ପୁରୀ: ସେ ଏ ବ୍ରହ୍ମାଣ୍ଡର ନାୟକ, ସେ ବିଶ୍ବକର୍ତ୍ତା, ସେ ବିଶ୍ବ ନିଅନ୍ତା.. ସିଏ ଶକ୍ତି ସିଏ ପୁଣି ଶକ୍ତିମାନ । ସିଏ ହର୍ତ୍ତା, କର୍ତ୍ତା, ଦଇବ ବିଧାତା.. ଜଗନ୍ନାଥ ଏ ଜାତିର ପରିଚୟ । ଆମ ଜାତକରେ ତାଙ୍କରି ନାଁ ରହିଛି । ସିଏ ଆମ ଜାତି, ଆମ ଜାତକ, ଆମ ଜୀବନ । ତାଙ୍କ ବିନା ଅଧୁରା ଜୀବନ ଯାତ୍ରା । ଜଗନ୍ନାଥ ଅଛନ୍ତି ମାନେ ଜୀବନ ଅଛି- ସିଏ ଏ ଜୀବନର ଜମିଦାର, ଏ ନିଶ୍ବାସର ଠିକାଦାର । ତାଙ୍କରି ଆଦେଶରେ ଆଖି ଖୋଲେ, ତାଙ୍କରି ନିର୍ଦ୍ଦେଶରେ ନିଦ ଆସେ । ତାଙ୍କ ବିନା ଇଚ୍ଛାରେ ହଲେନି ପତ୍ରଟେ । ଓଡିଆ ଭୋକରେ ଶୋଇଯିବ ପଛେ- ହେଲେ ଜଗନ୍ନାଥଙ୍କ ବିନା ରହିପାରିବନି । ବିନା ଜଗନ୍ନାଥରେ ଏ ଜାତି, ଏ ଜଗତ ଅନାଥ… 

Advertisment

ଜଗନ୍ନାଥ ଆମ ରାହା, ଆମ ସାହା । ଶ୍ରୀ ଜଗନ୍ନାଥ- ସିଏ  ସନାତନ ଧର୍ମର ଶରଧା ଓ ପୁରୋଧା । ଜଗ୍ନନାଥ ମେରୀ ଖୁଣ୍ଟ ଆମ ପରିବାରର । ସିଏ ଡାକେ ହାତର ଦେବତା, ଡାକିଦେଲେ ଓ.. କରି ଶୁଣୁଥିବା ଦାରୁ ଦିଅଁ । ସେଇ ଜଗନ୍ନାଥ ଯେତେବେଳେ ଦେଉଳରୁ ବାହାରି ଜଗତକୁ ଦର୍ଶନ ଦେବାକୁ ବଡଦାଣ୍ଡକୁ ଆସନ୍ତି । ସେତେବେଳେ ବଡଦାଣ୍ଡରେ ଜନସମୁଦ୍ର ଲହଡି ଭାଙ୍ଗେ । 

ଆଜି ବି ଠିକ୍ ସେମିତି ହୋଇଥିଲା- ଧାଡି ପହଣ୍ଡିରେ ଶ୍ରୀଜିଉମାନେ ଧିରେଧିରେ ରଥାରୂଢ ହେବାପରେ ଶେଷରେ ଯେତେବେଳେ ମହାବାହୁ ଭୂଜ ମେଲାଇ, ଟାହିଆ ହଲେଇ, ବାଙ୍କ ଚାହାଣିରେ ଆଖି ଟେକି ଟେକି, ମୁଚୁକୁନ୍ଦିଆ ହସ ହସି, ସୁସ୍ଥ ମୁଖ, ସବଳ ଶରୀରରେ ବଡଦାଣ୍ଡରେ ପ୍ରବେଶ କରିଥିଲେ ସେତେବେଳେ କିଏ କଳାହାତୀକୁ ଦେଖି ମଣିମା.. ମଣିମା ବୋଲି ଡାକ ଛାଡୁଥିଲା ତ କିଏ କଳା ସାଆନ୍ତେ କହି ଜୋରରେ ଚିତ୍କାର କରୁଥିଲା । କାରଣ କାଳିଆର କାନ ନାହିଁ- ଆରେ ବାବା ତାର କାନ ନଥାଉ ସିଏ ପରା ଆଖିରେ ଶୁଣେ- ତେଣୁ ଚିଲେଇ କହିଲେ ବି କାଳିଆ ଶୁଣେ, ଚୁପ କି କହିଲେ ବି ଚକାଆଖି ଶୁଣେ.. ବାସ୍ ତାକୁ କହିବାର ଅଛି । 

ଅଧିକ ପଢନ୍ତୁ-

ତମେ ଚାହିଁଛ ବୋଲି ଚକାଆଖି: ଏ ଜଗତକୁ ଦେଖିବା ପାଇଁ, ତେଣୁ ତ ଜଗା ପଲକ ପକାଏ ନାହିଁ…

ହେଲେ ଜଞ୍ଜାଳୀ ମଣିଷଟିଏ କିଛି କହିପାରେନି । ଯେତେ ଭାବେ ଜଗା ପାଖକୁ ଗଲେ, ମୋ ସୁଖ ଦୁଃଖ କଥା ସବୁ କହିବି । ହେଲେ ଥରେ ତାର ଆଖିରେ ଆଖି ମିଶିଗଲେ, ତା’ମୁହଁକୁ ଚାହିଁଦେଲେ ଆଉ କିଛି ମନେପଡ଼େନି । ସବୁ ଜଞ୍ଜାଳ କଥା ସେ ଭୁଲିଯାଏ । ଏଇ ତ ମହାପ୍ରଭୁଙ୍କ ମାୟା । କିନ୍ତୁ ଏକଥା ବି ସତ , ଯିଏ ନିଜ ଜଞ୍ଜାଳ ଦୁଃଖକୁ ତାଙ୍କ ପାଖରେ ବାଢ଼ିଦିଏ ସେ ତାର ଦୁଃଖକୁ ଲାଘବ କରିବାକୁ ବିଳମ୍ବ କରନ୍ତି ନାହିଁ । ତେଣୁ ଭକ୍ତ ଏକମୁହାଁ ହୋଇ ମହାପ୍ରଭୁଙ୍କ ଆସିବା ବାଟକୁ ଅନେଇ ରହିଥାଏ । ଆଉ ସେ ମୁହୂର୍ତ୍ତ ଆସିବା ପରେ ବଡଦାଣ୍ଡ ଜଗନ୍ନାଥ ନାଁରେ ପ୍ରକମ୍ପିତ ହୋଇଥିଲା ।