ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଅନେକ ପ୍ରଜାତିର ସାପ ଅଛନ୍ତି। ଏଥିମଧ୍ୟରୁ ଏମିତି କିଛି ସାପ ଅଛନ୍ତି ଯେଉଁମାନଙ୍କ ଗୋଟିଏ ଚୋଟରେ ମଣିଷର ମୃତ୍ୟୁ ହୋଇଯାଇଥାଏ। ଲୋକେ ସାପର ନାମ ଶୁଣିଲା ମାତ୍ରେ ଭୟଭୀତ ହୋଇଯାଇଥାଆନ୍ତି। ଏମିତିରେ ଯଦି ଆପଣଙ୍କ ଉପରେ ଆସି ହଠାତ ଏକ ସାପ ଖସି ପଡ଼ିବ ଆପଣ କିଭଳି ଅନୁଭବ କରିବେ। ଏମିତି ଏକ ଘଟଣା ମାଲେସିଆରେ ରହୁଥିବା ଏକ ପରିବାର ସହିତ ନିକଟରେ ଘଟିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ମାଲେସିଆର ଏକ ପରିବାର ରାତି ପ୍ରାୟ ୧୧.୦୯ (ସ୍ଥାନୀୟ ସମୟ) ହେବ ଘରେ ବସି ବହୁତ ଖୁସିରେ ଟିଭି ଦେଖୁଥିଲେ, ଏତିକି ବଳେ ହଠାତ ଘରର ଛାତ ଭୁଶୁଡି ପଡିଥିଲା, ଆଉ ସେମାନଙ୍କ ଉପରେ ଏକ ବିରାଟ ଅଜଗର ଆସି ପଡ଼ିଯାଇଥିଲା। ପରିବାର ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ। ପଡ଼ିଶା ଲୋକଙ୍କୁ ଡାକି ଘଟଣା ବିଷୟରେ କହିବା ସହିତ ତୁରନ୍ତ ପ୍ରଶାସନକୁ ଖବର ଦେଇଥିଲେ।
ଖବର ପାଇବା ମାତ୍ରେ ମିରି ପବ୍ଲିକ ଡିଫେନ୍ସ ଫୋର୍ସର ୪ ଜଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଏକ ବାକ୍ସ ତଳେ ଲୁଚି ରହିଥିବା ୮ କିଲୋଗ୍ରାମର ୧୦ ଫୁଟ ଲମ୍ବା ଅଜଗରକୁ ଅନେକ ଚେଷ୍ଟା ପରେ କାବୁ କରିଥିଲେ। ଉଦ୍ଧାର ହୋଇଥିବା ଅଜଗର ଅଧିକାଂଶ ଭାବେ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଦେଖିବାକୁ ମିଳିଥାଏ। ଏହି ପ୍ରଜାତିର ସାପ ଦୁନିଆର ସବୁଠୁ ବଡ ସାପ ବୋଲି କୁହାଯାଉଛି। ଏହା ମଣିଷ, ବିଲେଇ, କୁକୁର, ପକ୍ଷୀ, ମୂଷା ଏବଂ ଅନ୍ୟ ସାପମାନଙ୍କୁ ଆଖି ପିଛୁଳାକେ ଗିଳି ଦେଇଥାଏ।