ପୂତନାବଧ ‘ଶ୍ରୀମଦ୍ଭାଗବତ’ର ଗୋପଲୀଳା ଅନ୍ତର୍ଗତ ଏକ ରୋଚକ ପ୍ରସଙ୍ଗ। ଦଶମ ସ୍କନ୍ଧ, ସପ୍ତମ ଅଧ୍ୟାୟରେ ଏ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। କଂସର ଆଦେଶରେ ଏହି ଅସୁରୀ ନିଜର ସ୍ତନଯୁଗଳରେ ବିଷ ଭରି ବହୁ ଶିଶୁଙ୍କୁ ନାଶ କରିଥିଲା। ମାତ୍ର ଶ୍ରୀକୃଷ୍ଣ କ୍ଷୀର ସହିତ ତାହାର ପଞ୍ଚପ୍ରାଣ ଶୋଷିନେଇ ତାହାକୁ ବିନାଶ କରିଥିଲେ।
ପୂତନାର ବିନାଶ ପରର ବର୍ଣ୍ଣନା ଅତ୍ୟନ୍ତ ରୋଚକ। ‘ଶ୍ରୀମଦ୍ଭାଗବତ’ର ବର୍ଣ୍ଣନା ଅନୁସାରେ, ସେହି ରିଷ୍ଟ କଟିଯିବା ପରେ ଯଶୋଦା ଓ ଗୋପନାରୀମାନଙ୍କର ପରାମର୍ଶକ୍ରମେ ଶିଶୁକୃଷ୍ଣଙ୍କର ରିଷ୍ଟ ଶାନ୍ତି କରାଯାଇଥିଲା। ଗୋଟିଏ ବାଛୁରୀକୁ ଆଣି ତାହାର ଲାଞ୍ଜରେ ସେମାନେ ଶିଶୁକୃଷ୍ଣଙ୍କୁ ଝାଡ଼ିଥିଲେ। ତାହାଙ୍କୁ ଗୋମୂତ୍ରରେ ସ୍ନାନ କରାଇବା ସହିତ ତାଙ୍କ ଦେହରେ ଗୋରଜ ଲେପନ କରିଥିଲେ। ଗୋମୟ ବା ଗୋବର ଦ୍ୱାରା ତାଙ୍କ କପାଳରେ ଠିଆଚିତା ଆଙ୍କିଥିଲେ। ହାତରେ ଦୂବଧରି ତାଙ୍କର କଲ୍ୟାଣ କାମନା କରିଥିଲେ।
କେବଳ ଏତିକି ନୁହେଁ; ଦ୍ୱାଦଶ ଅଙ୍ଗନ୍ୟାସ ମଧ୍ୟ ସେହି ରିଷ୍ଟ ଖଣ୍ଡନ କର୍ମର ଅନ୍ତର୍ଭୁକ୍ତ ଥିଲା। ପାଦକୁ ଅନନ୍ତ, ଦୁଇ ଜଙ୍ଘକୁ ଯଜ୍ଞପୁରୁଷ, କଟୀକୁ ଅଚ୍ୟୁତ, ଉଦରକୁ ପଦ୍ମନାଭ, ହୃଦୟକୁ ହୟଗ୍ରୀବ, ବକ୍ଷକୁ ଗ୍ରହରାଜ (ବୃହସ୍ପତି), ଲଲାଟକୁ ସଦାଶିବ, ମୁଖକୁ ମାଧବ ଏବଂ ଶାରଙ୍ଗଧର ତାଙ୍କ ଶରୀରର ଏକ ପାର୍ଶ୍ବ ଓ ଖଡ଼୍ଗଧାରୀ ଅନ୍ୟ ପାର୍ଶ୍ବ ରକ୍ଷା କରନ୍ତୁ ବୋଲି ସେମାନେ କହିଥିଲେ। ସେହିପରି, ଶଙ୍ଖ ତାଙ୍କର ଚାରିକୋଣକୁ, ନାରାୟଣ ଊର୍ଦ୍ଧ୍ୱକୁ, ବିଷ୍ଣୁ ଅଧଃଭାଗକୁ, ମଧୁସୂଦନ ଅନ୍ତରାଳକୁ, ହୃଷୀକେଶ ଇନ୍ଦ୍ରିୟମାନଙ୍କୁ, ଗୋବିନ୍ଦ ପଞ୍ଚପ୍ରାଣକୁ, ଶ୍ୱେତଦ୍ୱୀପ ପତି (ବିଷ୍ଣୁ) ଚିତ୍ତକୁ ଓ ମାଧବ ମତିକୁ ରକ୍ଷା କରନ୍ତୁ ବୋଲି ସେମାନେ କହିଥିଲେ। ପୁଣି ଖେଳିବା ବେଳେ ବନମାଳୀ, ଶୋଇବାବେଳେ କୃଷ୍ଣ, ଚାଲିବା ଓ ଖାଇବା ବେଳେ ମଧୁସୂଦନ ତାଙ୍କୁ ରକ୍ଷାକରନ୍ତୁ ବୋଲି ବି କହିବା ସହ ଦୁଃସ୍ୱପ୍ନ ଓ ଗ୍ରହପୀଡ଼ାକୁ ବିଷ୍ଣୁ ନାଶ କରନ୍ତୁ ଏବଂ ନୃସିଂହ ନିର୍ଭୟ କରନ୍ତୁ ବୋଲି ମଧ୍ୟ କାମନା କରିଥିଲେ। ପରିଶେଷରେ ଏହା ବି କହିଥିଲେ- ଆମର ଆୟୁଷ ତୁମକୁ ଲାଗୁ। ଏହା ଶିଶୁଥିବା ବେଳୁ ହିଁ କୃଷ୍ଣଙ୍କ ପ୍ରତି ଗୋପୀଙ୍କର ପ୍ରୀତିର ପରାକାଷ୍ଠା ସୂଚିତ କରିଥାଏ।