ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି। ଋକ୍ ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ‘ରଥ’ ଶବ୍ଦର ପ୍ରୟୋଗ ଦେଖାଯାଏ। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ। ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା। କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହରିହର କାନୁନଗୋଙ୍କ ମତରେ ଜଗନ୍ନାଥଙ୍କ ରଥଯାତ୍ରା ଏକ ବୌଦ୍ଧ ଅନୁଷ୍ଠାନ। ସିଂହଳରେ ଯେଉଁ ରଥଯାତ୍ରା ପାଳିତ ହୁଏ, ସେଥିରେ ବୁଦ୍ଧଙ୍କ ଦନ୍ତକୁ ବୈଶାଖ ଶୁକ୍ଳ ତ୍ରୟୋଦଶୀ ଦିନ ବାହାର କରି ହାତୀ ଉପରେ ଥୋଇ ମହା ସମାରୋହରେ ଶୋଭାଯାତ୍ରାରେ ନିଆଯାଏ ଓ ନଗରର ରାଜମାର୍ଗ ମାନ ବୁଲାଇ ସେହି ଦନ୍ତକୁ ଶେଷରେ ଏକ ମଣ୍ଡପରେ ସ୍ଥାପନ କରାହୁଏ। ସେଠାରେ ଛଅଦିନ ରହିବା ପରେ ପୁଣି ଦନ୍ତ ମନ୍ଦିରକୁ ଫେରି ଆସେ। ପୁରୀରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଜଗନ୍ନାଥ ମହାପ୍ରଭୁ କାଷ୍ଠ ନିର୍ମିତ ରଥରେ ବାହାରି ଶୀକ୍ଷେତ୍ରର ବଡ଼ଦାଣ୍ଡ ଅତିକ୍ରମ କରି ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚନ୍ତି ଏବଂ ସେଠାରେ ୭ଦିନ ରହି ପୁଣି ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିରରକୁ ବାହୁଡା ବିଜେରେ ଫେରିଥାନ୍ତି। ପୁରାତତ୍ତ୍ୱବିତ ରାଜେନ୍ଦ୍ର ଲାଲ ମିତ୍ରଙ୍କ ମତନୁଯାୟୀ ପୁରୀର ରଥଯାତ୍ରା ବୁଦ୍ଧଦେବଙ୍କ ଜନ୍ମୋତ୍ସବ ପାଳନର ସ୍ମୃତି ମାତ୍ର।
ଭୋଗରେ ପରିବର୍ତ୍ତନ
ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ରଥ ଉପରେ ପୂର୍ବରୁ ହେଉଥିବା ଭୋଗ ଗୁଡିକ ମଧ୍ୟରେ ବଡ଼ ସାନ ମନୋହର- ୧୬ ମୂର୍ତ୍ତି, ପଶୁପାଳନ କାକର – ୯ ମୂର୍ତ୍ତି, ତାଟ ବାବଦ ନାଡି- ୮ ମୂର୍ତ୍ତି, ଗଜା ବଡ଼ ସାନ – ୪ ମୂର୍ତ୍ତି, ଟାକୁଆ – ୨ ମୂର୍ତ୍ତି, ଫେଣି- ୧ ମୂର୍ତ୍ତି, କକରା – ୧୨ ମୂର୍ତ୍ତି, ଡାଳିମ୍ବ- ୩୦ ମୂର୍ତ୍ତି, ଟାକୁଆ ସାନ ସରା- ୪ ମୂର୍ତ୍ତି, ଗଜା- ୧୫ ମୂର୍ତ୍ତି, ସୁଆର ନଡୁ- ୧୪ ମୂର୍ତ୍ତି ଓ କାକରା – ୫ ମୂର୍ତ୍ତି ଅନ୍ତର୍ଭୁକ୍ତ। ଏତଦ୍ ବ୍ୟତୀତ ଶ୍ରୀଗୁଣ୍ଡିଚା ଦିନ ରଥ ଉପରେ ଘଣ୍ଟ ଛତା ଅଧିକ ଭୋଗ ମଧ୍ୟରେ କୋରା – ୭୪ ମୂର୍ତ୍ତି, ଖଇ- ୨୧ ଓଳି, ବଡ଼ କାକରା- ୪୮ ମୂର୍ତ୍ତି, ଉଠା କାକର -୨୬ ମୂର୍ତ୍ତି, ମହା ପ୍ରଶସ୍ତ ମନହର – ୮ମୂର୍ତ୍ତି, ବଡ଼ ଅମାଲୁ- ୩୦ମୂର୍ତ୍ତି, ସାନ ଅମାଲୁ- ୬୧ ମୂର୍ତ୍ତି, ଝଡେଇ ନେଦା – ୧ ତାଡ଼, ମାଣ୍ଡୁଅ – ୨୭ ମୂର୍ତ୍ତି, ଟାକୁଆ – ୨୨ ମୂର୍ତ୍ତି, ଟାକୁଆ ବଡ଼ସେରା – ୪ ମୂର୍ତ୍ତି, ରଥ ମନହର- ୨୬ ମୂର୍ତ୍ତି, ମରିଚ ନଡୁ-୧୦୪ ମୂର୍ତ୍ତି ଉଲ୍ଲେଖ ଥିବା ଜଣାଯାଏ। ଅନେକ ବର୍ଷ ପୂର୍ବରୁ ଏପରିକି ସ୍ୱତ୍ତ୍ୱଲିପି ପ୍ରଣୀତ ହେବା ଆଗରୁ ଉପରୋକ୍ତ ବର୍ଣ୍ଣିତ ଭୋଗ ଦ୍ରବ୍ୟ ରଥ ଉପରେ ଭୋଗ ହେଉନାହିଁ।
ଲୁହା ଚକ, ସୁନା ଅର
‘ନୀଳାଦ୍ରି ମହୋଦୟ’ର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିର ପଶ୍ଚିମ ଦିଗରେ ଯେଉଁଠି ମହାପ୍ରଭୁ ଲୋକନାଥ ବିରାଜମାନ କରିଛନ୍ତି,ସେଠାରେ ଶଙ୍ଖନିଧି ଓ ପଦ୍ମନିଧି ଗୋଟିଏ ସ୍ୱର୍ଣପୁରୀ ନିର୍ମାଣ କରିଥିଲେ। ସେହିଠାରେ ଦୁଇ ସ୍ୱର୍ଗଦୂତ ରଥ ନିର୍ମାଣ ଆରମ୍ଭ କରିଥିଲେ। ରଥର ଚକ ଗୁଡାକ ଲୁହାରେ ତିଆରି କରିଥିଲେ। ରଥଚକର ଅର ଗୁଡିକ ସୁନାରେ ତିଆରି କରିଥିଲେ। ରଥରେ ରତ୍ନ ଏବଂ ସ୍ୱର୍ଣ ଅଳଙ୍କାରମାନ ଲଗାଯାଉଥିଲା। ରଥଯାତ୍ରା ପର୍ବ ଶେଷ ହେବା ପରେ ପ୍ରତିବର୍ଷ ରଥଗୁଡିକୁ ଭାଙ୍ଗି ଦିଆଯାଏ। ୧୯୯୯ ମସିହା ଠାରୁ ରଥଟଣା ସମୟରେ ତିନୋଟି ରଥର ବ୍ରେକକୁ ପକାଇବା ଓ ଉଠାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ପୁଲି ବ୍ୟବସ୍ଥା ପ୍ରଚଳନ କରାଯାଇଛି।
ଶ୍ରୀକ୍ଷେତ୍ର ବାହାରେ ମହାପ୍ରଭୁଙ୍କ ରଥଯାତ୍ରା
ମାଦଳାପାଞ୍ଜି, ଚକଡ଼ା ପୋଥି, ଅନ୍ୟାନ୍ୟ ଐତିହାସିକ ଉପାଦାନ, ସ୍ଥାନୀୟ ଜନଶ୍ରୁତି, କିଂବଦନ୍ତି ଓ ଲୋକକଥା ଆଦିର ଆଧାରରେ, ଖ୍ରୀଷ୍ଟୀୟ ୬ଷ୍ଠ/୭ମ ଶତାବ୍ଦୀଠାରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଶ୍ରୀମନ୍ଦିର ଉପରେ ବିଧର୍ମୀମାନଙ୍କ ଦ୍ୱାରା ୧୩ରୁ ଅଧିକ ଥର ଆକ୍ରମଣ, ରତ୍ନଭଣ୍ଡାର ଲୁଣ୍ଠନ, ଶ୍ରୀବିଗ୍ରହଙ୍କ ଧ୍ୱଂସ ସାଧନ ଇତ୍ୟାଦି କରାଯାଇଥିବାର ପ୍ରମାଣ ମିଳେ। ତେବେ ଶ୍ରୀମନ୍ଦିର ଉପରେ ଏହିସବୁ ଆକ୍ରମଣ ସମୟରେ ଗଜପତି ମହାରାଜା, ଶ୍ରୀକ୍ଷେତ୍ରର ସେବକ, ମଠାଧୀଶ, ରାଜକର୍ମଚାରୀ, ପାଇକ ଇତ୍ୟାଦିଙ୍କ ପ୍ରଚେଷ୍ଟାରେ ଶ୍ରୀବିଗ୍ରହମାନଙ୍କୁ ଶ୍ରୀକ୍ଷେତ୍ର ବାହାରକୁ ଜଳପଥରେ ନିଆଯାଇ, ବିଭିନ୍ନ ସ୍ଥାନରେ ଗୋପନୀୟ ଭାବେ ଅବସ୍ଥାପିତ କରାଯାଇ ପୂଜାର୍ଚ୍ଚନା କରା ହେଉଥିଲା। ସେହିସବୁ ସମୟରେ, ଅତ୍ୟନ୍ତ ଗୋପନୀୟ ଓ ନିରାଡ଼ମ୍ୱର ଭାବେ ସେମାନଙ୍କର ଦୋଳଯାତ୍ରା, ଚନ୍ଦନଯାତ୍ରା ଓ ରଥଯାତ୍ରା ଆଦି ଅନୁଷ୍ଠିତ ହୋଇଥିବା ଜଣାଯାଏ। ତନ୍ମଧ୍ୟରେ ଶ୍ରୀକ୍ଷେତ୍ର ବାହାରେ ପାଞ୍ଚଥର ତାଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥିବାର ସୂଚନା ମିଳେ। ସେହି ସ୍ଥାନଗୁଡ଼ିକ ହେଉଛି, ଚକାନାଶୀ, ଗଡ଼ମାଣିତିରି, ବଡ଼ହନ୍ତୁଆଡ଼, ନଈରୀ।