ନିୟମିତ ବିଶୋଧିତ ଜଳ ପିଇବା ସ୍ବାସ୍ଥ୍ୟ ପାଇଁ ହିତକର ବୋଲି ଆମେ ଜାଣିଛେ। ତେବେ କ୍ଲୋରିନ୍‌ ଦ୍ବାରା ବିଶୋଧିତ ଜଳ ନିୟମିତ ପିଇଲେ ମୂତ୍ରାଶୟ କର୍କଟ, ଗୁହ୍ୟଦ୍ବାର କର୍କଟ ଓ ବୃକ୍‌କ କର୍କଟ ହେବାର ଆଶଙ୍କା ଅଧିକ ବୋଲି ଏକ ସଦ୍ୟ ଅନୁଧ୍ୟାନରୁ ଜଣାଯାଇଛି। ସୂଚନାଯୋଗ୍ୟ, ଆମ ଦେଶରେ ଏବେ ବି ହଇଜା, ଟାଇଫଏଡ୍‌ ଓ ଡିସେଣ୍ଟ୍ରି ପରି ଜଳବାହିତ ରୋଗ ସାଧାରଣ କଥା ହୋଇ ରହିଛି। ତେଣୁ ଜଳରୁ ବିଭିନ୍ନ ପ୍ରକାର ରୋଗ ସୃଷ୍ଟିକାରୀ ବୀଜାଣୁ ଓ ଭୂତାଣୁକୁ ଦୂର କରିବା ପାଇଁ ଜଣାଶୁଣା ସଂକ୍ରାମକବିରୋଧୀ କ୍ଲୋରିନ୍‌ ଦ୍ବାରା ଜଳକୁ ବିଶୋଧନ କରାଯାଇଥାଏ। ସାର୍ବଜନୀନ ସ୍ବାସ୍ଥ୍ୟ ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ଏହି ବିଶୋଧିତ ଜଳ ଯୋଗାଇ ଦିଆଯାଇଥାଏ।

Advertisment

ମାତ୍ର ଲୋକଙ୍କର ଏହି ସୁବିଧା ପଛରେ ଏକ ଗୋପନ କ୍ଷତି ରହିଥିବା କଥା ସମସ୍ତଙ୍କୁ ଜଣାନାହିଁ। ବିଶେଷଜ୍ଞ ଡାକ୍ତରମାନଙ୍କ କହିବାନୁଯାୟୀ, ଯଦିଓ କ୍ଳୋରିନ୍‌ ନିଜେ କର୍କଟ ସୃଷ୍ଟିକାରୀ (କାର୍ସିନୋଜେନିକ୍‌) ନୁହେଁ, ତେବେ ଜଳରେ ମିଶି ରହିଥିବା ପତ୍ର, ଧୂଳି ଓ ଶୈବାଳ ପରି ପ୍ରାକୃତିକ ଜୈବ ପଦାର୍ଥ ସଂସ୍ପର୍ଶରେ ଆସିଲେ ତାହା ପ୍ରତିକ୍ରିୟା କରି ଟ୍ରାଇହାଲୋମିଥେନ୍‌ (ଟିଏଚ୍‌ଏମ୍‌) ଓ ହାଲୋଏସିଟିକ୍‌ ଏସିଡ୍‌ (ଏଚ୍‌ଏଏ) ପରି ବିଷାକ୍ତ ରାସାୟନିକ ଉତ୍ପାଦ ଛାଡ଼ିଥାଏ। ସେଗୁଡ଼ିକ ଆମର ଡିଏନ୍‌ଏକୁ ନଷ୍ଟ କରି କର୍କଟ କୋଷ ବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ। ତଥାକଥିତ କ୍ଳୋରିନ୍‌ ପରିଷ୍କୃତ ଜଳରେ ଥିବା ଏହି ବିଷାକ୍ତ ଯୌଗିକଗୁଡ଼ିକ ଆମ ଶରୀରକୁ ପ୍ରବେଶ କରି ନିଷ୍କାସନ ପ୍ରକ୍ରିୟାରେ ଧୀରେ ଧୀରେ ମୂତ୍ରାଶୟରେ ଜମାଟ ବାନ୍ଧି ରହିଥା’ନ୍ତି। ତେଣୁ ମୂତ୍ରାଶୟ କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ। ସେହିପରି ଦୀର୍ଘ ଦିନ ଧରି ଏହି ଜଳ ପାନ କରିବା ଦ୍ବାରା ସେହି ବିଷାକ୍ତ ପଦାର୍ଥଗୁଡ଼ିକ ପାକ ପ୍ରଣାଳୀରେ, ବିଶେଷ କରି ବୃହଦାନ୍ତ୍ରରେ ଠୁଳ ହୋଇଥା’ନ୍ତି। ସୁତରାଂ ଗୁହ୍ୟଦ୍ବାର କର୍କଟ ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ।

କ୍ଲୋରିନ୍‌ ଦ୍ବାରା ବିଶୋଧିତ ଜଳ ବିଭିନ୍ନ ସଂକ୍ରାମକ ରୋଗରୁ ସୁରକ୍ଷା ଦେଉଥିବା ବେଳେ ସେହି ପାଣି ନିୟମିତ ପିଇଲେ ମୂତ୍ରାଶୟ, ଗୁହ୍ୟଦ୍ବାର ଓ ବୃକ୍‌କ କର୍କଟର ଆଶଙ୍କା ବଢ଼ିଥାଏ ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି।

ସେହିପରି ଦୂଷିତ ରକ୍ତକୁ ପରିଷ୍କୃତ କରୁଥିବା ବୃକ୍‌କ ଦୁଇଟି ଏହି ବିଷାକ୍ତ ପଦାର୍ଥଗୁଡ଼ିକୁ ଛାଣିଦେଇଥା’ନ୍ତି। କାଳକ୍ରମେ ତାହା ବୃକ୍‌କରେ ଜମିରହି କର୍କଟର ଆଶଙ୍କା ବଢ଼ାଇଥାଏ। ବିଶେଷ କରି ପ୍ରତ୍ୟହ କ୍ଳୋରିନ୍‌ ଦ୍ବାରା ପରିଷ୍କୃତ ଜଳ ପିଉଥିବା ସହରବାସୀ ଏଭଳି ଗୋପନ ଶତ୍ରୁର ଶିକାର ହୋଇଥା’ନ୍ତି। ଏଥି ସହିତ ଗ୍ରାମାଞ୍ଚଳରେ ଯୋଗାଯାଉଥିବା ଜଳର ବିଶୁଦ୍ଧତା ନିୟମିତ ଯାଞ୍ଚ ହେଉନଥିବାରୁ ଜଳରେ କ୍ଲୋରିନ୍‌ ସ୍ତର ଅନିୟନ୍ତ୍ରିତ ରହିଥାଏ। ସୁତରାଂ ସେହି ଜଳ ପାନ କରୁଥିବା ଗ୍ରାମାଞ୍ଚଳବାସୀ ମଧ୍ୟ ଏହାର ଶିକାର ହୋଇଥା’ନ୍ତି। ଟିଏଚ୍‌ଏମ୍‌ଗୁଡ଼ିକ ଶରୀର ଗଠନ ପ୍ରକ୍ରିୟାର ପ୍ରତିରୋଧୀ ହୋଇଥିବାରୁ ଗର୍ଭବତୀ ମହିଳା ଓ ଶିଶୁଙ୍କଠାରେ ଏଥି ଜନିତ କର୍କଟର ବେଶୀ ଆଶଙ୍କା ରହିଛି। ଏଭଳି ଆଶଙ୍କାକୁ ଦୂରେଇବା ଲାଗି କ୍ଳୋରିନ୍‌ ପରି ସଂକ୍ରାମକବିରୋଧୀ ବିଶୁଦ୍ଧକାରୀ ରସାୟନ ବ୍ୟବହାରକୁ ତ ସଂପୂର୍ଣ୍ଣ ବନ୍ଦ କରିହେବନାହିଁ। ତେଣୁ ଏହି ସମସ୍ୟାର ସମାଧାନ ସ୍ବରୂପ, ଜଳ ବିଶୋଧନରେ ଅଙ୍ଗାର ପରିସ୍ରାବକ ବ୍ୟବହାର କଲେ ତାହା ଜଳରୁ କ୍ଳୋରିନ୍‌ ଓ ତାହାର ଅନ୍ୟାନ୍ୟ ଉତ୍ପାଦଗୁଡ଼ିକୁ ଛାଣି ପାରିବ। ଏଥି ସହିତ ପିଇବା ପାଣିକୁ ଏକ ଖୋଲା ପାତ୍ରରେ କିଛି ସମୟ ରଖିଲେ ସେଥିରୁ କିଛି ପରିମାଣରେ କ୍ଳୋରିନ୍‌ ବାଷ୍ପୀଭୂତ ହୋଇ ଉଡ଼ିଯାଇଥାଏ। ପିଇବା ପୂର୍ବରୁ ପାଣିକୁ ଫୁଟାଇ ପିଇବା ମଧ୍ୟ ଶ୍ରେୟସ୍କର। ଯଦିଓ ତାହା ଦ୍ବାରା ଟିଏଚ୍‌ଏମ୍‌ଗୁଡ଼ିକୁ ସଂପୂର୍ଣ୍ଣ ନଷ୍ଟ ହୁଏ ନାହିଁ, ତେବେ ତାହାର ପରିମାଣ ଯଥେଷ୍ଟ କମିଯାଏ। ଏଥି ସହିତ ଅତିବାଇଗଣୀ ପରିସ୍ରବଣ (ୟୁଭି ଫିଲଟ୍ରେସନ୍‌) ଓ ବିପରୀତ ପରିସରଣ (ଆର୍‌ଓ) ପରି ବିକଳ୍ପ ଜଳ ବିଶୋଧନ ପ୍ରଣାଳୀ ଆପଣେଇବା ଉଚିତ, ଯହିଁରେ କୌଣସି ବିଷାକ୍ତ ଉତ୍ପାଦ ବାହାରକୁ ବାହାରିନଥାଏ।