୨୮୪ ବର୍ଷ ପରେ ଅଟକିଲା ଘୋଷଯାତ୍ରା

ଏଥର ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ହେବ କି ନାହିଁ ସେ ନେଇ ରହିଥିବା ଦ୍ବନ୍ଦ୍ବ ଆପାତତଃ ଆଜି ଦୂର ହୋଇଛି। ମାନ୍ୟବର ସୁପ୍ରିମ‌କୋର୍ଟ ଏକ ମାମଲାର ବିଚାର କରି କୋଭିଡ୍‌-୧୯ ପରିସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଏହି ରାୟ ପ୍ରକାଶ ପାଇବା ପରେ ଜଗନ୍ନାଥପ୍ରେମୀମାନେ ନିରାଶ ହୋଇଛନ୍ତି। ଶହ ଶହ ବର୍ଷ ଧରି ଯାହା କେବେ ଘଟି ନଥିଲା ତାହା କରୋନା ମହାମାରୀ ଯୋଗୁ ଘଟିଲା। ପୂର୍ବରୁ ଯବନମାନଙ୍କ ଶ୍ରୀମନ୍ଦିର ଆକ୍ରମଣ ଯୋଗୁ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇଥିବା‌ ବେଳେ ପ୍ରଥମ ଥର ପାଇଁ ରତ୍ନ ସିଂହାସନରେ ବିରାଜମାନ ଥାଇ ରଥଯାତ୍ରା ବନ୍ଦ ହେବାକୁ ଯାଉଛି, ତାହା ପୁଣି ମହାମାରୀ (କରୋନା) ପାଇଁ ବୋଲି ପୁରୀରେ ସେବକ, ବୁଦ୍ଧିଜୀବୀ, ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପୁରୀରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ପୁରୀର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଛି। ଅନ୍ୟ ପଟେ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ନ ଗଡ଼ିଲେ ବି କିଭଳି ବିଧି ରକ୍ଷା କରାଯିବ ସେ ନେଇ ଆରମ୍ଭ ହୋଇଯାଇଛି ବିଚାର ବିମର୍ଶ।। ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ନବ‌ଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା ବିଧି, ସୁନାବେଶ, ଅଧରପଣା ଓ ଅନ୍ୟାନ୍ୟ ନୀତି କିଭଳି ହେବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଗଜପତି ମହାରାଜ, ଶଙ୍କରାଚାର୍ଯ୍ୟ, ଛତିଶାନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି କି ପ୍ରକାର ବିକଳ୍ପ ବିଧି ବ୍ୟବସ୍ଥା ଗ୍ରହଣ କରିବେ ତାକୁ ‌ ଏବେ ସମସ୍ତଙ୍କ ଅପେକ୍ଷା। ସେପଟେ ‌ଦଇତାପତିଙ୍କ ପୂର୍ବ ମନ୍ତବ୍ୟ ଯଦି ବଳବତ୍ତର ରହେ, ଅର୍ଥାତ ରଥ ନ ହେଲେ ଠାକୁର ଅଣସରରେ ତିନି ବର୍ଷ ରହିବା କଥା ସତ ହୋଇଥାଏ, ତେବେ ଏହାକୁ ନେଇ ଏକ ମହାବିଭ୍ରାଟ ଉପୁଜିବାର ଆଶଙ୍କା ରହିଛି।

odishanewsinsight.com

ରଥଯାତ୍ରା ବନ୍ଦ ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଦାରୁଣ ଦୁଃଖ ଦେଇଛି: ଗଜପତି
ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଯାହା ପ୍ରସ୍ତୁତି ହେବା କଥା ତାହା ଠିକ୍ ଠାକ୍ ଚାଲିଥିଲା। ମାତ୍ର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଯୋଗୁ ସବୁ କିଛି ପରିବର୍ତ୍ତନ ହୋଇଗଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରଥଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ସମଗ୍ର ବିଶ୍ବ‌ରେ ରହୁଥିବା କୋଟି କୋଟି ଜଗନ୍ନାଥଙ୍କ ପ୍ରେମୀଙ୍କୁ ଦାରୁଣ ଦୁଃଖ ଦେଇଛି। ତେବେ କ‌ରୋନା ଭଳି ପରିସ୍ଥିତିରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ। ଅନ୍ୟ ପକ୍ଷରେ ଦାଣ୍ଡରେ ରଥଯାତ୍ରା ନ ହେଲେ ବି ଶ୍ରୀମନ୍ଦିର‌ ଭିତରେ ଶାସ୍ତ୍ର ଓ ପରମ୍ପରା ମୁତାବକ କିଭଳି ନୀତି ସଂପନ୍ନ ହେବ ସେ ନେଇ ଖୁବ୍‌ଶୀଘ୍ର ପରିଚାଳନା କମିଟିର ବୈଠକ ବସିବ। ଜଗତଗୁରୁ ଶଙ୍କରାଚାର୍ଯ୍ୟ ଯାହା ନିର୍ଣ୍ଣୟ ନେବେ ସେ ଅନୁସାରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ। ତେବେ ରାଜ୍ୟ ସରକାର ଦେଇଥିବା ସତ୍ୟପାଠ ସମ୍ପର୍କରେ ତାଙ୍କ ସହିତ କୌଣସି ଆଲୋଚନା କରିନାହାନ୍ତି। ବରଂ ଗତ ୩୦ ତାରିଖରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ବିବରଣୀ ସରକାରଙ୍କୁ ପ୍ରଦାନ କରାଯାଇଥିଲା ବୋଲି ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ପଷ୍ଟ ମତ ରଖିଛନ୍ତି।

ବନ୍ଦ ହେବନି ରଥ ନିର୍ମାଣ
ପୁରୀ : ତିନି ରଥ ନିର୍ମାଣ କାର୍ଯ୍ୟ ଏ ଭିତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଳ୍ପ କିଛି କାମ ବାକି ରହିଛି। ଏହା ସରିଲେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ। ଏଭଳି ସ୍ଥିତିରେ ରଥ ନିର୍ମାଣ ନେଇ ଦ୍ବନ୍ଦ୍ବ ଉପୁଜିଛି। ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ଆଦେଶ ପରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଆଜି ସଂଧ୍ୟା ସୁଦ୍ଧା ଏ ସମ୍ପର୍କରେ କୌଣସି ଆଦେଶ ଦେଇନାହାନ୍ତି। ଏଣୁ ରଥ ନିର୍ମାଣ ବନ୍ଦ ହେବନାହିଁ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ବକର୍ମା ବିଜୟ ମହାପାତ୍ର କହିଛନ୍ତି, ପୂର୍ବଭଳି ଆଜି ବି ରଥ କାମ ଜାରି ରହିଛି। ଶ୍ରୀମନ୍ଦିର ପ୍ରଶାସନ ରଥ ନିର୍ମାଣ ବନ୍ଦ ସମ୍ପର୍କରେ ଆମକୁ କୌଣସି ସୂଚନା ଦେଇନାହାନ୍ତି। ଶ୍ରୀମନ୍ଦିର ପ୍ରଶାସନ ବନ୍ଦ ଆଦେଶ ନ ଦେବା ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରହିବ। ପରବର୍ତ୍ତୀ ସମୟରେ ରଥ ପ୍ରତିଷ୍ଠା ଓ ଅନ୍ୟାନ୍ୟ କଥା ଆସୁଛି ବୋଲ ଶ୍ରୀ ମହାପାତ୍ର କହିଛନ୍ତି। ଅନ୍ୟ ପଟେ ରଥଯାତ୍ରା ବନ୍ଦ ହୋଇଯାଇଥିବାରୁ ନିର୍ମାଣ ସରିଥିବା ତିନି ରଥ କ’ଣ ହେବ ବୋଲି ଭକ୍ତ ମହଲ ପ୍ରଶ୍ନ କରିଛନ୍ତି। ଯେହେତୁ ରଥ ନିର୍ମାଣ ସରିଛି ଓ ଏହା ଅବ୍ୟବହୃତ ହୋଇ ରହିଛି, ଏହାକୁ ନ ଭାଙ୍ଗି ଆସନ୍ତା ବର୍ଷ ପାଇଁ ସଂରକ୍ଷିତ ରଖାଯାଇପାରିବ ବୋଲି ଭକ୍ତ ମହଲ ମତ ଦେଇଛନ୍ତି। କିନ୍ତୁ ଏ ସମ୍ପର୍କରେ ପ୍ରଶାସନିକ ସ୍ତରରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

Holiday Resort, Puri

ଝୁରିବ ଜନ୍ମବେଦୀ
ପୁରୀ : ଏଥର ମହାପ୍ରଭୁ ରଥକୁ ବିଜେ କରିବେ ନାହିଁ। ଫଳରେ ନବ ଦିନ ବ୍ୟାପୀ ମହାପ୍ରଭୁଙ୍କ ଜନ୍ମବେଦୀ (ଶ୍ରୀଗୁଣ୍ଡିଚା ମନ୍ଦିର) ବା ଯଜ୍ଞବେଦୀ ଠାକୁରଙ୍କୁ ଝୁରିବ। ବର୍ଷକୁ ଥରେ ୯ ଦିନ ପାଇଁ ଗହଳଚହଳ କମ୍ପୁଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଏଥର ଖାଁଖାଁ ରହିବ। ମହାପ୍ରଭୁଙ୍କ ନିଜ ଜନ୍ମଦେବୀକୁ ନ ଆସିବା ଖବର ପାଇ ଶ୍ରୀଗୁଣ୍ଡିଚା ମନ୍ଦିର ସେବକ, କର୍ମଚାରୀ ମର୍ମାହତ ‌ହୋଇଛନ୍ତି। ରଥଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ସବୁ ପ୍ରସ୍ତୁତି ସରିଥିଲା। ତେବେ ଆଜିର ନିର୍ଦ୍ଦେଶ ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ହତାଶା ଖେଳିଯାଇଛି। ମହାପ୍ରଭୁଙ୍କ ହେରାପଞ୍ଚମୀ ଓ ସନ୍ଧ୍ୟା ଦର୍ଶନ ମଧ୍ୟ ଅନୁଷ୍ଠିତ ହେବ ନାହିଁ। ଅନ୍ୟ ପକ୍ଷରେ ବାହୁଡ଼ା ଯାତ୍ରାରେ ମାଉସୀ ମା’ ମନ୍ଦିରରେ ମହାପ୍ରଭୁଙ୍କୁ ଦିଆଯାଉଥିବା ଶ୍ରଦ୍ଧାର ପୋଡ଼ପିଠା ଏଥର ଲାଗି ହେବ ନାହିଁ।

ସମ୍ବନ୍ଧିତ ଖବର