ବର୍ଷାଋତୁରେ ଚକ୍ଷୁରେ ବିଭିନ୍ନ ଭୂତାଣୁ ଜନିତ ସଂକ୍ରମଣ ହୋଇଥାଏ। ଏହି ସଂକ୍ରମଣ ଥରେ ଜଟିଳ ହେଲେ ରୋଗୀ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ବି ଥାଏ। ବର୍ଷାଋତୁରେ ଆଖିର ଯତ୍ନ କିପରି ନେବେ ସେ ସଂପର୍କରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରାହୁଲ ଦୁବେଙ୍କ ସହ ଆଲୋଚନା।

Advertisment

 ବର୍ଷାଋତୁରେ ମୁଖ୍ୟତଃ କେଉଁ ଧରଣର ଆଖିରୋଗ ଦେଖିବାକୁ ମିଳିଥାଏ?
ବର୍ଷା ଋତୁ ଆରମ୍ଭରେ ଏବଂ ଶେଷ ହେବା ବେଳକୁ ଆଖିଧରା ଦେଖିବାକୁ ମିଳିଥାଏ। ଆଖିଧରିଲେ ଆମେ ଅଜାଣତରେ ଏହାର ଦେଶୀ ଚିକିତ୍ସା କରିଦେଉ। କିଛି ରୋଗୀ ଔଷଧ ଦୋକାନୀଙ୍କ ପରାମର୍ଶରେ ଆଇଡ୍ରପ୍ ଓ ଅଏଣ୍ଟମେଣ୍ଟ ପ୍ରଭୃତି ବ୍ୟବହାର କରିଥାନ୍ତି। ଏପରି କରିବା ଅନୁଚିତ। ଏହା ସଂକ୍ରାମକ ରୋଗ ହୋଇଥିବାରୁ ଡାକ୍ତରଙ୍କ ସହିତ ପରାମର୍ଶ କରି ଉପଚାର କରିବା ବିଧେୟ। ଏହି ରୋଗରେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ମଧ୍ୟ ରହିଥାଏ, ଏହାକୁ ଅଣଦେଖା କରିବା ଉଚିତ ନୁହେଁ।

 ଏଥିଲାଗି ଆଉ କ’ଣ ସାବଧାନତା ଅବଲମ୍ବନ କରିବାକୁ ହେବ?
ଯଦି ଆଖିଧରିଛି ତେବେ ବାରମ୍ବାର ଆଖିରେ ହାତ ମାରିବା ଉଚିତ ନୁହେଁ। ପରିଷ୍କାର କନାରେ ଆଖିକୁ ପୋଛିବା ଦରକାର। ଯେତେସମ୍ଭବ ପରିବାରର ଅନ୍ୟମାନଙ୍କଠାରୁ ଦୂରେଇ ରହିବା ଭଲ। ନହେଲେ ସଂକ୍ରମଣ ବ୍ୟାପିଯିବ।

 ବର୍ଷାଦିନେ ଆଖିରେ ଆଲର୍ଜି ହୋଇଥାଏ। ଏହାର କାରଣ କ’ଣ ଓ କିଭଳି ଲକ୍ଷଣ ପ୍ରକାଶ ପାଏ?
ବିଭିନ୍ନ କାରଣରୁ ଆଖିରେ ଆଲର୍ଜି ହୋଇଥାଏ। ଋତୁ ପରିବର୍ତ୍ତନ କାରଣରୁ ଆଲର୍ଜି ହେବା ସହିତ ମୁଣ୍ଡବିନ୍ଧା ଦେଖିବାକୁ ମିଳିଥାଏ। ବାୟୁମଣ୍ଡଳରେ ଧୂଳିକଣା ଅଧିକ ଥିଲେ ତା’ ପ୍ରଭାବରେ ମଧ୍ୟ ଆଲର୍ଜି ହୋଇଥାଏ। ଆଖିରେ ଆଲର୍ଜି ହେଲେ ଆଖି ଖେଞ୍ଚି ହୋଇ କୁଣ୍ଡାଇ ହେବା, ଲାଲ ପଡ଼ିଯିବା, ଆଖିରୁ ଲୁହ ବୋହିବା ଏବଂ ଆଖି ପୋଡ଼ିବା ଭଳି ଲକ୍ଷଣ ପ୍ରକାଶ ପାଏ। ଏପରି ହେଉଥିଲେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଔଷଧ ଗ୍ରହଣ କରିବା ଆବଶ୍ୟକ।

 ଚକ୍ଷୁ ଆଲର୍ଜିର ଉପଚାର କ’ଣ?
ଆଲର୍ଜିର ସ୍ଥାୟୀ ନିରାକରଣ ନାହିଁ। ଯଦି ଆଖିରେ ଆଲର୍ଜି ହେଲା ତେବେ ପ୍ରଥମ ଘରୋଇ ଉପଚାର ଭାବେ ସଫା କନାକୁ ଥଣ୍ଡା ପାଣିରେ ବୁଡ଼ାଇ ଆଖିରେ ଥାପିବେ। ଦିନକୁ ୪ରୁ ୫ ଥର କରିପାରିଲେ ବହୁତ ଭଲ। କୌଣସି ପରିସ୍ଥିତରେ ଆଖି ମକଚିବା ଉଚିତ ନୁହେଁ। ଅଧିକ ମକଚିଲେ କେରେଟୋକନସ୍ ନାମକ ଏକ ଆଖି ରୋଗ ପରବର୍ତ୍ତୀ ସମୟରେ ହୋଇଥାଏ। ପାଣି ଟ୍ୟାପରୁ ସିଧାସଳଖ ଆଖିରେ ପାଣି ଛିଟା ମାରିବା ଆଦୌ ଉଚିତ ନୁହେଁ, କାରଣ ସେହି ପାଣିରେ ରାସାୟନିକ ପଦାର୍ଥ ମିଶିଥାଏ। ଏହା ଆଖିକୁ କ୍ଷତି ପହଞ୍ଚାଇବା ଆଶଙ୍କ‌ା ଥାଏ।

 ଆଧୁନିକ ଜୀବନଶୈଳୀରେ ଆଖି ଉପରେ ଚାପ ପଡ଼ୁଛି। ଚାପ ହ୍ରାସ ଲାଗି କି ଉପାୟ କରିବାକୁ ପଡ଼ିବ?
ମୋବାଇଲ ଫୋନ୍, ଟିଭି, କମ୍ପ୍ୟୁଟର ଆଦିର ବହୁଳ ବ୍ୟବହାର ଆଖିର ମାଂସପେଶୀରେ ଚାପ ସୃଷ୍ଟି କରିଥାଏ। ପ୍ରାଥମିକ ଅବସ୍ଥାରେ ଏହାକୁ ଆମେ ବୁଝି ପାରି ନଥାଉ। ସମୟ କ୍ରମେ ଚାପ ବଢ଼ିବା ସହିତ ଆଖିକୁ ଝାପ୍ସା କିମ୍ବା ଜାଲଜାଲୁଆ ଦିଶିବା, ଆଖିରୁ ପାଣି ବାହାରିବା କିମ୍ବା ଲୁହ ବୋହିବା ସମ୍ପୂର୍ଣ୍ଣ ବନ୍ଦ ହେବା ଆଦି ଲକ୍ଷଣ ପ୍ରକାଶ ପାଏ। ଆଜିର ସମୟରେ ଆଖିର ବ୍ୟାୟାମ ନିତାନ୍ତ ଆବଶ୍ୟକ। ଏହା କରିବା ଅତ୍ୟନ୍ତ ସହଜ ଓ ସରଳ। ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶରେ ନିଜର ଅବସର ସମୟରେ ଅତି କମ୍‌ରେ ୧୦ ମିନିଟ୍‌ ବ୍ୟାୟାମ କରନ୍ତୁ।