୍ଛା, ସାର୍ ଓ ତୁମେ ଆସିଛ? କେତେଦିନ ହେଲାଣି ସାର୍‌ଙ୍କୁ ଭେଟି ନାହିଁଁ। ସାର୍ କେମିତି ଅଛନ୍ତି?
-ତୁମେ ନିଜେ ଯାଇ ଦେଖିପାର।
- ଓଃ.. ସିଓର୍! କୋଉ ହୋଟେଲ୍‌ରେ ରହୁଛ?
ମୁଁ ହୋଟେଲ୍‌ର ନାଁ କହିଲି। ଅରିତ୍ର ସଙ୍ଗେ ସଙ୍ଗେ ଗୋଟିଏ ରିକ୍ସା ଡାକି କହିଲା- ଚଢ଼ିଯାଅ।
ଅରିତ୍ର ପାଖରେ ବସିବି? କିନ୍ତୁ କାହିଁକି? ସେ ମୋତେ ଅପମାନିତ କରିଥିଲା। ସେହି ଅରିତ୍ର ସଙ୍ଗରେ ଗୋଟିଏ ରିକ୍ସାରେ ବସିବି?
ମୋତେ ଚୁପ୍‌ଚାପ୍ ଛିଡ଼ା ହୋଇଥିବା ଦେଖି ଅରିତ୍ର କହିଲା, -କ’ଣ ଚନ୍ଦୁ, କ’ଣ ଭାବୁଛ?
ମୁଁ ଅପ୍ରସ୍ତୁତ। ସଙ୍ଗେ ସଙ୍ଗେ କହିଲି, ମୁଁ ସ୍ବର୍ଗଦ୍ବାର ପାଖ ମାର୍କେଟ ହୋଇ ହୋଟେଲ୍‌କୁ ଫେରିବି। ତୁମେ ହୋଟେଲକୁ ଯାଇପାର। ରୁମ୍ ନମ୍ବର ୩୧୨।
ଅରିତ୍ର ହସିଲା -ତୁମର ଆପତ୍ତି ନ ଥିଲେ ମୁଁ ତୁମ ସଙ୍ଗରେ ମାର୍କେଟ ଯାଇ ପାରିବି!
ରିକ୍ସାବାଲା ଠିଆ ହୋଇ ରହିଛି, ସାମାନ୍ୟ ବିରକ୍ତ ଯେମିତି। ଅରିତ୍ର ମୋର ମତାମତ ଜାଣିବା ପାଇଁ ମୋ ମୁହଁକୁ ଚାହିଁ ରହିଛି। ମୁଁ ଶାଢ଼ିର କୁଞ୍ଚ ଓ ବ୍ୟାଗ୍ ସମ୍ଭାଳି ଅଗତ୍ୟା ରିକ୍ସାରେ ଚଢ଼ିଗଲି। ଅରିତ୍ର ଚଢ଼ି ରିକ୍ସାବାଲାକୁ ‘ସ୍ବର୍ଗଦ୍ବାର ମାର୍କେଟକୁ ଚାଲ’, କହିବା ମାତ୍ରେ ହିଁ ସେ ପ୍ୟାଡେଲ୍ ମାରିବାକୁ ଲାଗିଲା।
ଅନେକ ଦିନ ପରେ ଅରିତ୍ରକୁ ଦେଖୁଛି। ଏକଦା ଛାତି ଭିତରେ ଅନେକ ଅଭିମାନ ଅନେକ ଯନ୍ତ୍ରଣା ଥିଲା। ବର୍ତ୍ତମାନ ଜଗନ୍ନାଥ ମୋତେ ଶାନ୍ତି ଦେଇଛନ୍ତି। ଲୋକେ କହନ୍ତି, ପ୍ରଥମ ପ୍ରେମ ହିଁ ଶ୍ରେଷ୍ଠ ପ୍ରେମ। କଥାଟିର ସତମିଛ ନ ଜାଣିଲେ ବି ଏଇ ଟିକକ ଜାଣିଛି ସେହି ପ୍ରେମ ଭାଙ୍ଗିଗଲେ ତା’ର ଯନ୍ତ୍ରଣା କିନ୍ତୁ ଅବର୍ଣ୍ଣନୀୟ।
- ଚନ୍ଦୁ, ମାଉସୀ ଆସି ନାହାନ୍ତି?
ମୁଁ ଅନ୍ୟମନସ୍କ ଥିଲି, ଟିକେ ସମୟ ଲାଗିଲା କଥାଟା ବୁଝିବା ପାଇଁ। ବୁଝିପାରି କହିଲି, ‘‘ମା ଏବେ ନିଜେ ହିଁ ଜଗନ୍ନାଥଙ୍କ ପାଖରେ।’’
ଅରିତ୍ର ବୁଲିପଡ଼ି ମୋତେ ଚାହିଁଲା। ମୁଁ ତା’ ଆଖିରେ କ୍ଷଣକ ପାଇଁ ବିଷାଦ ଦେଖିଲି। ସେ ପଚାରିଲା, ‘‘କେବେ? କ’ଣ ହୋଇଥିଲା?’’
-ପାଞ୍ଚ ବର୍ଷ ହେଲାଣି। ସେରିବ୍ରାଲ୍ ଆଟାକ୍।
ଦୁଇଜଣ ପୁଣି ଚୁପ୍। ରିକ୍ସାର ଘଡର୍ ଘଡର୍ ଶବ୍ଦ। ଗୋଟିଏ ସରୁ ଗଳି ବାଟଦେଇ ରିକ୍ସା ଚାଲିଛି। ସମ୍ଭବତଃ ଏଇଟା ସ୍ବର୍ଗଦ୍ବାର ମାର୍କେଟକୁ ସଟ୍‌କଟ୍ ରାସ୍ତା।
କେତେ କେତେ ପୁରୁଣା କଥା ମନରେ ଭିଡ଼ ଜମେଇବାରେ ଲାଗିଛନ୍ତି। ବାପା ତାଙ୍କର ପ୍ରିୟ ଛାତ୍ର ଅରିତ୍ରର ପି.ଏଚ୍‌ଡି ଗାଇଡ୍ ଥିଲେ। ବିଷୟ ଥିଲା ମଲିକ୍ୟୁଲାର୍ ଫିଜିକ୍ସର କୌଣସି ଏକ ପାର୍ଟ। ମୋର ବିଷୟ ସମ୍ପୂର୍ଣ୍ଣ ଭିନ୍ନ। ମୁଁ ସେତେବେଳେ ଏମ୍. ବି. ବି. ଏସ୍‌.ର ଛାତ୍ରୀ। କେମିତି ଯେ ଦୁଇଜଣଙ୍କର ବନ୍ଧୁତା ଆଉ ବନ୍ଧୁତାରୁ ପ୍ରେମ। ମା’ ସବୁ ଜାଣିଥିଲେ। ମୋତେ ଓ ଅରିତ୍ରକୁ ନେଇ ଅନେକ କିଛି ଭାବି ନେଇଥିଲେ। କିନ୍ତୁ ଖୁବ୍ ଶୀଘ୍ର ଅରିତ୍ର ପାଖରେ ମୂଲ୍ୟହୀନ ହୋଇ ପଡ଼ୁଥିଲି। ଅରିତ୍ର ଖୁବ୍ ନାସ୍ତିକ। ମୋର ଈଶ୍ବର ବିଶ୍ବାସକୁ ନେଇ ତା’ ସହିତ ସବୁବେଳେ ତର୍କ। ମୁଁ ତା’ ସହିତ ତର୍କରେ ଜିତି ପାରୁ ନଥିଲି। କଠିନ କଥାରେ ମୋର ମନକୁ କ୍ଷତବିକ୍ଷତ କରି ଦେଉଥିଲା। କଥାରେ କଥାରେ ସେ ମୋତେ ବିଦ୍ରୂପ କରୁଥିଲା। ଛାତିରେ କ୍ଷତକୁ ଧରି ମୁଁ ଲୁଚି ଲୁଚି କାନ୍ଦୁଥିଲି। ସମ୍ପର୍କଟା ଶିଥିଳ ହୋଇ ଆସୁଥିଲା। ତା’ର ପି.ଏଚ୍‌ଡି. ଶେଷ ହେବାପରେ ସେ ଚାକିରି ପାଇ ଷ୍ଟେଟ୍‌ସ ଚାଲିଗଲା। ପ୍ରଥମ ପ୍ରଥମ ଥରେ ଅଧେ ଖୁବ୍ ସାଧାରଣ ଭାବରେ ଫୋନ୍ କରୁଥିଲା। ପରେ ତାହା ମଧ୍ୟ ବନ୍ଦ ହୋଇଗଲା। ମା’ ବୋଧହୁଏ ବୁଝି ପାରିଥିଲେ। ମୋତେ କହୁଥିଲେ, ‘‘ଅରିତ୍ର ତୋର ଉପଯୁକ୍ତ ନୁହେଁ। ଜଗନ୍ନାଥ ଯାହା କରନ୍ତି ଭଲ ପାଇଁ କରନ୍ତି।’’ ମୁଁ ମାନି ନେଇଥିଲେ ମଧ୍ୟ ଭିତରେ ଭିତରେ କୋଉଠି ଅପମାନର କଣ୍ଟା ଏବେ ବି ଫୋଡ଼ି ହେଉଛି।
ହଠାତ୍ ଅରିତ୍ର କହି ଉଠିଲା, ଚନ୍ଦୁ, ତୁମେ କ’ଣ ପ୍ରାୟ ପୁରୀ ଆସ?
-ହଁ। ପ୍ରତିବର୍ଷ। କାହିଁକି? ଦେଖିଲି ଆମେ ସମୁଦ୍ର ପାଖର ମେନ୍ ରୋଡ୍‌ରେ ପହଞ୍ଚିଯାଇଛୁ।
- ଗୋଟିଏ ମନ୍ଦିର, ବାରମ୍ବାର ଦେଖିବାର କ’ଣ ଅଛି? ଅନ୍ୟ କୁଆଡ଼େ ବୁଲିବାକୁ ଯାଇପାରନ୍ତ।
- ମୁଁ ତ ବୁଲିବା ପାଇଁ ଆସେନି। ପ୍ରଭୁ ଜଗନ୍ନାଥଙ୍କୁ ଖୁବ୍ ପାଖରୁ ଅନୁଭବ କରିବା ପାଇଁ ଆସେ।
ମୋ କଥାରେ ହସି ଦେଇ ଅରିତ୍ର କହିଲା, ଦେଖୁଛି ତୁମେ ଆଦୌ ବଦଳି ନାହଁ। ସେମିତି ବୋକାଙ୍କ ଭଳି କଥାବାର୍ତ୍ତା। ଆରେ ବାବା ଈଶ୍ବର ବୋଲି ଯଦି କିଛି ଅଛି, ତେବେ ତାହା ହେଉଛି ସାଇନ୍ସ, ଆଉ କିଛି ନୁହେଁ।
ମୁଣ୍ଡଟା ହଠାତ୍ ଗରମ ହୋଇଗଲା। ରିକ୍ସାବାଲାକୁ ଅଟକାଇବା ପାଇଁ କହିଲି।
ଅରିତ୍ର କହିଲା, ଆରେ, ଏଯାଏଁ ସ୍ବର୍ଗଦ୍ବ‌ାର ପହଞ୍ଚି ନାହିଁ। ଏଠାରେ ଓହ୍ଲାଇ କ’ଣ କରିବ?
ମୁଁ ଶାଢ଼ି ସମ୍ଭାଳି ଓହ୍ଲାଇ କହିଲି - ଅରିତ୍ର, ତୁମର ବିଶ୍ବାସ ନେଇ ତୁମେ ଥାଅ। ଖାଲିଟାରେ ମୋର ବିଶ୍ବାସରେ ଆଘାତ କରିବାର ଅଧିକାର ତୁମକୁ କେବେହେଲେ ଦେଇନାହିଁ, ମନେରଖିବ।
ଅରିତ୍ର ଟିକେ ଥତମତ ହୋଇଗଲା। ରିକ୍ସାରୁ ଓହ୍ଲାଇ ପଇସା ଦେଲା। ଆମେ ହୋଟେଲ ପାଖରେ। କିନ୍ତୁ ଏହି ମୁହୂର୍ତ୍ତରେ ଅରିତ୍ରକୁ ସାଙ୍ଗରେ ନେଇ ମୁଁ ହୋଟେଲ୍‌କୁ ଫେରିବାକୁ ଚାହେଁ ନାହିଁ। ମୁଁ ରାସ୍ତା ପାରି ହୋଇ ବେଳାଭୂମି ଆଡ଼କୁ ଆଗେଇ ଗଲି। ପଛକୁ ନ ଚାହିଁ ବି ଜାଣି ପାରୁଛି, ଅରିତ୍ର ମୋ ପଛରେ ଅଛି। କିଛି ସମୟ ପରେ ମୋ ସାମ୍ନାରେ ଆସି ସେ ଛିଡ଼ା ହେଲା। କହିଲା, ‘‘ଚନ୍ଦୁ, ତୁମେ ଏଭଳି ରିଆକ୍ଟ କରିବ ଜାଣିଥିଲେ ମୁଁ କହି ନ ଥାନ୍ତି। ପ୍ଲିଜ୍, କିଛି ମନେ କରନି।’’
ମୁଁ କହିଲି, ‘‘ଅରିତ୍ର, ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉପରେ ଉଡୁଥିବା ପତିତପାବନ ବାନାକୁ କେବେ ଚାହିଁ ଦେଖିଛ?’’
ଅରିତ୍ର ଜିଜ୍ଞାସୁ ଦୃଷ୍ଟିରେ କେବଳ ଚାହିଁ ରହିଲା ମୋତେ।
-ଦେଖିନ ନା? ଦେଖିଥିଲେ ଖୁବ୍ ଅବାକ୍ ହୋଇଥାନ୍ତ। ସେହି ପତିତପାବନ ବାନା ସବୁବେଳେ ଯେଉଁ ଦିଗରୁ ପବନ ବହେ ଠିକ୍ ତା’ର ବିପରୀତ ଦିଗରେ ଉଡୁଥାଏ। ଏଇକଥା ତ ତୁମର ସାଇନ୍ସ କହିଛି, ନୁହେଁ?
ଅରିତ୍ର ମୁଣ୍ଡ ହଲାଇଲା।
-ଯାଅ, ମନ୍ଦିର ଚୂଡାରେ ଉଡୁଥିବା ପତିତପାବନ ବାନାକୁ ଥରେ ଦେଖି ଆସ, ତୁମର ସାଇନ୍ସ ସେଠାରେ ଫେଲ୍ ମାରିବ।
-ମାନେ? ଅରିତ୍ର ଉତ୍ତେଜିତ।
-ମାନେ ପବନ ଯେଉଁ ଦିଗରୁ ବହେ ପତିତପାବନ ବାନା ସେହି ଦିଗକୁ ଉଡୁଥାଏ।
ଅରିତ୍ରର ମୁହଁରେ ବିସ୍ମୟ।
ଆହୁରି ଶୁଣିବ? ଶ୍ରୀମନ୍ଦିରର ମୁଖ୍ୟଦ୍ବାର, ମାନେ ସିଂହଦ୍ବାରର ବାହାରେ ସମୁଦ୍ରର ଗର୍ଜନ ଶୁଣାଯାଏ। କିନ୍ତୁ ସିଂହଦ୍ବାର ପାରି ହେବା ମାତ୍ରେ ତୁମେ ଆଉ କୌଣସି ଶବ୍ଦ ଶୁଣି ପାରିବ ନାହିଁ।
ମନ୍ଦିର ଉପର ଦେଇ କୌଣସି ପକ୍ଷୀ ଆଜି ପର୍ଯ୍ୟନ୍ତ ଉଡୁଥିବା ଦେଖାଯାଇ ନାହିଁ, ଏପରିକି ମନ୍ଦିର ଉପର ଦେଇ କୌଣସି ବିମାନ ମଧ୍ୟ ଯାଇନାହିଁ।
ଅରିତ୍ର କ’ଣ କହିବାକୁ ଚାହୁଥିଲା। ମୁଁ ତାକୁ ଅଟକାଇ କହିଲି, ‘‘ରୁହ, ଆହୁରି ଅଛି। ଶ୍ରୀମନ୍ଦିର ଚୂଡ଼ାର ଛାଇ ବର୍ଷର କୌଣସି ଦିନ କୌଣସି ସମୟରେ ତଳେ ପଡ଼େନାହିଁ। ମନ୍ଦିରର ଚୂଡ଼ା ଉପରେ ଥିବା ବିରାଟ ସୁଦର୍ଶନ ଚକ୍ର ପୁରୀ ସହରର ଯେକୌଣସି ସ୍ଥାନରୁ ଦେଖାଯାଏ। କେମିତି ତାହା ସମ୍ଭବ, ଆଜି ମଧ୍ୟ ତାହା ରହସ୍ୟ।
ଅରିତ୍ର ହତଭମ୍ବ ହୋଇ ମୋ କଥା ଶୁଣୁଛି। ମୁଁ ତଥାପି କହି ଚାଲିଛି, ‘‘ତୁମେ ନିଶ୍ଚୟ ଜାଣିଛ ଯେ ଦିନବେଳେ ସମୁଦ୍ର ଆଡୁ ସ୍ଥଳ ଭାଗକୁ ପବନ ବହିଯାଏ, ଯାହାକୁ ସମୁଦ୍ର ବାୟୁ ଏବଂ ରାତିରେ ସ୍ଥଳ ଭାଗରୁ ସମୁଦ୍ର ଆଡ଼କୁ ପବନ ବହିଥାଏ, ଯାହାକୁ ସ୍ଥଳବାୟୁ କୁହାଯାଏ। ସମଗ୍ର ବିଶ୍ବରେ ଏହାହିଁ ହୋଇଥାଏ। ଅଥଚ ପୁରୀରେ ତା’ର ବିପରୀତ। ତୁମକୁ କହିବା ପାଇଁ ଆହୁରି ଅନେକ କିଛି ରହିଛି। ପ୍ରତିଦିନ ଜଗନ୍ନାଥଙ୍କର ଯେଉଁ ପ୍ରସାଦ ରୋଷେଇ ହୁଏ, ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ସଂଖ୍ୟା ଦୁଇ ହଜାର ହେଉ ବା କୋଡ଼ିଏ ହଜାର, ଆଜି ପର୍ଯ୍ୟନ୍ତ କେବେ ନିଅଣ୍ଟ ପଡ଼ିନାହିଁ। ମହାପ୍ରସାଦ କେବେହେଲେ ନଷ୍ଟ ହୁଏ ନାହିଁ। ଏସବୁକୁ ତୁମର ସାଇନ୍ସ କିଭଳି ବ୍ୟାଖ୍ୟା କରିବ ଅରିତ୍ର?
ଅରିତ୍ର ଚୁପ୍।
ମୁଁ ଗଭୀର ନିଶ୍ବାସ ନେଲି। ଯାହାହେଉ, ଏତେ ଦିନ ପରେ ହୁଏତ ବୁଝିପାରିଲେ ଯେ ସବୁକିଛି ବିଜ୍ଞାନ ଦ୍ବାରା ବିଚାର କରାଯାଏ ନାହିଁ। ବିଜ୍ଞାନ ଉପରେ ମଧ୍ୟ ଆହୁରି କିଛି ଅଛି।
ସମୁଦ୍ର କୂଳର ପବନରେ ମୋର କେଶ ଉଡୁଛି। ଛୋଟ ଢେଉଟିଏ ମୋର ପାଦ ଓଦା କରିଦେଇ ଗଲା। ମୁଁ ଶାଢ଼ି ସମ୍ଭାଳୁଛି। ଅରିତ୍ର ହଠାତ୍ ମୋର ଦୁଇ ହାତ ପାପୁଲିକୁ ଜାବୁଡ଼ି ଧରିଲା। ମୋତେ ଅବାକ୍ କରିଦେଇ ଆବେଗ ଜଡ଼ିତ କଣ୍ଠରେ କହିଲା, ‘‘ମୋତେ ଜଗନ୍ନାଥଙ୍କ ମନ୍ଦିରକୁ ନେଇଯିବ ଚନ୍ଦୁ!’’
ମୁଁ ଦେଖିଲି, ତା’ର ଆଖିରେ ମୁହଁରେ ସକାଳର ନରମ ଆଲୁଅ ପଡ଼ି ଏକ ଅଦ୍ଭୁତ ଦ୍ୟୁତି ପ୍ରକାଶ କରୁଛି। ମନେ ମନେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କଲି। ଦେଖିଲି ବିରାଟ ଗୋଟିଏ ଢେଉ ମାଡ଼ି ଆସୁଛି ଆମରି ଆଡ଼କୁ। ଘୁଞ୍ଚି ଗଲିନାହିଁ। କାହିଁକି କେଜାଣି ଆଜି ଭୀଷଣ ଭିଜିବାକୁ ମନ ହେଉଛି।
ମୋ: ୯୪୩୭୫୩୪୭୭୩