୧୫୬୮ରୁ ୧୭୩୫ ମଧ୍ୟରେ ପ୍ରାୟ ୩୨ ଥର ବନ୍ଦ ହୋଇଛି ରଥଯାତ୍ରା

ମୋଗଲ ଆକ୍ରମଣ ସମୟରେ ଭୋଗମଣ୍ଡପରେ ହୋଇଥିଲା ଶ୍ରୀଗୁଣ୍ଡିଚା ଯାତ୍ରା

ପୁରୀ : ଦୀର୍ଘ ୨୮୪ ବର୍ଷ ମଧ୍ୟରେ କେବେ ବନ୍ଦ ହୋଇନଥିଲା ମହାପ୍ରଭୁଙ୍କ ଘୋଷଯାତ୍ରା। ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିରାଜମାନ ଥାଇ ୧୭୩୬ ପରଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ୨୮୪ ବର୍ଷ ଭିତରେ କେବେ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇନାହିଁ। ଏପରିକି ନଅଙ୍କ ଦୁର୍ଭିକ୍ଷ, ହଇଜା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଓଡ଼ିଶାରେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇନାହିଁ। ଇଂରେଜ ଶାସନ ସମୟରେ ମଧ୍ୟ ରଥଯାତ୍ରା ବନ୍ଦ କରାଯାଇନାହିଁ। ‌ତେବେ ୧୫୬୮ରୁ ୧୭୩୫ ମଧ୍ୟରେ ପ୍ରାୟ ୩୨ ଥର ରଥଯାତ୍ରା ବନ୍ଦ ହେବାର ଐତିହାସକ ତଥ୍ୟ ରହିଛି। ଡ. ଭାସ୍କର ମିଶ୍ରଙ୍କ ମତରେ ଶ୍ରୀମନ୍ଦିର ଉପରେ ଯବନ ସେନାପତି ଓ ସୁବେଦାରମାନେ ବାରମ୍ବାର ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣ ଯୋଗୁ ରଥଯାତ୍ରା ବନ୍ଦ ରହୁଥିଲା। କଳାପାହାଡ, କଲ୍ୟାଣ ମଲ୍ଲ, ଅହମ୍ମଦ ବେଗ୍‌, ହାସିମ ଖାଁ, ମିର୍ଜା ଖୁରମ୍‌, ଏକ୍ରାମ ଖାଁ, ମହମ୍ମଦ ତକି ଖାଁ, କେଶୋଦାସ ମାରୁ ନାମକ ଯବନମାନେ ବାରମ୍ବାର ଶ୍ରୀମନ୍ଦିର ଉପରେ ଆକ୍ରମଣ କରୁଥିଲେ। ସେମାନଙ୍କ ଆକ୍ରମଣ ଭୟରେ ଶ୍ରୀମନ୍ଦିରରୁ ଶ୍ରୀବିଗ୍ରହଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିଲା। ଯବନଙ୍କ ଆକ୍ରମଣ ଯୋଗୁ ବିଭିନ୍ନ ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗଡକୋକଲ, କପିଳେଶ୍ବରପୁର ଶାସନ, ଚିଲିକାର କାଙ୍କଣଶିଖରୀ କୁଦ, ନଈରୀର ହରିହରେଶ୍ବର ମଣ୍ଡପ, ପୋଲସରାର ମାରଦା, ଚିକିଲି, ଖୋର୍ଦ୍ଧାଗଡ଼ର ଗୋପାଳ ମନ୍ଦିର, ଚିଲିକାର ମହିଷାନାସୀ/ଚକାନାସୀ, ଗୁରୁବାଇଗଡ଼, ବାଣପୁରର ଗବପଦର, ବଡ଼ହନ୍ତୁଆଡ଼, ଅନ୍ଧାରିମହିମ, ଖୋର୍ଦ୍ଧାର ଗଡମାଣତିରିରେ ଅତି ଗୋପନୀୟ ଭାବେ ଶ୍ରୀ ବିଗ୍ରହମାନଙ୍କୁ ପ୍ରତି‌ଷ୍ଠା କରାଯାଇ ସେବା-ପୂଜା କରାଯାଉଥିଲା। ଏହି ଆକ୍ରମଣ ସମୟରେ ପ୍ରାୟ ୪୫୨ ବର୍ଷର ଇତିହାସରେ ପ୍ରାୟ ୩୨ ଥର ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ରହିଥିଲା।

୧୫୬୮ରେ କଳାପାହାଡ଼ର ଶ୍ରୀମନ୍ଦିର ଉପରେ ଆକ୍ରମଣ ଯୋଗୁ ଶ୍ରୀବିଗ୍ରହଙ୍କୁ ଚିଲିକା ନିକଟବର୍ତ୍ତି ଛପଲ୍ଲୀ ନାମକ ସ୍ଥାନରେ ପାତାଳି କରାଯାଇଥିଲା। ତେବେ କଳାପାହାଡ଼ ଖବର ପାଇ ସେଠାରୁ ଶ୍ରୀବିଗ୍ରହଙ୍କୁ ହାତୀ ପିଠିରେ ବସାଇ ନେଇଥିଲେ। ଗଙ୍ଗାନଦୀ କୂଳରେ ଅଗ୍ନି ସଂଯୋଗ କରିଥିଲେ। ଅର୍ଦ୍ଧ ଦଗ୍ଧ କଳେବରଙ୍କୁ ଗଙ୍ଗା ନଦୀରେ ଭସାଇ ଦେଇଥିଲେ। ବିଶର ମହାନ୍ତି ନାମକ ଜନୈକ ବୈଷ୍ଣବ ଅର୍ଦ୍ଧଦଗ୍ଧ ବିଗ୍ରହଙ୍କଠାରୁ ବ୍ରହ୍ମ ପଦାର୍ଥ ସଂଗ୍ରହ କରି ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା ଗଡ଼କୁଜଙ୍ଗରେ ପୂଜାର୍ଚ୍ଚନା କରିଥିଲେ। ଫଳରେ ୧୫୬୮ରୁ ୧୫୭୬ ପର୍ଯ୍ୟନ୍ତ ରଥଯାତ୍ରା ହୋଇନଥିଲା। ସେହିଭଳି ୧୬୦୧ରେ ମିର୍ଜା ଖୁରମ୍‌ଙ୍କ ଆକ୍ରମଣ ‌ଯୋଗୁ କପିଳେଶ୍ବରପୁର ଶାସନ ଗ୍ରାମର ପଞ୍ଚମୁଖୀ ଗୋସାଣୀ ମନ୍ଦିରଠାରେ ଶ୍ରୀ ବିଗ୍ରହ ଅବସ୍ଥାନ କରିଥିଲେ। ସେ ବର୍ଷ ରଥଯାତ୍ରା ବନ୍ଦ ହୋଇଥିଲା। ୧୬୦୭ରେ ସୁବେଦାର ହାସିମ୍‌ ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବା ଯୋଗୁ ଖୋର୍ଦ୍ଧାଗଡ଼ ସମ୍ମୁଖ ଗୋପାଳ ଜିଉ ମନ୍ଦିରରେ ରଖାଯାଇଥିଲା। ଫଳରେ ସେ ବର୍ଷ ରଥଯାତ୍ରା ବନ୍ଦ ରଖାଯାଇଥିଲା। ୧୬୧୧ରେ କଲ୍ୟାଣ ମଲ୍ଲଙ୍କ ଆକ୍ରମଣ ଯୋଗୁ ଠାକୁରଙ୍କୁ ଚିଲିକାର ଚକାନାସୀ ବା ମହିଷାନାସୀକୁ ସ୍ଥାନାନ୍ତର କରାଯାଇଥିଲା ସେ ବର୍ଷ ମଧ୍ୟ ରଥ ବନ୍ଦ ଥିଲା। ୧୬୧୭ରେ କଲ୍ୟାଣ ମଲ୍ଲର ଦ୍ବିତୀୟ ବାର ଆକ୍ରମଣ ଯୋଗୁ ଠାକୁରଙ୍କୁ ଚିଲିକାର ଗୁରୁବାଇଗଡ଼କୁ ସ୍ଥାନାନ୍ତର କରାଯାଇଥିଲା। ଫଳରେ ସେ ବର୍ଷ ରଥ ହୋଇପାରି ନଥିଲା। ୧୬୨୧ରେ ସୁବେଦାର ଅହମ୍ମଦ ବେଗ୍‌ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ, ଫଳରେ ଠାକୁରଙ୍କୁ ବାଣପୁର ମାଳ ଅଞ୍ଚଳର ଅନ୍ଧାରିଗଡ଼କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ କେବଳ ବ୍ରହ୍ମ ପଦାର୍ଥକୁ ଗୋପନରେ ଗଡ଼ମାଣତିରି ଗ୍ରାମକୁ ସ୍ଥାନାନ୍ତର କରାଯାଇଥିଲା। ଫଳରେ ଏଥିପାଇଁ ଦୁଇବର୍ଷ ରଥଯାତ୍ରା ବନ୍ଦ ରହିଥିଲା। ୧୬୯୨ରେ ଆଉରଙ୍ଗଜେବଙ୍କ ସମୟରେ ବାରବାଟି ଜିଲ୍ଲାର ସୁବେଦାର ଏକ୍ରାମ ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ଫଳରେ ଠାକୁରମାନଙ୍କୁ ବିମଳା ମନ୍ଦିର ବାମପାର୍ଶ୍ବରେ ଓ ପରେ ଚିଲିକାକୂଳ ଗଡ଼କୋକଲ ଗ୍ରାମ, ପରେ ବାଣପୁରର ବଡ଼ହନ୍ତୁଆଡ଼ରେ ରଖାଯାଇଥିଲା। ସେଠ‌ାରେ ମହାପ୍ରଭୁ ୧୫ ବର୍ଷ ରହିଥିଲେ। ଏଥିପାଇଁ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇନଥିଲା। ୧୭୩୧ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉ‌ପରେ ଆକ୍ରମଣ କରିଥିଲେ। ଫଳରେ ଚିଲିକାର କାଙ୍କଣଶିଖରୀ କୁଦ, ନଈରୀର ହରିହରେଶ୍ବର ମଣ୍ଡପ, ଖଲ୍ଲିକୋଟସ୍ଥିତ ଚକାଡ଼ମ୍ବରୀ ପାହାଡ଼ ଉପଖଣ୍ଡ ଚିକିଲିଠାରେ ଅବସ୍ଥାନ କରାଯାଇ ସେବା ପୂଜା କରାଯାଇଥିଲା। ଫଳରେ ସେ ବର୍ଷ ରଥଯାତ୍ରା ହୋଇପାରିନଥିଲା।୧୭୩୩ରେ ତକି ଖାଁ ଦ୍ବିତୀୟ ଥର ପାଇଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ଫଳରେ ତିନି ଠାକୁରଙ୍କୁ ନଈରୀସ୍ଥିତ ହରିହରେଶ୍ବର ମଣ୍ଡପ ଓ ତା’ ପରେ ସେଠାରୁ ଖଲ୍ଲିକୋଟ ଦେଇ ଆଠଗଡ଼ ପୋଲସରା ନିକଟ ହାତୀବାରି ପାହାଡ଼ର ମାରଦା ମନ୍ଦିରଠାରେ ଅବସ୍ଥାପିତ କରାଯାଇଥିଲା। ସେଠାରେ ୨ ବର୍ଷ ୪ ମାସରୁ ଅଧିକ ସମୟ ଶ୍ରୀବିଗ୍ରହମାନେ ଗୋପନରେ ବିରାଜମାନ କରାଯିବା ସହିତ ସେମାନଙ୍କ ସେବାପୂଜା ଚାଲିଥିଲା। ମାତ୍ର ରଥ ଯାତ୍ରା ଅନୁଷ୍ଠିତ ହୋଇପାରିନଥିଲା। ସୁତରାଂ ୧୭୩୩, ୧୭୩୪, ୧୭୩୫ ତିନି ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ରହିଥିଲା। ୧୭୩୬ ମସିହା ମେ ମାସରେ ଶ୍ରୀମନ୍ଦିରକୁ ଠାକୁରମାନେ ବାହୁଡ଼ ବିଜେ କରିବା ‌ପରେ ‌ସେହି ବର୍ଷ ଆଡ଼ମ୍ବରରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

ମୋଗଲ ଆକ୍ରମଣ ସମୟରେ ଭୋଗମଣ୍ଡପରେ ହୋଇଥିଲା ଶ୍ରୀଗୁଣ୍ଡିଚା ଯାତ୍ରା
ଅତୀତରେ ଅନେକ ଥର ରଥଯାତ୍ରା ବନ୍ଦ ହୋଇଛି। ମୋଗଲ ଅବା ଆଫଗାନୀ ଶାସନ ସମୟରେ ଅନେକ ସମସ୍ୟା ହୋଇଛି। ମହାପ୍ରଭୁ ସେ ସମୟରେ ମନୁଷ୍ୟଠାରୁ ଅଧିକ କଷ୍ଟ ଭୋଗିଛନ୍ତି। ମାଦଳା ପାଞ୍ଚିରେ ଉଲ୍ଲେଖ ରହିଛି କି ୧୬୮୯ରୁ ୧୭୧୬ ପର୍ଯ୍ୟନ୍ତ ଦିବ୍ୟସିଂହ ଦେବ ଶାସନ କରୁଥିଲେ। ସେ ସମୟରେ ମୋଗଲମାନେ ବାରମ୍ବାର ଶ୍ରୀମନ୍ଦିରକୁ ଆକ୍ରମଣ କରିଥିଲେ। ଯେଉଁଥି ପାଇଁ ରଥଯାତ୍ରା ବନ୍ଦ କରିବାକୁ ପଡ଼ିଥିଲା। ଭୋଗ ମଣ୍ଡପରେ ମହାପ୍ରଭୁଙ୍କ ନବଦିନାତ୍ମକ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି କି ସେ ସମୟରେ ଚନ୍ଦନଯାତ୍ରା ହୋଇନଥିଲା। ଏକାଦଶୀ ମହାଦୀପ ବି ଉଠିନଥିଲା। ମହାପ୍ରଭୁଙ୍କ ବିବାହ ଯାତ ବି ବନ୍ଦ ହୋଇଯାଇଥିଲା। ବାହାର ବେଢ଼ାରେ ସ୍ନାନ ମଣ୍ଡପରେ ସ୍ନାନ ନକରି ମହାପ୍ରଭୁ ଭିତର ବେଢ଼ାରେ ଉତ୍ତରପାର୍ଶ୍ବରେ ଜନ୍ମ ଚକଡ଼ାରେ କାଠ ସିଂହାସନରେ ସ୍ନାନ କରିଥିଲେ। ଧୂପ ସମୟରେ ଘଣ୍ଟା ବାଜିଥାଏ, ସେ ସମୟରେ ଘଣ୍ଟା ବାଜିବା ନିଷେଧ କରି ଦିଆଯାଇଥିଲ। ଭୋଗମଣ୍ଡପରେ ଶ୍ରୀଗୁଣ୍ଡିଚା ଯାତ୍ରା ପରେ ନୀଳାଦ୍ରି ବିଜେରେ ମହାପ୍ରଭୁ ରତ୍ନସିଂହାସନକୁ ଫେରିଥିଲେ।

ସମ୍ବନ୍ଧିତ ଖବର