ପୁରୁଷ ପ୍ରଧାନ୍ୟ ଭାରତୀୟ ସମାଜରେ ଯେଉଁ କେତେଜଣ ବୀରାଙ୍ଗନା ସାମାଜିକ ଶୃଙ୍ଖଳକୁ ଛିନ୍ନ କରି ନିଜର ଧୀଶକ୍ତି ଓ ସାମର୍ଥ୍ୟ ବଳରେ ଭାରତର ରାଜନୈତିକ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି, ସେମାନଙ୍କ ମଧ୍ୟରୁ ଅହଲ୍ୟାବାଈ ହୋଲକର ଅନ୍ୟତମ। ଘଟଣାବହୁଳ ଅଷ୍ଟାଦଶ ଶତାବ୍ଦୀରେ ଇନ୍ଦୋରର ହୋଲକର ରାଜବଂଶର ରାଣୀ ଭାବେ ତାଙ୍କର ଶକ୍ତିଶାଳୀ ନେତୃତ୍ୱ ସମାଜରେ ମହିଳାମାନଙ୍କର ସାମର୍ଥ୍ୟ ଓ ପରାକାଷ୍ଠାକୁ ପ୍ରମାଣିତ କରିବା ସଙ୍ଗେ ସଙ୍ଗେ ତାଙ୍କୁ ସମଗ୍ର ନାରୀଜାତିର ଆଦର୍ଶ ରୂପେ ପ୍ରମାଣିତ କରିପାରିଛି। ଏହି ମହୀୟସୀ ମହିଳାଙ୍କ ପିତା ମାଣକୋଜୀ ସିନ୍ଧେ ଓ  ମାତା ସୁଶୀଳା ଦେବୀଙ୍କ ଔରସରୁ ତୃତୀୟ ସନ୍ତାନ ଭାବେ ୧୭୨୫ ମସିହା ମେ ୩୧ ତାରିଖରେ ଅହମଦନଗର ଚାଣ୍ଡୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ମହାରାଣୀଙ୍କର ଶିବ ଭକ୍ତ ଓ ବିନମ୍ରତାକୁ ଉପଲବ୍ଧି କରି ମାଲୱାର ସୁବେଦାର ମହ୍ଲାର ରାଓ ତାଙ୍କୁ ମାତ୍ର ୧୨ ବର୍ଷ ବୟସରେ ସୁବେଦାର ରାଜବଂଶର ବୋହୂ ଭାବେ ସ୍ୱୀକାର କରିଥିଲେ। ୧୭୪୫ ମସିହାରେ ସେ ଏକ ପୁତ୍ରସନ୍ତାନ ଓ ୧୭୪୮ ମସିହାରେ ଏକ କନ୍ୟାସନ୍ତାନ ଲାଭ କରିଥିଲେ। ସେମାନଙ୍କ ନାମ ଯଥାକ୍ରମେ ମାଲେ ରାଓ ଓ ମୁକ୍ତା ରଖାଯାଇଥିଲା। ୧୭୫୪ରେ ସ୍ୱାମୀ ଖାଣ୍ଡେରାଓଙ୍କର ରାଜସ୍ଥାନର କୁମ୍ବେରି ଯୁଦ୍ଧରେ ମୃତ୍ୟୁ ଓ ତାପରେ ଶ୍ୱଶୁର ମହ୍ଲାର ରାଓଙ୍କ ଦେହାନ୍ତ ଏବଂ ମାତ୍ର ୨୨ ବର୍ଷ ବୟସରେ ପୁତ୍ର ମାଲେ ରାଓଙ୍କ ମୃତ୍ୟୁ ଅହଲ୍ୟାବାଈଙ୍କୁ ମାନସିକ ସ୍ତରରେ ଭାଙ୍ଗି ଦେଇଥିଲେ ମଧ୍ୟ ଦୃଢ଼ମନା ମହାରାଣୀ ଏହି ଘଟଣା ପରେ ପରେ ସମସ୍ତ କଷ୍ଟକୁ ନିଜ ଭିତରେ ଚାପି ରଖି ନିରନ୍ତର ଭାବେ ୨୮ ବର୍ଷ ସଫଳତାର ସହ ରାଜ୍ୟ ଶାସନ କରିଥିଲେ।

Advertisment

ଅହଲ୍ୟାବାଈ ଶାସନ କାର୍ଯ୍ୟକୁ ସହଜ ଓ ସରଳ କରିବା ପାଇଁ ସମଗ୍ର ରାଜ୍ୟକୁ ୧୩ଟି ଦରବାରରେ ବିଭକ୍ତ କରି ପ୍ରତ୍ୟେକ ୧୦ କୋଶରେ ଗୋଟିଏ ଗୋଟିଏ ଶିବିର ନିର୍ମାଣ କରିଥିଲେ। ସେଠାରେ ଜଣେ ଲେଖାଏଁ ‘ସନ୍ଦେଶବାହକ’ଙ୍କୁ ନିୟୋଜିତ କରିଥିଲେ। ଏହା ଦ୍ୱାରା ରାଜ୍ୟର କୋଣ ଅନୁକୋଣରୁ ସମସ୍ତ ଖବର/ସମସ୍ୟା ବିଷୟରେ ଅବଗତ ହୋଇ ସେ ତାହାର ତୁରନ୍ତ ସମାଧାନ କରିପାରୁଥିଲେ। ପୁନଶ୍ଚ ସେ ସମଗ୍ର ରାଜ୍ୟକୁ ଜିଲ୍ଲା ଓ  ତହସିଲରେ ଭାଗ କରି ନ୍ୟାୟର ଶେଷ ଅପିଲ ନିଜେ ଶୁଣୁଥିଲେ। ସାମାଜିକ ଭିତ୍ତିଭୂମିର ଉନ୍ନୟନ ସୁପ୍ରଶାସନର ଏକ ବୈଶିଷ୍ଟ୍ୟ ତଥା ଅର୍ଥନୈତିକ ଅଗ୍ରସରର ସହାୟକ ବୋଲି ବିବେଚନା କରି ରାଣୀ ନିଜ ରାଜତ୍ୱ ସମୟରେ ଅନେକ ସଡ଼କ, ସାର୍ବଜନୀନ ସଦନ ଓ ଧର୍ମଶାଳା ନିର୍ମାଣ କରିଥିଲେ। ସମାଜର ଅବହେଳିତ ବର୍ଗର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଅହଲ୍ୟାବାଈ ସେମାନଙ୍କୁ ଆର୍ଥିକ ସହାୟତା, ଆଶ୍ରୟ ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଙ୍କ ରାଜ୍ୟରେ ବାସକରୁଥିବା ‘ଭିଲ’ ଆଦିବାସୀ ସଂପ୍ରଦାୟର ଲୋକମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସେ ନେଇଥିବା ପଦକ୍ଷେପଗୁଡିକ ପରବର୍ତ୍ତୀ ସମୟରେ ପ୍ରଶାସନ ନିମନ୍ତେ ଉଦାହରଣ ପାଲଟି ଯାଇଥିଲା। ରାଜକୋଷରୁ ସହିଦ ପରିବାରକୁ ଋଣ, ଦରିଦ୍ରମାନଙ୍କୁ କୃଷି ଓ ବାଣିଜ୍ୟ ପାଇଁ ଶସ୍ତା ଋଣ, ବନ ସଂରକ୍ଷଣ, ବୃକ୍ଷରୋପଣ ଓ ଦୈବ ଦୁର୍ବିପାକ ସମୟରେ କ୍ଷତିପୂରଣ ପ୍ରଦାନ କରି ସେ ଜଣେ ପ୍ରଜାବତ୍ସଳ ଶାସକ ହୋଇ ପାରିଥିଲେ।

ପାରମ୍ପରିକ ହସ୍ତଶିଳ୍ପକୁ ପୁନରୁଦ୍ଧାର କରିବା ପାଇଁ ସେ ନିପୁଣ ଓ ସୂକ୍ଷ୍ମ କଳାକୃତି ପାଇଁ ପ୍ରସିଦ୍ଧି ଲାଭ କରିଥିବା ମାହେଶ୍ୱରୀ ଶାଢ଼ିର ବୁଣାଳିମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସଙ୍ଗେ ସଙ୍ଗେ ଏହି ଶାଢ଼ିର ବିପଣନ ନିମନ୍ତେ ପଦକ୍ଷେପ ନେଇଥିଲେ। ସାମାଜିକ ସଶକ୍ତକରଣରେ ଶିକ୍ଷାର ଭୂମିକା ଅନିବାର୍ଯ୍ୟ ଭାବି ସେ ନିଜ ରାଜ୍ୟର କୋଣ ଅନୁକୋଣରେ ଅନେକ ବିଦ୍ୟାଳୟ ଓ ଶିକ୍ଷାୟତନ ପ୍ରତିଷ୍ଠା କରିଥିଲେ। ଗୁରୁକୁଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ସହ ସମାଜର ବିକାଶରେ ନାରୀ  ଶିକ୍ଷାର  ଗୁରୁତ୍ୱକୁ ଉପଲବ୍ଧି କରି ଏ  କ୍ଷେତ୍ରରେ ପ୍ରଚଳିତ ସାମାଜିକ ପ୍ରତିବନ୍ଧକ ସତ୍ତ୍ୱେ ସେ ସେମାନଙ୍କୁ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିଥିଲେ।  “କୌଣସି ଝିଅର ଶିକ୍ଷା ତା’କୁ ଦାରିଦ୍ର୍ୟରୁ ମୁକ୍ତ କରାଇବାର ଟିକେଟ ପ୍ରଦାନ କରାଇଥାଏ” ବୋଲି ତାଙ୍କ ଜେଜେ ମା’ଙ୍କର ଦୃଢ଼ୋକ୍ତି ତାଙ୍କୁ ବହୁଭାବେ ପ୍ରଭାବିତ କରିଥିଲା। ତାଙ୍କ ରାଜତ୍ୱକାଳରେ ମହିଳାମାନେ ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଅଧିକାର କରିଥିଲେ। ସୁପ୍ରଶାସନ ନିମନ୍ତେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ନିତାନ୍ତ ଆବଶ୍ୟକ ଭାବି ସେ ଅନେକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିଥିଲେ ଏବଂ ଶାରୀରିକ ସୁସ୍ଥତା ଓ ପରିମଳ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଉଥିଲେ।

ରାଣୀ ଅହଲ୍ୟାବାଈଙ୍କ ନେତୃତ୍ୱର ଏକ ପ୍ରମୁଖ ଦିଗ ଥିଲା, ସାମାଜିକ ନ୍ୟାୟ ଏବଂ ଧାର୍ମିକ ସଂସ୍କାର ପ୍ରତି ତାଙ୍କର ପ୍ରତିବଦ୍ଧତା। ହିନ୍ଦୁ ଧର୍ମର ଐତିହ୍ୟ ଓ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ସେ ଶହେରୁ ଊର୍ଦ୍ଧ୍ୱ ମନ୍ଦିରକୁ ପୁନଃନିର୍ମାଣ କରିଥିଲେ। ପ୍ରସିଦ୍ଧ ସୋମନାଥ ମନ୍ଦିର ସହିତ ଅନେକ ଧାର୍ମିକସ୍ଥଳୀ ଯଥା କାଶୀ ବିଶ୍ୱନାଥ, ଅଯୋଧ୍ୟା, ବୃନ୍ଦାବନ ଆଦିର ପୁନରୁଦ୍ଧାର ପାଇଁ ସେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ପୁରୀ ଠାରେ ଗୋଟିଏ ମନ୍ଦିର, ଆଶ୍ରମ ଓ ଉଦ୍ୟାନ ନିର୍ମାଣ କରି ସେ ଓଡ଼ିଶା ସହ ତାଙ୍କର ସୁସମ୍ପର୍କକୁ  ପ୍ରମାଣିତ କରିଥିଲେ।  ତାଙ୍କ ସମୟରେ ପ୍ରଚଳିତ ମୁଦ୍ରାରେ ଶିବଲିଙ୍ଗ ଓ ବେଲପତ୍ର ଅଙ୍କିତ ହେବା ସହ ନନ୍ଦୀ ଚିତ୍ର ଶୋଭା ପାଉଥିଲା। ସମସ୍ତ ପତ୍ରାଳାପରେ ସେ ନିଜର ସ୍ୱାକ୍ଷର ନିମିତ୍ତ ଉଦ୍ଦିଷ୍ଟ  ସ୍ଥାନରେ ଶ୍ରୀ ଶଙ୍କର ଲେଖୁଥିଲେ। ସଂସ୍କୃତ ବିଦ୍ୱାନ କୁଶଳୀରମ ଓ ମରାଠୀ କବି ମୋରୋପାଣି ଓ ଅନନ୍ତ ଫାଡ଼ିଙ୍କୁ ସହାୟତା ପ୍ରଦାନ କରି ସେ କଳା ଓ ସାହିତ୍ୟର ଜଣେ ବଳିଷ୍ଠ ପୂଜାରୀ ବୋଲି ନିଜକୁ ପ୍ରତିପାଦିତ  କରିପାରିଥିଲେ। ପ୍ରଚଳିତ ଉର୍ଦ୍ଦୁ ଓ ପାର୍ସି ଭାଷା ସ୍ଥାନରେ ସେ ସଂସ୍କୃତ, ମାଲବୀ ଓ ଖଡି ଭାଷା ପ୍ରଚଳନ କରିଥିଲେ। 

ରାଣୀ ଅହଲ୍ୟାବାଈ ହୋଲକରଙ୍କ ନେତୃତ୍ୱଶୈଳୀ ଥିଲା ଜ୍ଞାନ, ସାହସ ଏବଂ ସର୍ବସାଧାରଣଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧତା। ସାମାଜିକ ସ୍ଥିତି କିମ୍ବା ଲିଙ୍ଗ ନିର୍ବିଶେଷରେ ନ୍ୟାୟପୂର୍ଣ୍ଣ ଶାସନ କରିବା, ନ୍ୟାୟକୁ ବଜାୟ ରଖିବା ଏବଂ ନାଗରିକମାନଙ୍କର କଲ୍ୟାଣକୁ ପ୍ରାଥମିକତା ଦେବାରେ ତାଙ୍କର ଦକ୍ଷତା ତାଙ୍କୁ ମହିଳା ସଶକ୍ତୀକରଣର ପ୍ରକୃତ ପ୍ରତୀକ ଭାବେ ଅଭିହିତ କରେ। ସେ ତତ୍କାଳୀନ ସତୀପ୍ରଥାକୁ ନାପସନ୍ଦ କରିବା ସଙ୍ଗେ ସଙ୍ଗେ ଯୌତୁକ ପ୍ରଥାକୁ ଅପରାଧ ବୋଲି ଘୋଷଣା କରିଥିଲେ। ସମଗ୍ର ଦେଶରେ ଅନ୍ତଃରାଜ୍ୟ ବିବାହକୁ ସମର୍ଥନ ଜଣାଇ ସେ ବିଧବାମାନଙ୍କୁ ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ହାସଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କ୍ଷମତା, ଧନ ଓ ବୈଭବ ପ୍ରତି ନିଜର ଆସକ୍ତି ତୁଟାଇ ଏହାକୁ ଈଶ୍ୱରଙ୍କ ଦାନ ବୋଲି ମନେ କରି ନିଜକୁ ରାଜ୍ୟର ପ୍ରତ୍ୟେକ କାର୍ଯ୍ୟ ପାଇଁ ଉତ୍ତରଦାୟୀ ଭାବି ସେ ଛତ୍ରପତି ଶିବାଜୀଙ୍କର ପଦାନୁସରଣ କରୁଥିଲେ।  ନିଜର ବ୍ୟକ୍ତିଗତ ଓ ପାରିବାରିକ ଖର୍ଚ୍ଚର ଭରଣ ନିମନ୍ତେ ସେ ସାର୍ବଜନୀନ ଅର୍ଥକୁ ବିନିଯୋଗ କରିବା ପାଇଁ ସର୍ବଦା ବାରଣ କରୁଥିଲେ ଓ ସ୍ୱଅର୍ଜିତ ଅର୍ଥକୁ ବିଭିନ୍ନ ଦାତବ୍ୟ କାର୍ଯ୍ୟରେ ବିନିଯୋଗ କରୁଥିଲେ। ଭାରତ ଇତିହାସରେ ନିଜର ରାଜନୀତି ଓ ରଣନୀତି ଉତ୍ତମ ଭାବେ ପରିପ୍ରକାଶ ଓ ପ୍ରତିପାଦନ କରି ସେ ପ୍ରକୃତରେ ‘ରାଷ୍ଟ୍ରମାତା’ର ପଦବୀ ଧାରଣ କରିଛନ୍ତି।  
ଅଧୁନା ବିଶ୍ୱରେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ଏକ ନିରନ୍ତର ସଂଘର୍ଷ ହୋଇଥିବାରୁ ରାଣୀ ଅହଲ୍ୟାବାଈଙ୍କ କାହାଣୀ ଏକ ଉଜ୍ଜ୍ୱଳ ଉଦାହରଣ ଭାବରେ ଗ୍ରହଣ କରାଯାଇପାରେ। ତାଙ୍କ କାହାଣୀ କେବଳ ଇତିହାସର ଏକ ଅଧ୍ୟାୟ ନୁହେଁ; ଏହା ଭବିଷ୍ୟତ ପ୍ରଶାସନ ପାଇଁ ଏକ ଆଲୋକବର୍ତ୍ତିକା।

ଶ୍ରୀମତୀ ପ୍ରଭାତୀ ପରିଡ଼ା
ଉପମୁଖ୍ୟମନ୍ତ୍ରୀ, ଓଡ଼ିଶା