କୋଲକାତା: ପଶ୍ଚିମବଙ୍ଗର ହୁଗୁଳି ଅଞ୍ଚଳରେ ଜଣେ ମହିଳା ପୁରୋହିତଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିବାହରେ ସାଧାରଣତଃ ପୁରୁଷ ପୁରୋହିତମାନେ ମନ୍ତ୍ର ଉଚ୍ଚାରଣ କରି ବିବାହ ସମ୍ପର୍ଣ୍ଣ କରି ଥାଆନ୍ତି। ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ପୁରୋହିତ ବର-ବଧୂଙ୍କ ବିବାହ କରିଥିବା ଦେଖିବାକୁ ମିଳୁଛି।
ତେବେ ମହିଳା ପୁରୋହିତ ଯେଉଁ ବର-ବଧୂଙ୍କ ବିବାହ କରିଛନ୍ତି। ଦୁହିଁଙ୍କ ନାମ ହେଉଛି ଉତ୍ସବ ଓ ସାକ୍ଷୀ। ଦୁହେଁ ସ୍ଥିର କରିଥିଲେ ସେମାନଙ୍କ ବିବାହ ତ ବଙ୍ଗାଳୀ ରୀତିନୀତିରେ ହେବ, କିନ୍ତୁ ସେଥିରେ କିଛି ସ୍ବତନ୍ତ୍ରତା ରହିବ। ତେଣୁ ସାକ୍ଷୀ ଓ ଉତ୍ସବ ମିଶି ଅନୀତା ମୁଖୋପାଧ୍ୟାୟଙ୍କୁ ସମ୍ପର୍କ କରିଥିଲେ। ଅନୀତା ବି ଦୁହିଁଙ୍କ ବିବାହ କରିବେ ବୋଲି ରାଜି ହୋଇଯାଇଥିଲେ।
ସାକ୍ଷୀ ଓ ଉତ୍ସବ ଦୁହେଁ ବୃତ୍ତିରେ ସପ୍ଟୱୟାର ଇଞ୍ଜିନିୟର। ଦିଲ୍ଲୀରେ ଚାକିରି କରୁଥିବା ସମୟରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ଭଲପାଇବାର ଏକ ଡୋରି ବାନ୍ଧି ହୋଇଯାଇଥିଲା। କିଛିଦିନ ପରେ ଦୁହିଁଙ୍କ ବିବାହ ସ୍ଥିର ହୋଇଥିଲା। ସାକ୍ଷୀ ଓ ଉତ୍ସବ ନିଜ ବିବାହରେ କିଛି ଅଲଗା କରିବାକୁ ସ୍ଥିର କରି ମହିଳା ପୁରୋହିତଙ୍କ ଦ୍ବାରା ସେମାନଙ୍କ ବିବାହ ସମ୍ପର୍ଣ୍ଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହାକି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।