ଆମ ମାସଚକ୍ର ଅନୁସାରେ, ମାର୍ଗଶିର ପରେ ଆସେ ପୌଷ ମାସ। ପୁଷ୍ୟା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ହେତୁ ଏ ମାସର ନାମ ‘ପୌଷ’ ହୋଇଛି। କାରଣ, ଏହି ମାସର ପୂର୍ଣ୍ଣିମାରେ ଚନ୍ଦ୍ର ପୁଷ୍ୟା ନକ୍ଷତ୍ର ସହ ଯୁକ୍ତ ହୋଇଥାନ୍ତି। ପୌଷପୂର୍ଣ୍ଣିମାର ଅନ୍ୟ ନାଆଁ ‘ପୌଷୀ’। ତେବେ ପୌଷମାସର ବିଶେଷତ୍ବ ହେଉଛି, ଏହା ସୂର୍ଯ୍ୟପୂଜାର ମାସ। କାରଣ, ସୂର୍ଯ୍ୟ ଏକ ବୈଦିକ ଦେବତା ଏବଂ ବେଦରେ ତାଙ୍କର ଗୋଟିଏ ନାମ ‘ପୂଷା’। ଏହି ପୂଷା ବା ସୂର୍ଯ୍ୟଙ୍କୁ ସ୍ତବ କରି ମନ୍ତ୍ରଦ୍ରଷ୍ଟା ବୈଦିକ ଋଷିମାନେ ଅନେକ ଋକ୍ମନ୍ତ୍ର ରଚନା କରିଛନ୍ତି।
ପୂଷା ବା ସୂର୍ଯ୍ୟଙ୍କ ସହିତ ପୋଷକତତ୍ତ୍ବ ଜଡ଼ିତ। ଏଣୁ ବେଦରେ ପୂଷା ବା ସୂର୍ଯ୍ୟ ମନୁଷ୍ୟ, ପଶୁ ଓ ବୃକ୍ଷଲତା- ସମସ୍ତଙ୍କର ପୋଷଣକାରୀ ରୂପେ ବର୍ଣ୍ଣିତ ହୋଇଛନ୍ତି। ସେଇଥିପାଇଁ ହିଁ ସେ ପୃଥିବୀ ପର୍ଯ୍ୟଟନ କରିଥାଆନ୍ତି। ତାହାଙ୍କ ଯୋଗୁଁ ଦିନ ଓ ରାତି ହୁଏ। ଅନେକ ଋକ୍ମନ୍ତ୍ରରେ ତାଙ୍କୁ ଦେବରାଜ ଇନ୍ଦ୍ରଙ୍କ ସହିତ ସ୍ତୁତି କରାଯାଇଛି। ସେଥିପାଇଁ ଇନ୍ଦ୍ରଙ୍କର ଅନ୍ୟ ନାମ ‘ପୂଷାତ୍ମଜ’। ତେବେ ଏହି ବୈଦିକ ଦେବତା ‘ପୂଷା’ ନିରୁକ୍ତ ଓ ପରବର୍ତ୍ତୀ ଶାସ୍ତ୍ରଗ୍ରନ୍ଥମାନଙ୍କରେ ‘ସୂର୍ଯ୍ୟ’ ରୂପେ ବର୍ଣ୍ଣିତ ହୋଇଛନ୍ତି।
ବୈଦିକ ଦେବତା ‘ପୂଷା’ ବା ‘ସୂର୍ଯ୍ୟ’ଙ୍କର ଅନ୍ୟ ନାମ ରବି। ବିଜ୍ଞାନ ମତରେ ସୂର୍ଯ୍ୟ ଏକ ନକ୍ଷତ୍ର ହୋଇଥିବା ବେଳେ, ଜ୍ୟୋତିଷଶାସ୍ତ୍ରରେ ସେ ଗ୍ରହ ରୂପେ ସ୍ବୀକୃତ ହୋଇଛନ୍ତି। ସପ୍ତାହର ପ୍ରଥମ ବାର ‘ରବି’ ତାଙ୍କ ଅନୁସାରେ ନାମିତ ହୋଇଛି। ରବି ନାମର ତାତ୍ପର୍ଯ୍ୟ ମଧ୍ୟ ଆମ ଶାସ୍ତ୍ର, ଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ଅଛି। ତାହା ଅନୁସାରେ- ‘ରବି’ ଶବ୍ଦର ସୃଷ୍ଟି ହୋଇଛି ‘ରୁ’ ଧାତୁରୁ। ଏହାର ଅର୍ଥ ଶବ୍ଦ କରିବା। ଶାସ୍ତ୍ରମତରେ, ସୂର୍ଯ୍ୟ ଅହରହ ଚଳମାନ ବା ଘୂର୍ଣ୍ଣାୟମାନ ଥିବାରୁ ସେହି ଚଳନ ବା ଘୂର୍ଣ୍ଣନରୁ ଶବ୍ଦ ସୃଷ୍ଟି ହୋଇଥାଏ। ଏହା ସୂର୍ଯ୍ୟଙ୍କର ‘ରବି’ ନାମର ସାର୍ଥକତା ସୂଚାଏ।
ତେବେ ସେ ଯାହାହେଉ ନା କାହିଁକି, ପୌଷମାସର ରବିବାରଗୁଡ଼ିକ ହେଉଛି ପାରମ୍ପରିକ ଭାବରେ ସୂର୍ଯ୍ୟପୂଜାର ବାର। ଏ ନେଇ ଓଡ଼ିଆରେ ଅନେକ ବ୍ରତକଥା ଅଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp